ନୂଆଦିଲ୍ଲୀ: ପାକିସ୍ତାନ ଓ ଚୀନକୁ ଚେକ୍ ଦେବାକୁ ଇରାନ ସହ ଭାରତର ଡିଲ୍। ଚାବାହାର ବନ୍ଦରରେ ସହିଦ ବେହେସ୍ତି ଟର୍ମିନାଲର ପରିଚାଳନା ପାଇଁ ସୋମବାର ଇରାନ ସହ ଚୁକ୍ତି ସ୍ୱାକ୍ଷର କରିଛି ଭାରତ। ଏହି ଚୁକ୍ତି ସହ ଭାରତ ନିଜ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର କରାଚୀ ଓ ଗ୍ୱାଦର ବନ୍ଦରରେ ଚୀନ ସହଯୋଗରେ ହେଉଥିବା ବିକାଶକୁ ଚେକ୍ ଦେବାକୁ ଚେଷ୍ଟା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୟସ୍ୱାଲ ଏହି ଚୁକ୍ତିକୁ ଐତିହାସିକ ବୋଲି କହିଛନ୍ତି।
ଏହି ଚୁକ୍ତି ଦ୍ୱାରା ପଡ଼ୋଶୀ ଏସିଆ ଦେଶଗୁଡ଼ିକରେ ଭାରତର ଉପସ୍ଥିତି ମଜଭୁତ ହେବ। ଏଥିସହିତ ପଡ଼ୋଶୀମାନଙ୍କ ସହ ବ୍ୟବସାୟ କରିବାରେ ସହଜ ହେବ। ଯଦିଓ ଆମେରିକାର ପ୍ରତିବନ୍ଧକ ଇରାନର ଏହି ବନ୍ଦରର ବିକାଶ ଦିଗରେ ବାଧା ସୃଷ୍ଟି କରୁଛି ହେଲେ ଭାରତ ସହାଯ୍ୟରେ ଇରାନ ଏହାର ବିକାଶ କରିବା ଉଦ୍ଦେଶ୍ୟରେ ରହିଛି।
ଇଣ୍ଡିଆ ପୋର୍ଟ ଗ୍ଲୋବାଲ ଲିମିଟିଡେ୍ ଏବଂ ପୋର୍ଟ ଆଣ୍ଡ ମାରିଟାଇମ୍ ଅର୍ଗାନାଇଜେସନ ଅଫ୍ ଇରାନ୍ ମଧ୍ୟରେ ଏହି ଚୁକ୍ତି ହୋଇଛି। ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରୀ ସରବାନନ୍ଦ ସୋନୋୱାଲଙ୍କ ଉପସ୍ଥିତିରେ ଏହି ଚୁକ୍ତି ହୋଇଥିବା ଇରାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏକ୍ସରେ ପୋଷ୍ଟ କରି ସୂଚନା ଦିଆଯାଇଛି। ଏହି ଚୁକ୍ତି ସମ୍ପର୍କରେ ମନ୍ତ୍ରୀ ସୋନୋୱାଲ କହିଛନ୍ତି “ଏହି ଚୁକ୍ତିରେ ହସ୍ତାକ୍ଷର କରିବା ସହିତ ଚାବାହାରରେ ଭାରତର ଦୀର୍ଘକାଳୀନ ସାମିଲ୍ କରିବାର ଭିତ୍ତିପ୍ରସ୍ତର ସ୍ଥାପନା କଲୁ।”
ମନ୍ତ୍ରୀଙ୍କ ଅନୁସାରେ, ଚାବାହାର କେବଳ ଭାରତର ନିକଟତର ବନ୍ଦର ନୁହେଁ, ବରଂ ସାମୁଦ୍ରିକ ବ୍ୟବସାୟ ଦୃଷ୍ଟିରୁ ଏହା ଗୁରୁତ୍ୱପୂର୍ଣ୍ଣ ମଧ୍ୟ। ଏହି ଚୁକ୍ତି ସହିତ ଭାରତ ପ୍ରଥମ ଥର ପାଇଁ କୌଣସି ଅନ୍ୟ ଦେଶର ବନ୍ଦର ପରିଚାଳନା କରିବାକୁ ଯାଉଛି। ଇରାନ ଦକ୍ଷିଣ ଉପକୂଳ ସିସ୍ତାନ-ବଲୋଚିସ୍ତାନ ରାଜ୍ୟରେ ଥିବା ଚାବାହାର ପୋର୍ଟ ଭାରତ ସହଯୋଗରେ ବିକଶିତ ହେଉଛି। ଇରାନ ଭାରତ ସହ ଉଭୟ ଯୋଗାଯୋଗ ଓ ବାଣିଜ୍ୟିକ ସମ୍ପର୍କ ମଜଭୁତ କରିବାକୁ ଯାଉଛି।
ଆଞ୍ଚଳିକ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ସହ ବିଶେଷ କରି ଆଫଗାନିସ୍ତାନ ସହ ସଂଯୋଗ ପାଇଁ ଭାରତ ଚାବାହାର ପୋର୍ଟ ପାଇଁ ଜୋର୍ ଦେଉଥିଲା। ବିଶେଷ କରି ଆଇଏନ୍ଏସ୍ଟିସି(INSTC) ପ୍ରୋଜେକ୍ଟ ପାଇଁ ଉଭୟ ଭାରତ ଓ ଇରାନ ଏହି ବନ୍ଦରରୁ ଏକ ମୁଖ୍ୟ ହବ୍ ଭାବେ ଦେଖୁଛନ୍ତି। ଆଇଏନ୍ଏସ୍ଟିସି ହେଉଛି ୭,୨୦୦ କିମି ଲମ୍ବା ବହୁପକ୍ଷୀ ପରିବହନ ପ୍ରୋଜେକ୍ଟ। ଏହାଦ୍ୱାରା ଭାରତ, ଇରାନ, ଆଫଗାନିସ୍ତାନ, ଆର୍ମେନିଆ, ଅଜରବେଜାନ, ଋଷ, ସେଣ୍ଟ୍ରାଲ ଏସିଆ ଓ ୟୁରୋପ ମଧ୍ୟରେ ସହଜରେ ମାଲ ପରିବହନ ହୋଇପାରିବ। ତେଣୁ ସେହି ଦୃଷ୍ଟିରୁ ଭାରତ ପାଇଁ ଚାବାହାର ପୋର୍ଟ ଖୁବ୍ ଗୁରୁତ୍ୱପୂର୍ଣ୍ଣ।
ଚାବାହାର ପୋର୍ଟର ବିକାଶ ପାଇଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଇରାନ ସହ ଯୋଗାଯୋଗ ବଢ଼ାଇବା ଉଦ୍ଦେଶ୍ୟରେ ଭାରତ ଏହି ବନ୍ଦର ବିକାଶ କରୁଛି।