SCO ସମ୍ମିଳନୀ ପାଇଁ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲା ଭାରତ, ଏପ୍ରିଲ୍ରେ ବୈଠକ
15/03/2023 at 5:37 PM

ନୂଆଦିଲ୍ଲୀ: ଭାରତ ଆସନ୍ତା ଏପ୍ରିଲରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ(ଏସସିଓ)ର ବୈଠକରେ ଯୋଗ ଦେବା ପାଇଁ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ଵାଜା ଆସିଫଙ୍କୁ ଆମନ୍ତ୍ରିତ କରିଛି। ଏସସିଓର ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ସଦସ୍ୟ ଦେଶକୁ ଆନୁଷ୍ଠନିକ ଭାବେ ଆମନ୍ତ୍ରିତ କରାଯାଇଛି। ଏସସିଓର ସଦସ୍ୟ ଦେଶ ଭାବେ ଭାରତ, ଚୀନ, କାଜାକିସ୍ତାନ, କିର୍ଗିସ୍ତାନ, ପାକିସ୍ତାନ, ରୁଷ, ତାଜାକିସ୍ତାନ ଏବଂ ଉଜବେକିସ୍ତାନ ସାମିଲ୍। ବର୍ତ୍ତମାନ ଏହି ସଂଗଠନର ଅଧ୍ୟକ୍ଷତା ଦାୟିତ୍ଵ ଭାରତ ନିକଟରେ ରହିଛି।
ସରକାରୀ ସୂତ୍ର ଅନୁଯାୟୀ, ଭାରତ ସରକାର ମଙ୍ଗଳବାର ଆନୁଷ୍ଠନିକ ଭାବେ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟକୁ ବୈଠକରେ ଯୋଗ ଦେବା ପାଇଁ ଆମନ୍ତ୍ରିତ କରିଛି। ତେବେ ଏହା ଉପରେ ଭାରତ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହିଁ। ଏହା ପୂର୍ବରୁ ଭାରତ ଏସସିଓର ପ୍ରଧାନ ବିଚାରପତିଙ୍କ ବୈଠକରେ ଭାଗ ନେବା ପାଇଁ ପାକିସ୍ତାନର ପ୍ରଧାନ ବିଚାରପତି ଉମର ଅତା ବନ୍ଦିୟାଲଙ୍କୁ ମଧ୍ୟ ଆମନ୍ତ୍ରିତ କରିଥିଲା। ଏପରିକି ବୈଦେଶିକ ମନ୍ତ୍ରୀଙ୍କ ବୈଠକ ପାଇଁ ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଛି।
ତେବେ ପାକିସ୍ତାନର ପ୍ରଧାନ ବିଚାରପତି ଚିଫ୍ ଜଷ୍ଟିସ୍ଙ୍କ ବୈଠକରେ ଯୋଗ ଦେଇନଥିଲେ। ତାଙ୍କ ବଦଳରେ ଜଷ୍ଟିସ ମୁନିବ ଅଖତର ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ୍ ହୋଇଥିଲେ। ଏସସିଓର ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ଏପ୍ରିଲରେ ହେଉଥିବା ବେଳେ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ମେ ମାସରେ ଗୋଆରେ ଆୟୋଜିତ ହେବ।
ପାକିସ୍ତାନ ସରକାରଙ୍କ କହିବା କଥା ଅଦ୍ୟାବଧି ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ଯେ, ବୈଦେଶିକ ମନ୍ତ୍ରୀ ବିଲାଓ୍ଵଲ ଭୁଟ୍ଟୋ କିମ୍ବା ପ୍ରତିରକ୍ଷା ମନ୍ତ୍ରୀ ଆସିଫ ଭାରତରେ ହେବାକୁ ଥିବା ବୈଠକରେ ଯୋଗ ଦେବେ କି ନାହିଁ।
ଭାରତ ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ବ୍ୟତୀତ ଚୀନର ବୈଦେଶିକ ମନ୍ତ୍ରୀ କିନ ଗାଙ୍ଗଙ୍କୁ ଏସସିଓ ବୈଠକରେ ଯୋଗ ଦେବାକୁ ଆମନ୍ତ୍ରିତ କରିଛି। ତେବେ ସମୟ ଆସିଲେ ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ପାକିସ୍ତାନ କହିଛି। ଯଦି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବ୍ୟକ୍ତିଗତ ଭାବେ ଏହି ବୈଠକରେ ଯୋଗ ଦିଅନ୍ତି ତେବେ ୨୦୧୧ ପରେ ଏହା କୌଣସି ପାକିସ୍ତାନୀ ବୈଦେଶିକ ମନ୍ତ୍ରୀଙ୍କ ପ୍ରଥମ ଭାରତ ଗସ୍ତ ହେବ।
ଏ ଖବର ପଢନ୍ତୁ- ଇମରାନ୍ ଖାନ୍ଙ୍କୁ ସାମୟିକ ଆଶ୍ବସ୍ତି, ଗିରଫ ଓ୍ବାରେଣ୍ଟ ଉପରେ ରୋକ୍ ଲଗାଇଲେ ଲାହୋର ହାଇକୋର୍ଟ
କଣ ଏହି ଏସସିଓ ?
ଏସସିଓର ସ୍ଥାପନା ୨୦୦୧ ଜୁନ ୧୫ରେ ହୋଇଥିଲା। ଏହାର ପ୍ରତିଷ୍ଠାତା ସଦସ୍ୟଙ୍କ ମଧ୍ୟରେ ଆର୍ଥିକ, ରାଜନୈତିକ ଏବଂ ସାମରିକ ସହଯୋଗ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ଏବଂ ବିଚାର ବିମର୍ଶ କରାଯାଏ। ସଂଗଠନର ସଦସ୍ୟ ଦେଶ ଭାବେ ଭାରତ, ଚୀନ, କାଜାକିସ୍ତାନ, କିର୍ଗିସ୍ତାନ, ପାକିସ୍ତାନ, ରୁଷ, ତାଜାକିସ୍ତାନ ଏବଂ ଉଜବେକିସ୍ତାନ ସାମିଲ୍।