ରୁଷଠୁ ରିହାତି ଦରରେ ତେଲ କିଣୁଛି ଭାରତ, ଆମେରିକା କଟକଣାର ଉଲ୍ଲଂଘନ ହେଉନି ତ ? ଜବାବ ଦେଲା ହ୍ଵାଇଟ୍ ହାଉସ୍

Published By : Prameya-News7 Bureau | March 16, 2022 IST

ନୂଆଦିଲ୍ଲୀ ୧୬।୦୩: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି। ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନାହିଁ। ଅନ୍ୟପଟେ ରୁଷ ଉପରେ ଆମେରିକା ସହିତ ସମସ୍ତ ପାଶ୍ଚାତ୍ୟ ଦେଶ ଗୁଡିକ ଦ୍ଵାରା କଟକଣା ଲଗାଯାଇଛି। ଏମିତି ସମୟରେ ଭାରତ ରୁଷଠୁ ଶସ୍ତାରେ ତେଲ କିଣୁଛି। ତେବେ ଭାରତର ଏହି ପଦକ୍ଷେପ କଣ ଆମେରିକା କଟକଣାର ଉଲ୍ଲଂଘନ କରୁଛି କି ?

ଏହି ପ୍ରଶ୍ନକୁ ନେଇ ନିଜେ ଆମେରିକା ସ୍ପଷ୍ଟ ଉତ୍ତର ରଖିଛି। ହ୍ଵାଇଟ୍ ହାଉସ୍ କହିଛି, ଭାରତ ରୁଷଠୁ ରିହାତି ମୂଲ୍ୟରେ ଅଶୋଧିତ ତୈଳ କିଣିବାରେ ଆମେରିକା କଟକଣାର ଉଲ୍ଲଂଘନ ହେବ ନାହିଁ। ହ୍ଵାଇଟ୍ ହାଉସର ପ୍ରେସ ସଚିବ ଜେନ ସାକି ଦୈନିକ ସାମ୍ବାଦିକ ସମ୍ମିଳନୀରେ ମଙ୍ଗଳବାର କହିଛନ୍ତି, କୌଣସି ବି ଦେଶ ପାଇଁ ଆମର ସନ୍ଦେଶ ଏହା ଯେ, ଆମେ ଯେଉଁ ପ୍ରତିବନ୍ଧକ  ଲଗାଇଛୁ ତାର ପାଳନ କରନ୍ତୁ।

କିନ୍ତୁ ଭାରତ ରୁଷଠୁ ରିହାତି ମୂଲ୍ୟରେ ଅଶୋଧିତ ତୈଳ କିଣିବା ଆମ କଟକଣା ନୀତିର ଉଲ୍ଲଂଘନ ନୁହେଁ ବୋଲି ସାକି କହିଛନ୍ତି। ମାତ୍ର ଏହା ଉପରେ ମଧ୍ୟ  ନଜର ପକାଇବା ଉଚିତ୍ ଯେ, ବର୍ତ୍ତମାନ ସଂଦର୍ଭରେ ଆପଣ ଇତିହାସରେ ନିଜର ନାମକୁ କେଉଁ ହିସାବରେ ଦେଖିବାକୁ ଚାହିଁବେ। ରୁଷ ନେତୃତ୍ଵକୁ ସମର୍ଥନ ଦେବା ଅର୍ଥ ଜଣେ ଆକ୍ରମଣକାରୀଙ୍କୁ ସମର୍ଥନ କରିବା। ରୁଷର ସ୍ପଷ୍ଟ ଉଦ୍ଦେଶ୍ୟ ବିନାଶକାରୀ ବୋଲି ସେ କହିଛନ୍ତି।

ଭାରତ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ସମର୍ଥନ କରି ନାହିଁ। ଭାରତର କହିବା କଥା ଆଲୋଚନା ଜରିଆରେ ସବୁ ବାଦ ବିବାଦର ସମାଧାନ କରାଯିବା ଉଚିତ୍। ଭାରତ ରୁଷ ବିରୋଧରେ ମିଳିତ ଜାତିସଂଘରେ ପ୍ରସ୍ତାବ ଉପରେ ମତଦାନରୁ ଦୂରେଇ ରହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.