ପାକିସ୍ତାନ ବିପକ୍ଷରେ ଭାରତ କରିଥିଲା ୩ଟି ଭୁଲ୍, ଶ୍ରୀଲଙ୍କା ମ୍ୟାଚ୍ରେ ଦୋହରାଇଲେ…
5/09/2022 at 8:47 PM

ନୂଆଦିଲ୍ଲୀ: ଏସିଆ କପ୍ର ସୁପର-୪ ମୁକାବିଲାରେ ପାକିସ୍ତାନ ଭାରତକୁ ୫ ଓ୍ଵିକେଟ୍ରେ ହରାଇଛି। ଭାରତ ଦ୍ଵାରା ଧାର୍ଯ୍ୟ ୧୮୨ ରନର ବିଜୟ ଲକ୍ଷ୍ୟକୁ ପାକିସ୍ତାନ ଗୋଟିଏ ବଲ୍ ବଳକା ଥାଇ ଜିତି ନେଇଛି। ଭାରତ ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଭଲ ଆରମ୍ଭ କରିଥିଲା। ମାତ୍ର ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ଖସିବାରୁ ଭଲ ଆରମ୍ଭ ସତ୍ଵେ ବି ଦଲ ଯେତିକି ରନ କରିବା କଥା କରି ପାରିନଥିଲା। ଏହା ପରେ ବୋଲିଂ ଏବଂ ଫିଲ୍ଡିଂରେ ଅନେକ ତ୍ରୁଟି ହୋଇଥିଲା, ଯାହାର ପରିଣାମ ଭାରତକୁ ଭୋଗିବାକୁ ପଡିଛି।
ଯଦି ଭାରତକୁ ଫାଇନାଲରେ ପହଞ୍ଚିବାର ଅଛି ତେବେ ନିଜର ପରବର୍ତ୍ତୀ ଦୁଇଟି ମୁକାବିଲାରେ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନକୁ ହରାଇବାକୁ ପଡିବ। ହେଲେ ପାକିସ୍ତାନ ମ୍ୟାଚ୍ରେ ଯେଉଁ ତିନୋଟି ଭୁଲ୍ କରିଛି ଭାରତ ତାକୁ ଦୋହରାଇଲେ ଫାଇନାଲରେ ପହଞ୍ଚିବା ମୁସ୍କିଲ ହୋଇ ପଡିବ।
ଆକ୍ରମଣାତ୍ମକ ରଣନୀତି କାମ କରିବ ନାହିଁ
ରୋହିତ ଶର୍ମା ଯେବେଠୁ ଅଧିନାୟକ ଦାୟିତ୍ଵ ସମ୍ଭାଳିଛନ୍ତି ତା ପରଠୁ ଭାରତୀୟ ଦଳ ବିରୋଧୀ ଦଳ ବିପକ୍ଷରେ ଆକ୍ରମଣାତ୍ମକ ରଣନୀତି ସହିତ ବ୍ୟାଟିଂ କରୁଛି। ବିଶେଷ କରି ଟି-୨୦ ଫର୍ମାଟ୍ରେ ପ୍ରଥମ ବଲ୍ରୁ ବିରୋଧୀ ବୋଲରଙ୍କ ଉପରେ ଆକ୍ରମଣ କରୁଛି ଭାରତ। ଗତ କିଛି ସିରିଜରେ ଏହାର ଫାଇଦା ଦଳକୁ ମିଳିଛି। ବିଶେଷ କରି ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳର ଏହି ରଣନୀତି ଫଳପ୍ରଦ ରହିଛି। ମାତ୍ର ଏସିଆ କପରେ ଏହି ରଣନୀତି ଦଳକୁ ଭାରି ପଡିଛି।
ପରିସ୍ଥିତି ହିସାବରେ ବ୍ୟାଟିଂ କରିବାକୁ ପଡିବ
