ପାକିସ୍ତାନ ବୋଲରଙ୍କୁ ନିର୍ଧୁମ ପ୍ରହାର, ରାହୁଲ-କୋହଲିଙ୍କ ଅପରାଜିତ ଶତକ, ଭାରତର ବିଶାଳ ସ୍କୋର
11/09/2023 at 6:42 PM

କଲୋମ୍ବୋ: ଗତକାଲି ରୋହିତ ଶର୍ମା ଓ ଶୁଭମନ ଗିଲ୍ଙ୍କ ଶୋ ପରେ ଆଜି ରିଜର୍ଭ ଡେରେ ଦେଖିବାକୁ ମିଳିଛି ବିରାଟ କୋହଲି ଓ କେଏଲ ରାହୁଲଙ୍କ ପାଓ୍ଵାର ଶୋ। ଶ୍ରୀଲଙ୍କାର କଲୋମ୍ବାରେ ଖେଳା ଯାଉଥିବା ଏସିଆ କପ୍ ସୁପର-୪ର ବର୍ଷା ବାଧାପ୍ରାପ୍ତ ବହୁ ପ୍ରତୀକ୍ଷିତ ମୁକାବିଲାରେ ପାକିସ୍ତାନ ବିରୋଧରେ ଗର୍ଜି ଉଠିଛନ୍ତି ଭାରତୀୟ ବ୍ୟାଟର। ଆଉ କମ୍ପି ଉଠିଛି କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମ। ଟପ୍ ଅର୍ଡର ବ୍ୟାଟରଙ୍କ ଧୂଆଁଧାର ବ୍ୟାଟିଂ ବିଶେଷ କରି ଲୋକେଶ ରାହୁଲ ଓ ବିରାଟ କୋହଲିଙ୍କ ଦମଦାର ଶତକ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୨ ଓ୍ଵିକେଟ୍ ହରାଇ ୩୫୬ ରନ କରିଛି। ପାକିସ୍ତାନ ସମ୍ମୁଖରେ ରହିଛି ୩୫୭ ରନର ବିଶାଳ ବିଜୟ ଲକ୍ଷ୍ୟ। କୋହଲି ୧୨୨ ରନ ଓ କେଏଲ ରାହୁଲ ୧୧୧ ରନର ଅପରାଜିତ ଶତକୀୟ ଇନିଂସ ଖେଳିଛନ୍ତି। ଶୁଭମନ ଗିଲ୍ ୫୮ ରନ ଓ ରୋହିତ ଶର୍ମା ୫୬ ରନ କରିଛନ୍ତି। ମ୍ୟାଚ୍ରେ ଟସ୍ ଜିତି ପାକିସ୍ତାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।
Also read- ଅର୍ଦ୍ଧଶତକ ସହ ରୋହିତ ଶର୍ମାଙ୍କ ନାଁରେ ଅନେକ ରେକର୍ଡ, ସଚିନଙ୍କ ସହ କଲେ ବରାବର
ଗତକାଲିର ଅସମାପ୍ତ ଖେଳ ୨୪.୧ ଓଭର ୧୪୭/୨ରୁ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ବିରାଟ କୋହଲି ୮ ରନ ଓ କେଏଲ ରାହୁଲ ୧୭ ରନ କରି କ୍ରିଜରେ ଅପରାଜିତ ଥିଲେ। ଆଜି ଆରମ୍ଭରୁ କିଛି ସମୟ ଦେଖିଚାହିଁ ବ୍ୟାଟିଂ କରିଥିଲେ ଦୁଇ ବ୍ୟାଟର। କ୍ରିଜରେ ଜମିବା ପରେ ହାତ ଖୋଲିବା ଆରମ୍ଭ କରିଥିଲେ ଲୋକେଶ ରାହୁଲ ଓ କୋହଲି। ଏହି କ୍ରମରେ ପ୍ରଥମେ ଲୋକେଶ ରାହୁଲ ଏବଂ ପରେ ବିରାଟ କୋହଲି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଉଭୟ ପାକିସ୍ତାନ ବୋଲରଙ୍କୁ ପ୍ରହାର କରି ମ୍ୟାଚ୍ରେ ସଂପୂର୍ଣ୍ଣ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲେ।
