ତାଇଓ୍ଵାନ ଉପରେ ଭାରତୀୟ ଗଣମାଧ୍ୟମର ଖବର ପ୍ରସାରଣ ଦେଖି ଚିହିଁକି ଉଠିଲା ଚୀନ, କହିଲା- ନିଆଁ ସହ ଖେଳୁଛି ଭାରତ

Published By : Prameya-News7 Bureau | October 13, 2020 IST

ନୂଆଦିଲ୍ଲୀ ୧୩।୧୦: ତାଇଓ୍ଵାନ ଜାତୀୟ ଦିବସର ଖବରକୁ ଭାରତୀୟ ଗଣମାଧ୍ୟମ ପ୍ରସାରଣ କରିବା ଚୀନ ସହଜେ ହଜମ କରି ପାରିନାହିଁ। ଚୀନ ସରକାରର ମୁଖପତ୍ର ଗ୍ଲୋବାଲ୍ ଟାଇମ୍ସ ନିଜ ଲେଖାରେ ଭାରତ-ଚୀନ ମଧ୍ୟରେ ସୀମା ବିବାଦ, ଭାରତ-ଆମେରିକା ବନ୍ଧୁତ୍ଵ ସମେତ ଅନେକ ପ୍ରସଙ୍ଗ ଉଲ୍ଲେଖ କରିଛି। ବିଶେଷ କରି ଚୀନ ତାଇଓ୍ଵାନ ପ୍ରସଙ୍ଗରେ ହିନ୍ଦୁସ୍ଥାନ ଟାଇମ୍ସରେ ପ୍ରକାଶିତ ସଂପାଦକୀୟ ‘ଏ ରିମାଇଣ୍ଡର ଫର ଚାଇନା: ଇଣ୍ଡିଆ ଇଜ ଫ୍ରି’କୁ ନେଇ ଚିହିଁକି ଉଠିଛି। ଗ୍ଲୋବାଲ୍ ଟାଇମ୍ସ ଲେଖିଛି, ଏହି ସଂପାଦକୀୟରେ ତାଇଓ୍ଵାନର ଜାତୀୟ ଦିବସର ଉତ୍ସବ ପାଳନ କରିଥିବା କିଛି ଭାରତୀୟ ଗଣମାଧ୍ୟମଙ୍କ ପ୍ରସାରଣକୁ ଉଚିତ୍ ଦର୍ଶାଇବାକୁ ଚେଷ୍ଟା କରିଛି।

ଚୀନର ବିଶ୍ଳେଷକ ଲି କିଙ୍ଗକିଙ୍ଗ ଦ୍ଵାରା ଗ୍ଲୋବାଲ୍ ଟାଇମ୍ସରେ ଲେଖା ହୋଇଥିବା ସଂପାଦକୀୟେ କୁହାଯାଇଛି ଯେ, ଚୀନ ଅନ୍ୟ ଦେଶକୁ ନିଜ ସାର୍ବଭୌମତ୍ଵ ବିଷୟରେ ଭୁଲ୍ କହିବାକୁ ଅନୁମତି ଦେବ ନାହିଁ। ଅନ୍ୟ ଦେଶର ତାଇଓ୍ଵାନ ଗଣତନ୍ତ୍ର କିମ୍ବା ସ୍ଵାଧୀନତାରେ କୌଣସି ସଂପର୍କ ନାହିଁ। ଭାରତ ଗୋଟିଏ ଚୀନ ନୀତିକୁ ମାନ୍ୟତା ଦେଇଛି ଏବଂ ଏହା ଚୀନ-ଭାରତର ସଂପର୍କର ମୂଳଦୁଆ। କିଛି ଭାରତୀୟ ଗଣମାଧ୍ୟମ ତାଇଓ୍ଵାନ ଜାତୀୟ ଦିବସର ଉତ୍ସବ ପାଳନ କରି ଓ୍ଵାନ-ଚାଇନା ନୀତିକୁ ରଦ୍ଦ କରି ଦେଇଛନ୍ତି। ଏମିତି କରି ଭାରତ ନିଆଁ ସହ ଖେଳୁଥିବା ଗ୍ଲୋବାଇଲ୍ ଟାଇମ୍ସ କହିଛି।

ଏହା ମଧ୍ୟ କୁହାଯାଇଛି ଚୀନ-ଭାରତ ସୀମା ଉତ୍ତେଜନା ସମୟରେ କିଛି ଭାରତୀୟ ଗଣମାଧ୍ୟମ ତାଇଓ୍ଵାନ ପ୍ରସଙ୍ଗକୁ ବହୁତ ଜୋରସୋରରେ ଉପସ୍ଥାପିତ କରୁଛନ୍ତି। ସେପ୍ଟେମ୍ବର ମାସରେ ଭାରତୀୟ ଗଣମାଧ୍ୟମ ପ୍ରକାଶିତ କରିଥିଲା ଯେ, ତାଇଓ୍ଵାନ ପିପୁଲ୍ସ ଲିବେରେସନ ଆର୍ମିର ଏକ ଏସୟୁ-୩୫ ଲଢୁଆ ଜେଟ୍‌କୁ ମାରି ଖସାଇ ଦେଇଛି। ଯାହାକୁ ଚୀନ ଖଣ୍ଡନ କରିଛି। ଗ୍ଲୋବାଲ ଟାଇମ୍ସ ଲେଖିଛି ଭାରତୀୟ ଗଣମାଧ୍ୟମ ତାଇଓ୍ଵାନର ବିଚ୍ଛିନ୍ନତାବାଦୀ ଶକ୍ତିଙ୍କୁ ମୁଣ୍ଡରେ  ବସାଇ ରଖିଛି। ଏହା ଚୀନ-ଭାରତ ସଂପର୍କକୁ ବିଷାକ୍ତ କରୁଛି ବୋଲି ଗ୍ଲୋବାଲ ଟାଇମ୍ସ ଲେଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.