୨୦୩୬ ଅଲିମ୍ପିକ ପାଇଁ ଭାରତ ପ୍ରସ୍ତୁତ, IOAକୁ ସମର୍ଥନ କରିବ ସରକାର: ଅନୁରାଗ ଠାକୁର

Published By : Prameya-News7 Bureau | December 28, 2022 IST

ନୂଆଦିଲ୍ଲୀ: ୨୦୩୬ ଅଲିମ୍ପିକ ଆୟୋଜନ ପାଇଁ ନିଲାମରେ ବିଡିଂ କରିବାକୁ ପ୍ରସ୍ତୁତ ଭାରତ। କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଭାରତ ୨୦୩୬ରେ ଖେଳାଯିବାକୁ ଥିବା ଅଲିମ୍ପିକ କ୍ରୀଡାର ଆୟୋଜନ ପାଇଁ ବିଡିଂ ଦାଖଲ କରିବ। ୨୦୨୩ ଡିସେମ୍ବରରେ ମୁମ୍ବାଇରେ ଆଇଓସିର ବୈଠକ ସମୟରେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି(ଆଇଓସି)ର ପୂର୍ଣ୍ଣକାଳୀନ ସଦସ୍ୟଙ୍କ ଉପସ୍ଥିତିରେ ଏ ନେଇ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯିବ। କେବଳ ଏତିକି ନୁହେଁ ଯଦି ଅଲିମ୍ପିକ ଆୟୋଜର ଅଧିକାର ଭାରତକୁ ମିଳେ ତେବେ ଗୁଜରାଟର ଅହମ୍ମଦାବାଦ ସହର ଏହାର ପ୍ରମୁଖ ଆୟୋଜନ ସହର ରହିବ ବୋଲି ଅନୁରାଗ ଠାକୁର ସଙ୍କେତ ଦେଇଛନ୍ତି।

ଟାଇମ୍ସ ଅଫ ଇଣ୍ଡିଆର ଖବର ଅନୁଯାୟୀ, ଅନୁରାଗ ଠାକୁର କହିଛନ୍ତି, ଭାରତ ସରକାର ଅଲିମ୍ପିକ କ୍ରୀଡାର ଆୟୋଜନ ପାଇଁ ଭାରତୀୟ ଅଲିମ୍ପିକ ସଂଘର ବିଡିଂକୁ ସମର୍ଥନ କରିବ ଏବଂ ଅଲିମ୍ପିକ ୨୦୩୬ ପାଇଁ ଗୁଜରାଟର ଅହମ୍ମଦାବାଦ ଆୟୋଜକ ସହର ପାଲଟିବ। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଭାରତ ପୂର୍ବରୁ ୧୯୮୨ ଏସୀୟ କ୍ରୀଡା ଏବଂ ୨୦୧୦ରେ ରାଜ୍ୟଗୋଷ୍ଠୀ କ୍ରୀଡାର ଆୟୋଜନ କରିସାରିଛି। ଏବେ ପରବର୍ତ୍ତୀ ମିଶନ ଗ୍ରୀଷ୍ମକାଳୀନ ଅଲିମ୍ପିକ ରହିଛି।

ଠାକୁର କହିଛନ୍ତି, ଯଦି ଭାରତ ଏତେ ବଡଧରଣରେ ଜି-୨୦ର ଆୟୋଜନ କରି ପାରୁଛି ତେବେ ମୋତେ ବିଶ୍ଵାସ ଯେ ସରକାର ଅଲିମ୍ପିକ ଆସୋସିଏସନ ସହ ମିଶି ଦେଶରେ ଅଲିମ୍ପିକର ଆୟୋଜନ କରି ପାରିବେ। ସମସ୍ତେ ଜାଣିଛନ୍ତି ଯେ, ୨୦୩୨ ପର୍ଯ୍ୟନ୍ତ ଆୟୋଜନର ସ୍ଲଟ୍ ବୁକିଂ ହୋଇ ସାରିଛି। ମାତ୍ର ୨୦୩୬ ପାଇଁ ଆମେ ଆଶାବାଦୀ ଯେ, ଭାରତ ଅଲିମ୍ପିକ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତି କରିବ ଏବଂ ବିଡିଂରେ ସାମିଲ୍ ହେବ। ଏହାକୁ ନେଇ ଭାରତ ସରକାର ଗମ୍ଭୀରତାର ସହ ବିଚାର କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.