ଇନ୍ଦୋର: ଇନ୍ଦୋରରେ ହୋଲକର ଷ୍ଟାଡିୟମନରେ ରୋହିତ ଶର୍ମା ଏବଂ ଶୁବମାନ ଗିଲ୍ଙ୍କ ରାଜୁତି। ଦୁଇ ବ୍ୟାଟରଙ୍କ ଦମଦାର ଶତକ ବଳରେ ଭାରତ ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୩୮୫ ରନ କରିଛି। ଦୁଇ ଓପନର ୨୬.୧ ଓଭରରେ ୨୧୨ ରନ ଯୋଡି ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ଶେଷ ଆଡକୁ ହାର୍ଦ୍ଦିକ ପାଣ୍ଡ୍ୟା ୫୪ ରନର ଇନିଂସ ଖେଳିଛନ୍ତି। ରୋହିତ ଶର୍ମା ୧୦୧ ରନ ଏବଂ ଗିଲ୍ ୧୧୨ ରନର ଶତକୀୟ ଇନିଂସ ଖେଳିଛନ୍ତି। ଶେଷ ମ୍ୟାଚ୍ ଜିତି ସମ୍ମାନ ରକ୍ଷା ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ୩୮୬ ରନର ବିଜୟ ଲକ୍ଷ୍ୟ ରହିଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଦୁଇ ଓପନର ରୋହିତ ଶର୍ମା ଏବଂ ଶୁବମାନ ଗିଲ୍ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। କିଓ୍ଵି ବୋଲରଙ୍କୁ ପ୍ରହାର କରି କୌଣସି ସୁଯୋଗ ଦେଇନଥିଲେ। ଚୌକା ଏବଂ ଛକା ବର୍ଷା କରି ରୋହିତ ଏବଂ ଗିଲ୍ ନିଜ ନିଜର ଶତକ ପୂରଣ କରିଥିଲେ। ଏହି ଯୋଡିକୁ ଭାଙ୍ଗିବାକୁ ନ୍ୟୁଜିଲାଣ୍ଡକୁ ନାକେଦମ ହେବାକୁ ପଡିଥିଲା। ପ୍ରଥମ ଓ୍ଵିକେଟ୍ ପାଇଁ ୨୧୨ ରନ ଯୋଡି ଭାରତ ପାଇଁ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ ଦୁଇ ଓପନର। ଶେଷରେ ୨୭ତମ ଓଭରରେ ରୋହିତ ଶର୍ମା ଆଉଟ୍ ହୋଇଥିଲେ। ସେ ୮୫ ବଲ୍ରୁ ୯ ଚୌକା ଏବଂ ୬ ଛକା ଜରିଆରେ ୧୦୧ ରନ କରି ପାଭିଲିୟନ ଫେରିଥିଲେ। ରୋହିତଙ୍କ ପରେ ଗିଲ୍ ମଧ୍ୟ ଜଲଦି ଆଉଟ୍ ହୋଇଥିଲେ। ସେ ୭୮ ବଲ୍ରୁ ୧୩ ଚୌକା ଏବଂ ୫ ଛକା ସହ ୧୧୨ ରନ କରିଥିଲେ।
ଦୁଇ ଓପନର ଆଉଟ୍ ହେବା ପରେ ଭାରତୀୟ ଦଳ ମଧ୍ୟକ୍ରମରେ ନିୟମିତ ଓ୍ଵିକେଟ୍ ହରାଇଥିଲା। ଇଶାନ କିଷନ ୧୭ ରନ କରି ଆଉଟ୍ ହୋଇଥିବା ବେଳେ ସୂର୍ଯ୍ୟକୁମାର ଯାଦବ ପୁଣି ଥରେ ନିରାଶ କରି ୧୪ ରନ କରିଥିଲେ। ବିରାଟ କୋହଲି ୩୬ ରନ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଶେଷ ଆଡକୁ ଦଳର ଇନିଂସ ସମ୍ଭାଳି ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ସେ ସପ୍ତମ ଓ୍ଵିକେଟ୍ ପାଇଁ ଶାର୍ଦ୍ଦୁଳ ଠାକୁରଙ୍କ ସହ ୫୪ ରନ ଯୋଡିଥିଲେ। ଶାର୍ଦ୍ଦୁଳ ଠାକୁର ୨୫ ରନ କରି ଆଉଟ୍ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୩୮ ବଲ୍ରୁ ୩ ଚୌକା ଏବଂ ୩ ଛକା ସହ ୫୪ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଶେଷରେ ଭାରତ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ୩୮୫ ରନ କରି ପାରିଛି।
ନ୍ୟୁଜିଲାଣ୍ଡ ପକ୍ଷରୁ ବ୍ଲେୟାର ଟିକନର ୭୬ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ। ଜାକବ ଡଫି ୩ଟି ସଫଳତା ପାଇଥିଲେ ହେଁ ୧୦୦ ରନ ଦେଇ ଖୁବ୍ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ମାଇକେଲ୍ ବ୍ରେସଓ୍ଵଲଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଛି।