ଗିଲ୍ଙ୍କ ପରେ କୋହଲିଙ୍କ ବିରାଟ ଶତକ, ଶ୍ରୀଲଙ୍କାକୁ ୩୯୧ ରନର ବିଶାଳ ଲକ୍ଷ୍ୟ ଦେଲା ଭାରତ
15/01/2023 at 5:30 PM

ତିରୁଅନନ୍ତପୁରମ: ପୁଣି ଥରେ ବିରାଟ କୋହଲିଙ୍କ ବ୍ୟାଟ୍ରୁ ରନ ବର୍ଷା। କିଙ୍ଗ କୋହଲିଙ୍କ ଆଗରେ ନିଷ୍ପ୍ରଭ ହୋଇଛନ୍ତି ସିଂହଳୀ ବୋଲର। ତିରୁଅନନ୍ତପୁରମର ଗ୍ରୀନଫିଲ୍ଡ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଭାରତ ବିରାଟ କୋହଲିଙ୍କ ଅପରାଜିତ ବିଶାଳ ଶତକ ଏବଂ ଶୁବମାନ ଗିଲ୍ଙ୍କ ଶତକ ବଳରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୩୯୦ ରନର ବିଶାଳ ସ୍କୋର କରିଛି। ଶେଷ ଦିନିକିଆ ଜିତି ସମ୍ମାନ ରଖିବା ପାଇଁ ଭ୍ରମଣକାରୀ ଶ୍ରୀଲଙ୍କା ସମ୍ମୁଖରେ ୩୯୧ ରନର ବିଜୟ ଲକ୍ଷ୍ୟ ରହିଛି। ବିରାଟ କୋହଲି ୧୬୬ ରନର ଦମଦାର ପାଳି ଖେଳିଥିବା ବେଳେ ଶୁବମାନ ଗିଲ୍ ୧୧୬ ରନର ଶତକୀୟ ପାଳି ଖେଳିଛନ୍ତି। କୋହଲି ଶ୍ରୀଲଙ୍କା ବିପକ୍ଷ ସିରିଜ୍ରେ ଦ୍ଵିତୀୟ ଶତକ ହାସଲ କରିଛନ୍ତି।
ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଦୁଇ ଓପନର ରୋହିତ ଶର୍ମା ଏବଂ ଶୁବମାନ ଗିଲ୍ ଦଳକୁ ମଜବୁତ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ପ୍ରଥମ ଓ୍ଵିକେଟ୍ରେ ୯୫ ରନ ଯୋଡି ବଡ ସ୍କୋରର ମୂଳଦୁଆ ପକାଇଥିଲେ। ଅଧିନାୟକ ରୋହିତ ଶର୍ମା ୪୨ ରନ କରି ପାଭିଲିୟନ ଫେରିଥିଲେ। ପୁଣି ଗିଲ୍ ଏବଂ ବିରାଟ କୋହଲି ଦଳର ଇନିଂସ ସମ୍ଭାଳିଥିଲେ। ଦୁହେଁ ଚମତ୍କାର ବ୍ୟାଟିଂ କରି ଶ୍ରୀଲଙ୍କା ବୋଲରଙ୍କୁ ପ୍ରହାର କରିଥିଲେ। ଏହି କ୍ରମରେ ଶୁବମାନ ନିଜର ଫର୍ମ ବଜାୟ ରଖି ଦିନିକିଆ କ୍ୟାରିୟରରେ ଦ୍ଵିତୀୟ ଶତକ ପୂରଣ କରିଥିଲେ। ଏହା ପରେ ବିରାଟ କୋହଲି ଦିନିକିଆରେ ୪୬ ତମ ଶତକ ହାସଲ କରିଛନ୍ତି। ଚଳିତ ସିରିଜ୍ରେ କୋହଲିଙ୍କ ଏହା ଦ୍ଵିତୀୟ ଶତକ। କୋହଲି ଏବଂ ଗିଲ୍ ଦ୍ଵିତୀୟ ଓ୍ଵିକେଟ୍ରେ ୧୩୧ ରନର ଶତକୀୟ ଭାଗିଦାରୀ ଯୋଡିଥିଲେ। ୨୨୬ ସ୍କୋରରେ ଗିଲ୍ ପାଭିଲିୟନ ଫେରିଥିଲେ। ସେ ୯୭ ବଲ୍ରୁ ୧୪ ଚୌକା ଏବଂ ୨ ଛକା ବଳରେ ୧୧୬ ରନ କରିଥିଲେ।
କୋହଲି ପୁଣି ଥରେ ଶ୍ରେୟସ ଆୟରଙ୍କ ସହିତ ତୃତୀୟ ଓ୍ଵିକେଟ୍ ପାଇଁ ୧୦୮ ରନର ଶତକୀୟ ଭାଗିଦାରୀ କରିଥିଲେ। ଆୟର ୩୮ ରନ କରି ଆଉଟ୍ ହୋଇଥିଲେ। କେଏଲ ରାହୁଲ(୭) ଏବଂ ସୂର୍ଯ୍ୟକୁମାର ଯାଦବ(୪) ରନ କରିଥିଲେ। ବିରାଟ କୋହଲି ଦମଦାର ବ୍ୟାଟିଂ କରିବା ସହ କ୍ରିଜରେ ଶେଷ ପର୍ଯ୍ୟନ୍ତ ରହି ଦଳକୁ ବିଶାଳ ସ୍କୋରରେ ପହଞ୍ଚାଇଥିଲେ। ଭାରତ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୩୯୦ ରନର ବିଶାଳ ସ୍କୋର କରିଛି। କୋହଲି ୧୧୦ ବଲ୍ରୁ ୧୩ ଚୌକା ଏବଂ ୮ ଛକା ସହ ୧୬୬ ରନର ଅପରାଜିତ ଇନିଂସ ଖେଳିଛନ୍ତି।