ଲୋକସଭା ନିର୍ବାଚନ ପରେ ପ୍ରଥମ ଟେଷ୍ଟରେ NDA ଫେଲ୍, ଇଣ୍ଡି ମେଣ୍ଟ-୧୦, ବିଜେପି-୨

Published By : Prameya-News7 Bureau | July 13, 2024 IST

ନୂଆଦିଲ୍ଲୀ: ୭ ରାଜ୍ୟର ୧୩ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନ ପରିମାଣ ଘୋଷଣା ହୋଇଛି । ରେଜଲ୍ଟକୁ ନେଇ ବିରୋଧୀ ଇଣ୍ଡି ମେଣ୍ଟ ଉତ୍ସାହିତ ଥିବା ବେଳେ ବିଜେପିକୁ ଝଟକା ଲାଗିଛି । ବିଧାନସଭା ଉପନିର୍ବାଚନରେ କଂଗ୍ରେସ ଏବଂ ଟିଏମସି ୪-୪ଟି ଲେଖାଏଁ ଆସନ ଜିତିଛନ୍ତି । ଅନ୍ୟପଟେ ବିଜେପି ୨ ଆସନ ଜିତିଛି । ଜଳନ୍ଦର ଆସନରେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଜିତିଛନ୍ତି । ପଶ୍ଚିମବଙ୍ଗର ସମସ୍ତ ୪ ଆସନରେ ଟିଏମସି କବଜା କରିଛି । ଅନ୍ୟପଟେ ହିମାଚଳ ପ୍ରଦେଶ ମୁକାବିଲା ୨-୧ ରହିଛି, ଯେଉଁଥିର ଶାସକ କଂଗ୍ରେସ ୨ଟି ଆସନ ଜିତିଥିବା ବେଳେ ଗୋଟିଏରେ ବିଜେପି ବିଜୟୀ ହୋଇଛି ।

ଉତ୍ତରାଖଣ୍ଡ: ରାଜ୍ୟର ମଙ୍ଗଲୋର ଏବଂ ବଦ୍ରୀନାଥ ଆସନରେ ମତଦାନ ହୋଇଥିଲା । ଏହି ଆସନ ପୂର୍ବରୁ କଂଗ୍ରେସ ଏବଂ ବିଏସପି ପାଖରେ ଥିଲା । ବିଜେପି ସମାନରେ ସିଟ୍ ଜିତିବା ଆହ୍ୱାନ ଥିଲା, ଯେଉଁଥିରେ ଦଳ ବିଫଳ ହୋଇଛି । ବଦ୍ରୀନାଥ ଆସନରେ କଂଗ୍ରେସର ଲଖପତ ସିଂ ବୁଟୋଲା ପ୍ରାୟ ୫ ହଜାରରୁ ଅଧିକ ଭୋଟରେ ବିଜେପିର ରାଜେନ୍ଦ୍ର ଭଣ୍ଡାରୀଙ୍କୁ ହରାଇଛନ୍ତି । ସେହିପରି ମଙ୍ଗଲୋର ଆସନରେ କଂଗ୍ରେସର କାଜି ନିଜାମୁଦ୍ଦୀନ ବାଜି ମାରିଛନ୍ତି । ସେ ବିଜେପିର କରତାର ସିଂହଙ୍କୁ ୪୦୦ରୁ ଅଧିକ ଭୋଟ ବ୍ୟବଧାନରେ ହରାଇଛନ୍ତି । 

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶର ତିନି ଆସନ ମଧ୍ୟରୁ ୨ଟି କଂଗ୍ରେସ ଖାତାକୁ ଯାଇଛି । ଦେହରା ଆସନରେ ସିଏମ୍ ସୁକଖୁଙ୍କ ପତ୍ନୀ ୯୩୯୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଅନ୍ୟପଟେ ନାଲାଗଡ଼ ଆସନରୁ କଂଗ୍ରେସର ହରଦୀପ ସିଂ ବାବା ବିଜେପିର କେ.ଏଲ.ଠାକୁରଙ୍କୁ ପ୍ରାୟ ୯ ହଜାର ଭୋଟରେ ହରାଇଛନ୍ତି । ହମୀର ଆସନରେ ବିଜେପିର ଆଶୀଷ ଶର୍ମା କଂଗ୍ରେସର ପୁଷ୍ପେନ୍ଦ୍ର ବର୍ମାଙ୍କୁ କଡ଼ା ମୁକାବିଲାରେ ୧୫୭୧ ଭୋଟରେ ହରାଇଛନ୍ତି । ପୂର୍ବରୁ ଏହି ତିନି ଆସନ ନିର୍ଦଳୀୟ ପ୍ରାର୍ଥୀଙ୍କ ପାଖରେ ଥିଲା ।

