ଆଇସିସି ଟେଷ୍ଟ ମାନ୍ୟତାରେ ପୁଣି ଥରେ ଶୀର୍ଷକୁ ଉଠିଲା ଭାରତ, ଅଷ୍ଟ୍ରେଲିଆକୁ ପଛରେ ପକାଇଲା

Published By : Prameya-News7 Bureau | January 17, 2023 IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ମଙ୍ଗଳବାର ସଦ୍ୟତମ ଟେଷ୍ଟ ମାନ୍ୟତା ଜାରି କରିଛି। ଏଥିରେ ଭାରତୀୟ ଦଳ ଉପକୃତ ହେବା ସହ ପୁଣି ଥରେ ଶୀର୍ଷ ସ୍ଥାନ ଦଖଲ କରିଛି। ଭାରତ ଅଷ୍ଟ୍ରେଲିଆକୁ ପଛରେ ପକାଇ ଏକ ନମ୍ବର ସ୍ଥାନରେ ପହଞ୍ଚିଛି। ଭାରତର ରେଟିଂ ପଏଣ୍ଟ ୧୧୫ ଥିବା ବେଳେ ଅଷ୍ଟ୍ରେଲିଆର ରେଟିଂ ପଏଣ୍ଟ ୧୧୧ ରହିଛି। ଭାରତ ଶେଷ ଟେଷ୍ଟ ଶୃଙ୍ଖଳା ଡିସେମ୍ବରରେ ବାଂଲାଦେଶ ବିପକ୍ଷରେ ଖେଳିଥିଲା। ଉକ୍ତ ଶୃଙ୍ଖଳାକୁ ଦଳ ୨-୦ରେ ଜିତିଥିଲା। ଅନ୍ୟପକ୍ଷେ ଅଷ୍ଟ୍ରେଲିଆ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ୨-୦ରେ ଜିତି ନେଇଥିଲା।

ଗତ କିଛି ସମୟରୁ ଆକ୍ରମଣାତ୍ମକ ଶୈଳୀରେ ଟେଷ୍ଟ କ୍ରିକେଟ୍ ଖେଳୁଥିବା ଇଂଲଣ୍ଡ ମାନ୍ୟତାରେ ତୃତୀୟ ସ୍ଥାନରେ ରହିଛି। ଦଳର ରେଟିଂ ପଏଣ୍ଟ ୧୦୬ ରହିଛି। ୧୦୦ ରେଟିଂ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ଚତୁର୍ଥ ସ୍ଥାନରେ ରହିଛି। ଦକ୍ଷିଣ ଆଫ୍ରିକା(୮୫) ପଞ୍ଚମ ଏବଂ ଓ୍ଵେଷ୍ଟଇଣ୍ଡିଜ(୭୯) ଷଷ୍ଠରେ ଅଛନ୍ତି। ପାକିସ୍ତାନ ୭୭ ରେଟିଂ ପଏଣ୍ଟ ସହ ସପ୍ତମରେ ଥିବା ବେଳେ ଶ୍ରୀଲଙ୍କା(୭୧), ବାଂଲାଦେଶ(୪୬) ଏବଂ ଜିମ୍ବାଓ୍ଵେ(୨୫) କ୍ରମଶଃ ଅଷ୍ଟମ, ନବମ ଏବଂ ଦଶମ ସ୍ଥାନରେ ଅଛନ୍ତି।

ଭାରତୀୟ ଦଳ ନିକଟରେ ତିନି ଫର୍ମାଟ୍‌ରେ ଶୀର୍ଷରେ ରହିବାର ବଡ ସୁଯୋଗ ରହିଛି। ଭାରତ ଟେଷ୍ଟ ବ୍ୟତୀତ ଟି-୨୦ ଅନ୍ତର୍ଜାତୀୟ ମାନ୍ୟତାରେ ପ୍ରଥମ ସ୍ଥାନରେ ରହିଛି। ଯଦି ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୩-୦ରେ ଜିତି ନିଏ ତେବେ ଦିନିକିଆ ମାନ୍ୟତାରେ ପ୍ରଥମ ସ୍ଥାନରେ ପହଞ୍ଚିଯିବ। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ଶୃଙ୍ଖଳା ଜାନୁଆରୀ ୧୮ରୁ ଆରମ୍ଭ ହେବ। ନ୍ୟୁଜିଲାଣ୍ଡ ୧୧୭ ରେଟିଂ ପଏଣ୍ଟ ସହ ଦିନିକିଆ ମାନ୍ୟତାରେ ପ୍ରଥମ ସ୍ଥାନରେ ରହିଛି। ଭାରତ ୧୧୦ ରେଟିଂ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଥିବା ବେଳେ ଇଂଲଣ୍ଡ(୧୧୩) ଦ୍ଵିତୀୟ ଏବଂ ଅଷ୍ଟ୍ରେଲିଆ(୧୧୨) ତୃତୀୟ ସ୍ଥାନରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.