ନୂଆଦିଲ୍ଲୀ: ସୁଦାନରେ କ୍ଷମତା ହାସଲ ପାଇଁ ସେନାର ଦୁଇଟି ଟିମ୍ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି। ଗୃହଯୁଦ୍ଧରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଛି ଅପରେସନ କାବେରୀ। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର।
ସେ ଟ୍ୱିଟ୍ କରି ଲେଖିଛନ୍ତି “ ସୁଦାନରେ ଫସି ରହିଥିବା ଆମ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଅପରେସନ କାବେରୀ ଆରମ୍ଭ ହୋଇଛି। ସୋମବାର ୫୦୦ ଭାରତୀୟ ସୁଦାନ ପୋର୍ଟରେ ପହଞ୍ଚି ସାରିଛନ୍ତି। ଅଧିକାଂଶ ଲୋକେ ପୋର୍ଟକୁ ଆସୁଛନ୍ତି। ସେମାନଙ୍କୁ ଫେରାଇ ଆଣିବାକୁ ଆମ ଜଳ ଜାହାଜ ଓ ବିମାନ ସେଠାରେ ପ୍ରସ୍ତୁତ ହୋଇ ରହିଛି। ସୁଦାନରେ ଫସିଥିବା ସମସ୍ତ ଭାଇଭଉଣୀଙ୍କୁ ସହଯୋଗ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।” ନିକଟରେ ଆଫଗାନିସ୍ତାନ, ୟୁକ୍ରେନରୁ ଭାରତୟୀଙ୍କ ଉଦ୍ଧାର ପରେ ଏହା ତୃତୀୟ ଉଦ୍ଧାର ଅପରେସନ।
wp:html/wp:htmlOperation Kaveri gets underway to bring back our citizens stranded in Sudan.
— Dr. S. Jaishankar (@DrSJaishankar) April 24, 2023
About 500 Indians have reached Port Sudan. More on their way.
Our ships and aircraft are set to bring them back home.
Committed to assist all our bretheren in Sudan. pic.twitter.com/8EOoDfhlbZ
ଅପରେସନ କାବେରୀ ଆରମ୍ଭ ହେବାର ଦିନକ ପୂର୍ବରୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଥିଲା। ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଦୁଇଟି ସି-୧୩୦ ବିମାନ ଓ ଆଇଏନ୍ଏସ୍ ସୁମେଧା ନୌସେନା ଜାହାଜ ପ୍ରସ୍ତୁତ ହୋଇ ଛିଡ଼ା ହୋଇଛି ବୋଲି ମନ୍ତ୍ରଣାଳୟ କହିଥିଲା। ସରକାରୀ ଡାଟା ଅନୁସାରେ, ପାଖାପାଖି ୪ ହଜାର ଭାରତୀୟ ସୁଦାନରେ ଫସି ରହିଛନ୍ତି। ଏହାର କିଛିଦିନ ପୂର୍ବରୁ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସାଉଦି ଆରବ ଓ ୟୁଏଇ ସହ ଆଲୋଚନା କରିଥିଲେ। ଦୁଇ ଦେଶ ଏଥିରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ସୂଚନା ଥାଉକି ଦେଶର କ୍ଷମତା ହାତେଇବା ପାଇଁ ସୁଦାନ ଆର୍ମୀ ଓ ଅର୍ଦ୍ଧସାମରିକ ବଳର ରାପିଡ୍ ସପୋର୍ଟ ଫୋର୍ସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ସେନା ଓ ଜନତା ମିଶି ଏକଛତ୍ରବାଦ ଶାସକ ଉମାର ଅଲ ବଶୀରଙ୍କୁ ଗାଦିଚ୍ୟୁତ କରିବା ପରେ ଦେଶରେ ଗଣତନ୍ତ୍ରୀକ ସରକାର ଆଣିବାକୁ ଯୋଜନା ହୋଇଥିଲା। ହେଲେ ଯୋଜନା ଉପରେ ସେନାର ଦୁଇ ଗୋଷ୍ଠୀ ମଧ୍ୟରେ ସହମତି ନ ହେବାରୁ ପରଷ୍ପର ଯୁଦ୍ଧ କରି ନିଜ ହାତକୁ କ୍ଷମତା ନେବାକୁ ଚାହୁଁଛନ୍ତି।