ପ୍ରାକୃତିକ ବିପର୍ଯ୍ୟୟ : ୨୦ ବର୍ଷରେ ଭାରତ ହରାଇଛି ୮ହଜାର କୋଟି ଡଲାର, ବିଶ୍ବ କ୍ଷତିଗ୍ରସ୍ତ ତାଲିକାରେ ୪ର୍ଥ ସ୍ଥାନରେ ଭାରତ
Published By : Prameya-News7 Bureau | October 11, 2018 IST
ନୂଆଦିଲ୍ଲୀ ୧୧|୧୦: ଜଳବାୟୁ ପରିବର୍ତ୍ତନର ଭୟଙ୍କର ରୂପ । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଗତ ୨୦ ବର୍ଷରେ ଭାରତ ହରାଇଛି ପ୍ରାୟ ୮ହଜାର କୋଟି ଡଲାର। ଜାତିସଂଘର ବିପର୍ଯ୍ୟୟ ପ୍ରଶମନ ବିଭାଗ ଦେଇଥିବା ରିପୋର୍ଟ ଅନୁସାରେ ପ୍ରାକୃତିକ ବିପର୍ଯ୍ୟୟ ପାଇଁ କ୍ଷତିଗ୍ରସ୍ତ ହୋଇଥିବା ଟପ୍ ୫ ତାଲିକାରେ ରହିଛି ଭାରତ । ଏହି ତାଲିକାରେ ଭାରତର ସ୍ଥାନ ଚତୁର୍ଥ । ପ୍ରଥମ ସ୍ଥାନରେ ଆମେରିକା ରହିଥିବା ବେଳେ, ସେଠାରେ ୯୪ ହଜାର ୫୦୦ ଡଲାର କ୍ଷତି ହୋଇଛି। ତା’ ପଛକୁ ଚୀନ ଓ ଜାପାନ୍ ରହିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟରେ ଚୀନର ୪୯ହଜାର ୨ଶହ ଡଲାର ଓ ଜାପାନ୍ର ୩୭ ହଜାର ୬ଶହ ଡଲାର କ୍ଷତି ହୋଇଛି।
୧୯୯୮ରୁ ୨୦୧୭ ପର୍ଯ୍ୟନ୍ତ ଆସିଥିବା ବିପର୍ଯ୍ୟୟରେ ପୃଥିବୀର ପ୍ରାୟ ୩ଲକ୍ଷ କୋଟି ଡଲାର କ୍ଷତି ହୋଇଛି। କ୍ଷତିର ପରିମାଣ ପୂର୍ବ ଦୁଇ ଦଶନ୍ଧି ତୁଳନାରେ ୧୨୦ ପ୍ରତିଶତ ବୃଦ୍ଧି ପାଇଛି। ଯଦି କେବଳ ପ୍ରାକୃତିକ ବିପର୍ଯ୍ୟୟକୁ ହିସାବକୁ ନିଆଯାଏ ତେବେ କ୍ଷତି ପରିମାଣ ୧୫୧ପ୍ରତିଶତ ବୃଦ୍ଧି ପାଇଛି। ୟୁରୋପୀୟ ଦେଶମାନଙ୍କ ମଧ୍ୟରେ ବିଗତ ୨୦ ବର୍ଷରେ ପ୍ରାକୃତିକ ବିପର୍ଯ୍ୟୟରେ ଫ୍ରାନ୍ସର ୪୮୦୦ ଡଲାର, ଜର୍ମାନର ୫୮୦୦ ଡଲାର ଓ ଇଟାଲୀର ୫୭୦୦ ଡଲାର କ୍ଷତି ହୋଇଛି।
ଗତ ୨୦ ବର୍ଷ ଭିତରେ ପ୍ରାକୃତିକ ବିପର୍ଯ୍ୟୟରେ ୧.୩ ନିୟୁତ ପ୍ରାଣହାନି ଘଟିଥିବା ବେଳେ ୪୪୦ କୋଟି ଲୋକ ଆହତ ଓ ବାସଶୂନ୍ୟ ହୋଇଛନ୍ତି। ତେବେ ନିମ୍ନ ଆୟ ବର୍ଗ ଥିବା ଦେଶ ବା ଗରିବ ଦେଶର କ୍ଷୟକ୍ଷତି ପରିମାଣ ଆକଳନ କରାଯାଇନାହିଁ। ଯଦି ସେ ସବୁକୁ ହିସାବକୁ ନିଆଯାଏ ତେବେ କ୍ଷୟକ୍ଷତି ଓ ଧନଜୀବନ ହାନି ପରିମାଣ ଆହୁରି ବଢିବ। ଅଧିକାଂଶ ବିପର୍ଯ୍ୟୟ ବନ୍ୟା, ବାତ୍ୟା, ମରୁଡ଼ି ଓ ଝାଞ୍ଜି ପ୍ରବାହ ଯୋଗୁଁ ହୋଇଛି।