ଦୁନିଆର ଦ୍ଵିତୀୟ ସବୁଠୁ ବଡ ମୋବାଇଲ୍ ନିର୍ମାତାକାରୀ ଦେଶ ହେଲା ଭାରତ
2/06/2020 at 6:44 PM

ନୂଆଦିଲ୍ଲୀ ୦୨।୦୬: ସୋମବାର ଆଇନ୍ ଓ ନ୍ୟାୟ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଘୋଷଣା କରିଛନ୍ତି ଯେ, ଭାରତ ସଂପ୍ରତି ଦୁନିଆର ଦ୍ଵିତୀୟ ବଡ ମୋବାଇଲ ନିର୍ମାତାକାରୀ ଦେଶରେ ପରିଣତ ହୋଇଛି। ଅଦ୍ୟାବଧି ଦେଶରେ ୩୦୦ ମୋବାଇଲ ମ୍ୟାନୁଫେକଚରିଂ ୟୁନିଟ୍ ପ୍ରତିଷ୍ଠା ହୋଇ ସାରିଛି। ଏହି ସବୁ ୟୁନିଟ୍ରୁ ୩୩୦ ମିଲିୟନ ଅର୍ଥାତ ୩୦ କୋଟି ୩୦ ଲକ୍ଷ ମୋବାଇଲ ହ୍ୟାଣ୍ଡସେଟ୍ ତିଆରି ହୋଇଛି।
ଉଲ୍ଲେଖନୀୟ ୨୦୧୪ରେ ଏହି ସମୟରେ ଦେଶରେ ୬୦ ମିଲିୟନ ବା ୬ କୋଟି ସ୍ମାର୍ଟଫୋନ୍ ତିଆରି ହେଉଥିଲା। ପୁଣି ତାହା କେବଳ ଦୁଇଟି ମୋବାଇଲ୍ ମ୍ୟାନୁଫେକଚରିଂ ପ୍ଲାଣ୍ଟରୁ ଉତ୍ପାଦନ ହେଉଥିଲା। ଭାରତରେ ନିର୍ମିତ ମୋବାଇଲ ଫୋନ୍ର ମୂଲ୍ୟ ବର୍ଷ ୨୦୧୪ରେ ୩ ବିଲିୟନ ଡଲାର ରହିଥିଲା। ଅନ୍ୟପଟେ ୨୦୧୯ରେ ଏହାର ମୂଲ୍ୟ ୩୦ ବିଲିୟନ ଡଲାରକୁ ଖସି ଆସିଛି।
ସାଓମି ଇଣ୍ଡିଆର ସିଇଓ ମନୁ କୁମାର ଜୈନ ଟୁଇଟ୍ କରି କହିଛନ୍ତି, ସାଓମିର ୯୯ ପ୍ରତିଶତ ଫୋନ୍ ଭାରତରେ ହିଁ ନିର୍ମାଣ ହୋଇଛି। ଏହାର ୬୫ ପ୍ରତିଶତ ଉପକରଣ ସ୍ଥାନୀୟ ସ୍ତରରୁ ଉପଲବ୍ଧ ହେଉଛି। କମ୍ପାନୀ ପାଞ୍ଚ ବର୍ଷ ପୂର୍ବେ ଭାରତରେ ନିଜର ପ୍ରଥମ ମ୍ୟାନୁଫେକଚରିଂ ପ୍ଲାଣ୍ଟ ପ୍ରତିଷ୍ଠା କରିଥିଲା।
ଭାରତରେ ତିଆରି ହେଉଛି ଏପଲ ଆଇଫୋନ୍
ଏପଲ ଭାରତରେ ନିଜର କିଛି ଆଇଫୋନ୍ ମୋଡେଲ୍ସ ତିଆରି କରୁଛି। ଖବର ରହିଛି ଯେ, କମ୍ପାନୀ ଏବେ ନିଜର ଅଧିକାଂଶ ବ୍ୟବସାୟ ଚୀନରୁ ଭାରତକୁ ସ୍ତାନାନ୍ତର କରିବାକୁ ଚାହୁଁଛି। ମାତ୍ର ଏହା ଏବେ ସୁନିଶ୍ଚିତ ହୋଇ ନାହିଁ।

ନୋଏଡାରେ ଦୁନିଆର ଦ୍ଵିତୀୟ ବଡ ସାମସଙ୍ଗ ମୋବାଇଲ୍ ଫ୍ୟାକ୍ଟ୍ରି
ସାମସଙ୍ଗ ନୋଏଡାରେ ଦୁନିଆର ଦ୍ଵିତୀୟ ବଡ ମୋବାଇଲ ନିର୍ମାଣକାରୀ ଫ୍ୟାକ୍ଟ୍ରି ପ୍ରତିଷ୍ଠା କରିଛି। ଏଠାରୁ ଅନେକ ପ୍ରକାରର ସ୍ମାର୍ଟଫୋନ୍ ତିଆରି ହେଉଛି। କୁହାଯାଉଛି ଯେ, ଅନ୍ୟ କମ୍ପାନୀ ମଧ୍ୟ ଭାରତରେ ଧିରେ ଧିରେ ସ୍ମାର୍ଟଫୋନ୍ ତିଆରି କରିବା କାମ ଆରମ୍ଭ କରି ପାରନ୍ତି।