ଲୋକେଶ ରାହୁଲ ଚମତ୍କାର ବ୍ୟାଟିଂ ଦିନିକିଆ କ୍ୟାରିୟରରେ ଷଷ୍ଠ ଶତକ ହାସଲ କରିଛନ୍ତି। ତାଙ୍କ ପରେ ପରେ ବିରାଟ କୋହଲି ନିଜର ଫର୍ମ ବଜାୟ ରଖି ଦିନିକିଆ ଅନ୍ତର୍ଜାତୀୟରେ ୮୪ ବଲ୍ରୁ ୪୬ତମ ଶତକ ପୂରଣ କରିଛନ୍ତି। ଏହିପରି ଦୁଇ ବ୍ୟାଟର ତୃତୀୟ ଓ୍ଵିକେଟ୍ରେ ୧୯୪ ବଲ୍ରୁ ୨୩୩ ରନର ଦ୍ଵିଶତକୀୟ ଭାଗିଦାରୀ ଯୋଡ଼ିଛନ୍ତି। ଶେଷରେ ଭାରତ ନିର୍ଦ୍ଧାରିତ ଓଭରରେ ୨ ଓ୍ଵିକେଟ୍ ହରାଇ ୩୫୬ ରନ କରିଛି। ବିରାଟ କୋହଲି ୯୪ ବଲ୍ରୁ ୯ ଚୌକା ଓ ୩ ଛକା ସହ ୧୨୨ ରନ ଏବଂ ରାହୁଲ ୧୦୬ ବଲ୍ରୁ ୧୨ ଚୌକା ଓ ୨ ଛକା ଜରିଆରେ ୧୧୧ ରନର ଦର୍ଶନୀୟ ଅପରାଜିତ ଶତକୀୟ ଇନିଂସ ଖେଳିଛନ୍ତି।
ଆଜିର ମୁକାବିଲାରେ ଟସ୍ ଜିତି ବାବର ଆଜମ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଦଳକୁ ମଜବୁତ ଆରମ୍ଭ ଦେଇଛନ୍ତି। ଦୁଇ ବ୍ୟାଟର ପାକିସ୍ତାନ ବୋଲରଙ୍କୁ ପ୍ରହାର କରି ଚାପରେ ରଖିଥିଲେ। ରୋହିତ ଶର୍ମା ଓ ଶୁଭମନ ଗିଲ୍ ଓପନିଂରେ ଶତକୀୟ ଭାଗିଦାରୀ କରି ଭାରତର ସ୍ଥିତି ମଜବୁତ କରିଥିଲେ।
ଦୁଇ ଓପନିଂ ବ୍ୟାଟର ପ୍ରଥମ ଓ୍ଵିକେଟ୍ ପାଇଁ ୧୨୧ ରନ ଯୋଡ଼ିଥିଲେ। ମ୍ୟାଚ୍ରେ ଭାରତୀୟ ଅଧିନାୟକ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ରୋହିତ ୪୯ ବଲ୍ରେ ବିସ୍ଫୋରକ ୫୬ ରନର ଇନିଂସ ଖେଳିଛନ୍ତି। ଏଥିରେ ୪ ଛକା ଓ ୬ ଚୌକା ସାମିଲ୍। ରୋହିତ ୪୨ ବଲ୍ରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଗିଲ୍ ୫୨ ବଲ୍ରୁ ୧୦ ଚୌକା ସହ ୫୮ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ରୋହିତ ଶର୍ମାଙ୍କ ପରେ ଦଳୀୟ ସ୍କୋର ୧୨୩ରେ ଗିଲ୍ ଆଉଟ୍ ହୋଇଥିଲେ। ୨୪.୧ ଓଭରରେ ଭାରତ ୨ ଓ୍ଵିକେଟ୍ ବିନିମୟରେ ୧୪୭ ରନ କରିଥିବା ବେଳେ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ପାକିସ୍ତାନ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।