ପଶ୍ଚିମବଙ୍ଗ: ରାଜ୍ୟର ଚାରି ବିଧାନସଭା ଆସନରେ ଶାସକ ଟିଏମସି କ୍ଲିନ୍ ସ୍ୱିପ୍ କରିଛି । ରାୟଗଞ୍ଜ, ବାଗଦା, ରାଣାଘାଟ ଏବଂ ମାନିକତଲା ଆସନରେ ଟିଏମସି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ପୂର୍ବରୁ ମାନକତଲା ଆସନକୁ ଛାଡ଼ି ଅନ୍ୟ ତିନୋଟି ଆସନ ବିଜେପି ପାଖରେ ଥିଲା ।

ପଞ୍ଜାବ: ଜଳନ୍ଧର ପଶ୍ଚିମ ଆସନରୁ ଆମ ଆଦମୀ ପାର୍ଟିର ମୋହିନ୍ଦର ଭଗତ ବିଜେପି ପ୍ରାର୍ଥୀ ଶୀତଲ ଅଙ୍ଗୁରଲଙ୍କୁ ପ୍ରାୟ ୩୭ ହଜାର ଭୋଟ ବ୍ୟବଧାନରେ ହରାଇଛନ୍ତି । ପର୍ବରୁ ଏହି ଆସନ ଆମ୍ ଆଦମୀ ପାର୍ଟି ପାଖରେ ଥିଲା ଏବଂ ଶୀତଲ ଏଠାରୁ ବିଧାୟକ ଥିଲେ, କିନ୍ତୁ ପରେ ସେ ବିଜେପିରେ ସାମିଲ ହୋଇଥିଲେ । ଯେଉଁଥିରେ ପାଇଁ ଏଠାରେ ଉପନିର୍ବାଚନ ହୋଇଥିଲା ।

ବିହାର: ରୁପୌଲୀ ଆସନରେ ବଡ଼ ଓଲଟପାଲଟ ଦେଖିବାକୁ ମିଳିଛି । ଏଠାରେ ସ୍ୱାଧୀନ ପ୍ରାର୍ଥୀ ଶଙ୍କର ସିଂହ ଜେଡିୟୁ ଏବଂ ଆରଜେଡି ପରି ବଡ଼ ଦଳକୁ ପଛରେ ପକାଇ ବିଜୟୀ ହୋଇଛନ୍ତି । ଜେଡିୟୁର କଳାଧର ମଣ୍ଡଳ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଏବଂ ଅନ୍ୟପଟେ ଏହି ଆସନରୁ ବିଧାୟକ ଥିବା ବୀମା ଭାରତୀ ତୃତୀୟ ସ୍ଥାନରେ ଅଛନ୍ତି । ବୀମା ଭାରତୀ ଆରଜେଡିରେ ସାମିଲ ହେବା ପରେ ଏଠାରେ ଉପନିର୍ବାଚନ ହୋଇଥିଲା । ବୀମା ଭାରତୀ ଲୋକସଭା ନିର୍ବାଚନରେ ବି ତୃତୀୟ ସ୍ଥାନରେ ରହିଥିଲେ ।

ତାମିଲନାଡ଼ୁ: ରାଜ୍ୟର ଭିକରାବଣ୍ଡି ଆସନରେ ଶାସକ ଡିଏମସି ବିଜୟୀ ହୋଇଛି । ଡିଏମକେର ଅନ୍ନିୟୁର ଶିବା @ ଶିବାଶନମୁଗନ ପିଏମକେ ପାର୍ଟିର ଅନମ୍ୱୁମଣି.ସିଙ୍କୁ ୫୦ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି ।

ମଧ୍ୟପ୍ରଦେଶ: ଅମରୱାଡା ଆସନରେ ବିଜେପିର କମଳେଶ ଶାହ ବିଜୟୀ ହୋଇଛନ୍ତି । ୨୦୨୩ ବିଧାନସଭା ନିର୍ବାଚନରେ ଅମରୱାଡ଼ା ଆସନରେ କଂଗ୍ରେସ ବିଜୟୀ ହୋଇଥିଲା, କିନ୍ତୁ କମଳେଶ ପ୍ରତାପ ପରେ ବିଜେପିରେ ସାମିଲ ହୋଇଥିଲେ, ଯେଉଁଥି ପାଇଁ ଏହି ଆସନରେ ଉପନିର୍ବାଚନ ହୋଇଥିଲା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.