ପ୍ରଥମ ଦିନିକିଆରେ ରନ ବର୍ଷା, କୋହଲିଙ୍କ ଶତକ, ଶ୍ରୀଲଙ୍କାକୁ ୩୭୪ ରନ ଟାର୍ଗେଟ୍ ଦେଲା ଭାରତ

Published By : Prameya-News7 Bureau | January 10, 2023 IST

ଗୌହାଟୀ: ବରସାପରା ଷ୍ଟାଡିୟମରେ ଭାରତୀୟ ବ୍ୟାଟସମ୍ୟାନଙ୍କ ରନ ବର୍ଷା। ଶ୍ରୀଲଙ୍କା ବୋଲରଙ୍କ ଉପରେ ଭାରତୀୟ ବ୍ୟାଟରଙ୍କ ପ୍ରହାର। ଏଠାରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଭାରତ ୭ ଓ୍ଵିକେଟ୍ ହରାଇ ୩୭୩ ରନ ବିଶାଳ ସ୍କୋର କରିଛି। ଭାରତ ପକ୍ଷରୁ ବିରାଟ କୋହଲି ୧୧୩ ରନର ଶତକୀୟ ଇନିଂସ ଖେଳିଥିବା ବେଳେ ଅଧିନାୟକ ରୋହିତ ଶର୍ମା ୮୩ ରନ ଏବଂ ଶୁବମାନ ଗିଲ୍ ୭୦ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ଶ୍ରୀଲଙ୍କାକୁ ଜିତିବା ପାଇଁ ଦରକାର ୩୭୪ ରନ। ଏହା ପୂର୍ବରୁ ଟସ୍ ଜିତି ଶ୍ରୀଲଙ୍କା  ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଦୁଇ ଓପନର ରୋହିତ ଶର୍ମା ଏବଂ ଶୁବମାନ ଗିଲ୍ ଦଳକୁ ଭଲ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟର ଦମଦାର ବ୍ୟାଟିଂ କରି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ୧୯.୪ ଓଭରରେ ଓପନର ଦ୍ଵୟ ୧୪୩ ରନର ଭାଗିଦାରୀ ଯୋଡି ଦଳ ପାଇଁ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ଗିଲ୍ ୬୦ ବଲ୍‌ରୁ ୧୧ ଚୌକା ସହ ୭୦ ରନ କରି ପାଭିଲିୟନ ଫେରିଥିଲେ। ପୁଣି ୧୭୩ ସ୍କୋରରେ ରୋହିତ ଶର୍ମା ୬୭ ବଲ୍‌ରୁ ୯ ଚୌକା ଏବଂ ୩ ଛକା ୮୩ ରନ କରିଥିଲେ।

ଏହା ପରେ କ୍ରିଜରେ ଜମି ରହି ବିରାଟ କୋହଲି ଦଳର ଇନିଂସ ସମ୍ଭାଳିଥିଲେ।ଶ୍ରେୟସ ଆୟର ୨୮ ରନରେ ପାଭିଲିୟନ ଫେରିଥିଲେ। ଏହା ପୂର୍ବରୁ କୋହଲି ଏବଂ ଆୟର ତୃତୀୟ ଓ୍ଵିକେଟ୍ ପାଇଁ ୪୦ ରନ ଯୋଡିଥିଲେ। କୋହଲି ଏବଂ କେଏଲ ରାହୁଲ ଚତୁର୍ଥ ଓ୍ଵିକେଟ୍‌ରେ ୯୦ ରନ ଯୋଡି ଦଳର ସ୍କୋରକୁ ୩୦୦ରେ ପହଞ୍ଚାଇଥିଲେ। କେଏଲ ରାହୁଲ ୩୯ ରନ କରି ପାଭିଲିୟନ ଫେରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା(୧୪) ଏବଂ ଅକ୍ଷର ପଟେଲ୍(୯) ଶୀଘ୍ର ଆଉଟ୍ ହୋଇଥିଲେ। ବିରାଟ କୋହଲି ଚମତ୍କାର ବ୍ୟାଟିଂ କରି ଦିନିକିଆରେ ୪୫ତମ ଶତକ ହାସଲ କରିଥିଲେ। ଏଥିସହ ଘରୋଇ ମାଟିରେ କୋହଲିଙ୍କ ଏହା ହେଉଛି ୨୦ତମ ଶତକ। ବିରାଟ କୋହଲି ୮୭ ବଲ୍‌ରୁ ୧୨ ଚୌକା ଏବଂ ୧ ଛକା ସହ ୧୧୩ ରନର ଶତକୀୟ ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ଶେଷ ଆଡକୁ ଭାରତ ଜଲଦି ଓ୍ଵିକେଟ୍ ହରାଇଥିଲା। ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୩୭୩ ରନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.