ଭାରତର ବିଶ୍ୱକପ ଆଶା ଧୂଳିସାତ୍, ପେନାଲ୍ଟି ସୁଟ୍ ଆଉଟରେ ଜିତିଲା ନ୍ୟୁଜିଲାଣ୍ଡ
22/01/2023 at 9:22 PM

ଭୁବନେଶ୍ୱର: ହକି ବିଶ୍ୱକପର କ୍ରସ୍ ଓଭର ରାଉଣ୍ଡରେ ନ୍ୟୁଜିଲାଣ୍ଡଠାରୁ ପରାଜିତ ହୋଇ ୱାର୍ଲଡ କପରୁ ବାହାର ହୋଇଛି ଭାରତ । ଏହାସହ ନ୍ୟୁଜିଲାଣ୍ଡ ଟିମ୍ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ପେନାଲ୍ଟି ସୁଟ୍ ଆଉଟରେ ୪-୫ରେ ମ୍ୟାଚକୁ ଜିତି ନେଇଛି ନ୍ୟୁଜିଲାଣ୍ଡ ।
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା କ୍ରସ୍ ଓଭରରେ ଦୁଇ ଦେଶ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ପ୍ରଥମ କ୍ୱାର୍ଟରେ କୌଣସି ଟିମ ଗୋଲ କରିବାରେ ସଫଳ ହୋଇ ନଥିଲେ । ମ୍ୟାଚର ୧୨ ମିନିଟରେ ଭାରତକୁ ଗୋଲ କରିବାର ସୁଯୋଗ ମିଳିଥିଲା, କିନ୍ତୁ ଅଧିନାୟକ ହରମନପ୍ରୀତ ସିଂ ପେନାଲ୍ଟିକୁ ଗୋଲରେ ପରିଣତ କରିପାରି ନଥିଲେ । ମ୍ୟାଚର ୧୭ ମିନିଟରେ ଭାରତ ମ୍ୟାଚର ପ୍ରଥମ ଗୋଲ ଦେଇଥିଲା । ଆକାଶଦୀପ ଏବଂ ସମଶେର ମିଶି ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ଗୋଲ ପୋଷ୍ଟ ନିକଟରେ ପହଞ୍ଚିଥିଲେ । ସମଶେରଙ୍କ ପାସରେ ଲଲିତ୍ ଷ୍ଟ୍ରାଇକ୍ କରି ବଲକୁ ଗୋଲପୋଷ୍ଟ ଭିତରକୁ ମାରିବାରେ ସଫଳ ହୋଇଥିଲେ ।
ଭାରତକୁ ୨୧ ମିନିଟରେ ଦୁଇଟି ପେନାଲ୍ଟି କର୍ଣ୍ଣର ମିଳିଥିଲା । ଟିମ୍ ଇଣ୍ଡିଆ ଦୁଇଟି ଯାକରେ ଗୋଲ କରିବାରେ ବିଫଳ ହୋଇଥିଲେ । ଏହାପରେ ୨୩ତମ ମିନିଟରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣରକୁ ହରାଇ ଦେଇଥିଲା । ଭାରତର ଦ୍ୱିତୀୟ ଗୋଲ ୨୪ ମିନିଟରେ ଆସିଥିଲା । କ୍ୟାପ୍ଟେନ ହରମନପ୍ରୀତ ସିଂ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିବାରେ ସଫଳ ହୋଇଥିଲେ । କିନ୍ତୁ ୪ ମିନିଟ ପରେ ଏହି ବ୍ୟବଧାନ କମ ହୋଇଥିଲା । ନ୍ୟୁଜିଲାଣ୍ଡ ପାଇଁ ସାମ ଲେନ ପ୍ରଥମ ଗୋଲ କରିଥିଲେ । ମ୍ୟାଚର ପ୍ରଥମାର୍ଦ୍ଧ ପରେ ୨-୧ରେ ଆଗୁଆ ରହିଥିଲା।
ତୃତୀୟ କ୍ୱାର୍ଟରେ ଭାରତ ଗୋଲ ବ୍ୟବଧାନକୁ ବଢାଇଥିଲା । ୪୦ ମିନିଟରେ ପେନାଲ୍ଟି କର୍ଣ୍ଣରକୁ ବରୁଣ କୁମାର ଗୋଲରେ ପରିଣତ କରିଥିଲେ । କିନ୍ତୁ ଏହାର ତିନି ମିନିଟ୍ ପରେ ନ୍ୟୁଜିଲାଣ୍ଡ ପୁଣି ଏକ ଗୋଲ ଦେଇ ବ୍ୟବଧାନକୁ ୩-୨ କରିଥିଲା । ଚତୁର୍ଥ କ୍ୱାର୍ଟରର ୪୯ତମ ମିନିଟରେ ନ୍ୟୁଜିଲାଣ୍ଡ ପେନାଲ୍ଟି କର୍ଣ୍ଣରକୁ ଗୋଲ କରିବାରେ ସଫଳ ହୋଇଥିଲା । ନିର୍ଦ୍ଧାରିତ ସମୟ ଶେଷ ହେବା ବେଳକୁ ଉଭୟ ଟିମ ୩-୩ରେ ବରାବରେ ରହିଥିଲେ । ଏହାପରେ ମ୍ୟାଚ୍ ସୁଟ୍ ଆଉଟରେ ପହଞ୍ଚିଥିଲା । ସୁଟ୍ ଆଉଟରେ ଭାରତକୁ ୪-୫ରେ ହରାଇ କ୍ୱାର୍ଟରରେ ପହଞ୍ଚିଛି ନ୍ୟୁଜିଲାଣ୍ଡ ।