ଏସୀୟ ଚାମ୍ପିଅନ୍ସଶିପ୍ ଟ୍ରଫି ହକି: ଦ୍ଵିତୀୟ ସେମିରେ ଜାପାନଠୁ ହାରିଲା ଭାରତ, ବ୍ରୋଞ୍ଜ ମେଡାଲ ପାଇଁ ପାକିସ୍ତାନ ସହ ମୁକାବିଲା

Published By : Prameya-News7 Bureau | December 21, 2021 IST

ନୂଆଦିଲ୍ଲୀ ୨୧।୧୨: ଗତ ଥରର ଚାମ୍ପିଅନ ଭାରତୀୟ ପୁରୁଷ ହକି ଦଳର ବିଜୟ ଅଭିଯାନରେ ଲାଗିଛି ବ୍ରେକ୍। ବାଂଲାଦେଶର ରାଜଧାନୀ ଢାକାରେ ଖେଳାଯାଇଥିବା ଏସୀୟ ଚାମ୍ପିଅନଶିପର ଦ୍ଵିତୀୟ ସେମି ଫାଇନାଲରେ ଭାରତକୁ ଜାପାନ ହାତରୁ ପରାଜୟର ମୁହଁ ଦେଖିବାକୁ ମିଳିଛି। ଭାରତ ଜାପାନ ହାତରୁ ୩-୫ ଗୋଲରେ ପରାଜିତ ହୋଇଛି। ଫାଇନାଲ୍‌ରୁ ବଞ୍ଚିତ ଭାରତ ଏବେ ତୃତୀୟ ସ୍ଥାନ ଅର୍ଥାତ କାଂସ୍ୟ ପଦକ ପାଇଁ ପାକିସ୍ତାନ ସହ ମୁକାବିଲା କରିବ। ଜାପାନ ଫାଇନାଲରେ ଦକ୍ଷିଣ କୋରିଆକୁ ଭେଟିବ।

ଜାପାନ ଦ୍ଵିତୀୟ ସେମି ଫାଇନାଲରେ ଭାରତ ବିପକ୍ଷରେ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଖେଳିଥିଲା। ପ୍ରଥମ କ୍ଵାର୍ଟର ସଂପୂର୍ଣ୍ଣ ଭାବେ ଜାପାନ ନାମରେ ରହିଥିଲା। ଜାପାନ ପ୍ରଥମ କ୍ଵାର୍ଟର ଆରମ୍ଭରେ ୨-୦ରେ ଅଗ୍ରଣୀ ହାସଲ କରିଥିଲା। ଜାପାନ ପକ୍ଷରୁ ପ୍ରଥମ ଗୋଲ୍ ଶୋଟା ୟମାଦା ଦେଇଥିବା ବେଳେ ରାକି ଫୁଜିଶାମ ଦ୍ଵିତୀୟ ମିନିଟରେ ଦ୍ଵିତୀୟ ଗୋଲ୍ ଦେଇଥିଲେ ।  

wp:html /wp:html

ତେବେ ଦ୍ଵିତୀୟ କ୍ଵାର୍ଟର ଭାରତ ନାମରେ ରହିଥିଲ। ଭାରତ ୧୭ତମ ମିନିଟ୍‌ରେ ଦିଲପ୍ରୀତ ଦମଦାର ଗୋଲ୍ ସ୍କୋର ଦେଇ ଖେଳକୁ ୧-୨କୁ ଆଣିଥିଲେ। ଏହା ପରେ ଭାରତ ୧୯ତମ ମିନିଟ୍‌ରେ ମ୍ୟାଚ୍‌ ବରାବର କରିବାର ସୁଯୋଗ ହାତଛଡା କରିଥିଲା। ୨୪ତମ ମିନିଟ୍‌ରେ  ଭାରତୀୟ ଗୋଲ୍ କିପର କୃଷ୍ଣ ପାଠକ ଜାପାନକୁ ତୃତୀୟ ଗୋଲ୍ ଦେବାରେ ଅଟକାଇ ଦେଇଥିଲେ। ଏହାପରେ ବି ଜାପାନ ନିଜର ଆକ୍ରମଣାତ୍ମକ ଖେଳ ଜାରି ରଖିଥିଲା। ୨୯ତମ ମିନିଟ୍‌ରେ ପେନାଲ୍‌ଟିରୁ ଗୋଟିଏ ଗୋଲ୍ ଦେଇ ଜାପାନ ଭାରତ ବିରୋଧରେ ୩-୧ରେ ଅଗ୍ରଣୀ ହାସଲ କରିଥିଲା।

ଦ୍ଵିତୀୟ ହାପରେ ମଧ୍ୟ ଜାପାନ ଭାରତ ଉପରେ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲା। ଜାପାନ ୩୫ତମ ମିନିଟ୍‌ରେ ଆଉ ଏକ ଦମଦାର ଗୋଲ୍ ଦେଇ ୪-୧ରେ ଅଗ୍ରଣୀ ହାସଲ କରିଥିଲା। ଦଳ ପକ୍ଷରୁ କୋସେଇ କଓ୍ଵାବେ ଚତୁର୍ଥ ଗୋଲ୍ ଦେଇଥିଲେ। ଏହାପରେ ୪୧ତମ ମିନିଟ୍‌ରେ ଟନାକା ଚମତ୍କାର ଗୋଲ୍ ଦେଇ ଜାପାନକୁ ୫-୧ରେ ଆଗୁଆ କରିଥିଲେ।

ଚତୁର୍ଥ ଏବଂ ଅନ୍ତିମ କ୍ଵାର୍ଟରରେ ମଧ୍ୟ ଜାପାନ ଦମଦାର ପ୍ରଦର୍ଶନ କରିଥିଲା। ଭାରତର ହରମନପ୍ରୀତ ଗୋଲ୍ ସ୍କୋର ଦେଇ ବ୍ୟବଧାନକୁ ୨-୫ କରିଥିଲେ। ପୁଣି ୬୦ତମ ମିନିଟ୍‌ରେ ହାର୍ଦ୍ଦିକ ଆଉ ଗୋଲ୍ ଦେଇ ସ୍କୋରକୁ ୩-୫ କରିଥିଲେ। କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇ ସାରିଥିଲା। ଦଳ କୌଣସି ଚମତ୍କାର କରିପାରିନଥିଲା।  ଏହି ବିଜୟ ସହିତ  ଜାପାନ ଲିଗ୍ ପର୍ଯ୍ୟାୟରେ ଭାରତଠୁ ମିଳିଥିବା ୦-୬ ପରାଜୟର ମଧୁର ପ୍ରତିଶୋଧ ନେଇପାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.