‘ହିନ୍ଦୁ ଅଭିବୃଦ୍ଧି ହାର’ ନିକଟତର ହୋଇଛି ଭାରତ, ସତର୍କ କରାଇଲେ ପୂର୍ବତନ ଆରବିଆଇ ଗଭର୍ଣ୍ଣର
5/03/2023 at 10:47 PM

ନୂଆଦିଲ୍ଳୀ, ୦୫/୦୩: ଭାରତ ‘ହିନ୍ଦୁ ଅଭିବୃଦ୍ଧି ହାର’ର ନିକଟବର୍ତ୍ତୀ ହୋଇଛି। ରବିବାର ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଏଭଳି ସତର୍କ କରାଇଛନ୍ତି। ସେ କହିଛନ୍ତି ଘରୋଇ କ୍ଷେତ୍ରରେ ନିବେଶ ହ୍ରାସ, ଉଚ୍ଚ ସୁଧ ହାର ଏବଂ ବୈଶ୍ବିକ ବିକାଶ ଦର କାରଣରୁ ଭାରତ ହିନ୍ଦୁ ବୃଦ୍ଧି ହାରର ନିକଟବର୍ତ୍ତୀ ହୋଇଛି।
ସେ କହିଛନ୍ତି ଗତ ମାସରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ଦ୍ବାରା ଜାରି ଜାତୀୟ ଆୟର ତାଜା ଅନୁମାନରୁ ଜଣାପଡ଼ୁଛି ଯେ ତ୍ରୈମାସିକରେ ବୃଦ୍ଧିରେ କ୍ରମାଗତ ମାନ୍ଦାବସ୍ଥା ଆର୍ଥିକ ବିକାଶ ପାଇଁ ବେଶ୍ ଚିନ୍ତାଜନକ। ତଥ୍ୟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ଜିଡିପି, ଦ୍ବିତୀୟ ତ୍ରୈମାସିକରେ ୬.୩ ପ୍ରତିଶତ ଏବଂ ପ୍ରଥମ ତ୍ରୈମାସିକରେ ୧୩.୨ ପ୍ରତିଶତରୁ ଖସି ୪.୪ ପ୍ରତିଶତ ହୋଇଛି। ଯେତେବେଳେକି ଗତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ଅଭିବୃଦ୍ଧି ହାର ୫.୨ ପ୍ରତିଶତ ଥିଲା।
କ୍ରମାଗତ ମାନ୍ଦାବସ୍ଥା ଚିନ୍ତାର କାରଣ:
ରଘୁରାମ ରାଜନ କହିଛନ୍ତି ଯେ କ୍ରମାଗତ ମାନ୍ଦାବସ୍ଥା ଚିନ୍ତାର କାରଣ ପାଲଟିଛି। ଘରୋଇ କ୍ଷେତ୍ର ନିବେଶ କରିବାକୁ ପ୍ରସ୍ତୁତ ନାହାଁନ୍ତି। ଆରବିଆଇ ଏବେବି ଦର ବୃଦ୍ଧି କରୁଛି ଏବଂ ବୈଶ୍ବିକ ବିକାଶ ଚଳିତ ବର୍ଷ ଧୀମେଇବା ନେଇ ସମ୍ଭାବନା ରହିଛି। ସବୁଠୁ ବଡ଼ ପ୍ରଶ୍ନ ହେଉଛି ଯେ ଆର୍ଥିକ ବର୍ଷ ୨୦୨୩-୨୪ ରେ ଭାରତୀୟ ବିକାଶ ହାର କ’ଣ ରହିବ। ସେ ଏହା ମଧ୍ୟ କହିଛନ୍ତି ଯଦି ଆମେ ପାଞ୍ଚ ପ୍ରତିଶତ ବୃଦ୍ଧି ହାସଲ କରୁଛୁ ତେବେ ଆମେ ଭାଗ୍ୟଶାଳୀ ହେବୁ।
୧୯୪୭ ରେ ଦେଶ ଯେତେବେଳେ ସ୍ବାଧୀନ ହୋଇଥିଲା ସେତେବେଳେ ଦେଶର ଆର୍ଥିକ ଭାବରେ ବହୁତ ପଛରେ ରହିଥିଲା। ଦେଶରେ ଗରିବୀ ବଢ଼ିଥିଲା ଏବଂ ସାମଗ୍ରୀ ଅଭାବ ରହିଥିଲା। ଏମିତିରେ ୧୯୫୧ ରୁ ୧୯୮୦ ପର୍ଯ୍ୟନ୍ତ ପ୍ରାୟ ତିନି ଦଶନ୍ଧି ଧରି ଦେଶର ବିକାସ ଦର ଧୀମା ରହିଥିଲା। ଦୋରେ ହାରାହାରି ବିକାଶ ହାର ପ୍ରାୟ ୪ ପ୍ରତିଶତ ରହିଥିଲା। ଏମିତିରେ ସେହି ସମୟରେ ପ୍ରସିଦ୍ଧ ଅର୍ଥଶାସ୍ତ୍ରୀ ରାଜ କୃଷ୍ଣ ୧୯୭୮ରେ ଧୀର ବିକାଶ ଦରକୁ ‘ହିନ୍ଦୁ ବୃଦ୍ଧି ହାର’ ନାମ ଦିଆଯାଇଥିଲା।