ସୂର୍ଯ୍ୟକୁମାର ଯାଦବ କ୍ରିଜକୁ ଆସିବା ମାତ୍ରେ ବାଉଣ୍ଡରୀରୁ ଇନିଂସ ଆରମ୍ଭ କରୁଛନ୍ତି। ସେ ପାକିସ୍ତାନ ବୋଲରଙ୍କୁ ଆକ୍ରମଣ କରିବା ଚକ୍କରରେ ନିଜର ଓ୍ଵିକେଟ୍ ହରାଇଛନ୍ତି। ଋଷଭ ପନ୍ତ ମଧ୍ୟ ଏହି ପରି ବ୍ୟାଟିଂ କରିବାକୁ ଉଦ୍ୟମ କରିଥିଲେ ଏବଂ ଦାୟିତ୍ଵହୀନ ସଟ୍ ଖେଳି ପାଭିଲିୟନ ଫେରିଥିଲେ। ଭାରତକୁ ଏହାର ପରିଣାମ ଭୋଗିବାକୁ ପଡିଛି। ଭଲ ଆରମ୍ଭ ସତ୍ତ୍ଵେ ବ୍ୟାଟିଂ ଉପଯୋଗୀ ପିଚ୍ରେ ଭାରତ ୧୮୨ ରନ କରି ପାରିଥିଲା। ଶ୍ରୀଲଙ୍କା ବିପକ୍ଷରେ ରୋହିତ ଶର୍ମାଙ୍କୁ ଏହି ଭୁଲ୍ରୁ ନିବୃତ୍ତ ରହିବାକୁ ପଡିବ ଏବଂ ମ୍ୟାଚ୍ର ପରିସ୍ଥିତି ଅନୁସାରେ ଖେଳିବାକୁ ପଡିବ।
ସଠିକ୍ ଚୂଡାନ୍ତ ଏକାଦଶ ଚୟନ ଜରୁରୀ
ରବୀନ୍ଦ୍ର ଜାଡେଜା ଆହତ ହେବା କାରଣରୁ ଭାରତକୁ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଚୂଡାନ୍ତ ଏକାଦଶ ପରିବର୍ତ୍ତନ କରିବାକୁ ପଡିଥିଲା। ଭାରତ ଏହି ମୁକାବିଲରେ ତିନି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇଥିଲା। ହଂକଂ ବିପକ୍ଷରେ ବିଶ୍ରାମ ନେଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଥିଲା। ମାତ୍ର ଦଳରୁ ଦିନେଶ କାର୍ତ୍ତିକଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ଦିଆଯିବା ପ୍ରବନ୍ଧକଙ୍କ ଗୋଟିଏ ନିଷ୍ପତ୍ତି ସଭିଙ୍କୁ ଚକିତ କରିଥିଲା। କାରଣ କାର୍ତ୍ତିକ ଯେବେଠୁ ଭାରତୀୟ ଟି-୨୦ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି, ଦଳରେ ସେ ଫିନିସର ଭୂମିକା ଭଲ ଭାବେ ନିଭାଇ ଆସିଛନ୍ତି। ଅନେକ ମ୍ୟାଚ୍ରେ ସେ ଭାରତକୁ ବିଜୟୀ କରାଇଛନ୍ତି।
ତଥାପି ରୋହିତ ଶର୍ମା ଋଷଭ ପନ୍ତଙ୍କୁ ଅଗ୍ରାଧିକାର ଦେଇଥିଲେ। ହେଲେ ପନ୍ତ ଖରାପ ସଟ୍ ଖେଳି ନିଜର ଓ୍ଵିକେଟ୍ ଫିଙ୍ଗିଥିଲେ। ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଅକ୍ଷର ପଟେଲ୍ଙ୍କୁ ଦଳରେ ସୁଯୋଗ ମିଳିବାର ଥିଲା। ସେ ଜାଡେଜାଙ୍କ ପରି ମାପଚୁପ ବୋଲିଂ କରିଥାନ୍ତି। ଏଥିସହ ଆବଶ୍ୟକ ପଡିଲେ ରନ ମଧ୍ୟ କରି ପାରନ୍ତି। ତେଣୁ ଶ୍ରୀଲଙ୍କା ବିପକ୍ଷରେ ଦଳ ଚୟନ ସମୟରେ ଭାରତୀୟ ଦଳର ପ୍ରବନ୍ଧକଙ୍କୁ ଏ ଦିଗପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ।