ନ୍ୟୁଜିଲାଣ୍ଡ ବିପକ୍ଷରେ ଗିଲ୍‌ଙ୍କ ଧମାକା, ମାରିଲେ ଦ୍ଵିଶତକ, ନ୍ୟୁଜିଲାଣ୍ଡକୁ ୩୫୦ ରନ ଟାର୍ଗେଟ୍

Published By : Prameya-News7 Bureau | January 18, 2023 IST

ହାଇଦ୍ରାବାଦ: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଛାଇଗଲେ ଭାରତୀୟ ଓପନର ଶୁବମାନ ଗିଲ୍। କିଓ୍ଵି ବୋଲରଙ୍କୁ ନିର୍ଧୁମ ପ୍ରହାର କଲେ। ପଞ୍ଚମ ଭାରତୀୟ ବ୍ୟାଟର ଭାବେ ହାସଲ କଲେ ଦ୍ଵିଶତକ। ଶୁବମାନଙ୍କ ବିସ୍ଫୋରକ ଦ୍ଵିଶତକ ଶତକ ବଳରେ ଭାରତ ଏଠାରେ ଖେଳା ଯାଉଥିବା ପ୍ରଥମ ଦିନିକିଆରେ ୮ ଓ୍ଵିକେଟ୍ ହରାଇ ୩୪୯  ରନ କରିଛି। ଗିଲ୍୨୦୮ ରନର ଦମଦାର ଇନିଂସ ଖେଳିଛନ୍ତି। ମ୍ୟାଚ୍ ଜିତିବା ପାଇଁ ନ୍ୟୁଜିଲାଣ୍ଡ ସାମ୍ନାରେ ୩୫୦ ରନର ବିଜୟ ଲକ୍ଷ୍ୟ ରହିଛି।ରୋହିତ ଶର୍ମା ୩୪ ରନ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୩୧ ରନ କରିଛନ୍ତି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଦୁଇ ଓପନର ରୋହିତ ଶର୍ମା ଏବଂ ଶୁବମାନ ଗିଲ୍ ଦୃଢ ଆରମ୍ଭ ଦେଇଥିଲେ। ଉଭୟ ବ୍ୟାଟର ପ୍ରଥମ ଓ୍ଵିକେଟ୍ ପାଇଁ ୬୦ ରନ ଯୋଡିଥିଲେ। ଭଲ ଆରମ୍ଭ କରିଥିଲେ ହେଁ ରୋହିତ ୩୮ ବଲ୍‌ରୁ ୪  ଚୌକା ଏବଂ ୨ ଛକା ବଳରେ ୩୪ ରନ କରି ବିଦାୟ ନେଇଥିଲେ। ବିରାଟ କୋହଲି(୮) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ସାଣ୍ଟନର କୋହଲିଙ୍କୁ ବୋଲ୍ଡ କରି ଭାରତକୁ ବଡ ଝଟକା ଦେଇଥିଲେ। ନିଜର ପୂର୍ବ ମ୍ୟାଚ୍‌ରେ ଦ୍ଵିଶତକ ହାସଲ କରିଥିବା ଇଶାନ କିଶନ(୫) ପାଭିଲିୟନ ଫେରିଥିଲେ। ଏହା ପରେ ଗିଲ୍ ଏବଂ ସୂର୍ଯ୍ୟକୁମାର ଯାଦବ ଭଲ ବ୍ୟାଟିଂ କରି ଚତୁର୍ଥ ଓ୍ଵିକେଟ୍ ପାଇଁ ୬୫ ରନ ଯୋଡିଥିଲେ।  ତେବେ ଦ୍ରୁତ ବ୍ୟାଟିଂ କରୁଥିବା ସୂର୍ଯ୍ୟ ୨୬ ବଲ୍‌ରୁ ୪ ଚୌକା ଜରିଆରେ ୩୧ ନର କରି ପାଭିଲିୟନ ଫେରିଥିଲେ। ତେବେ ଅନ୍ୟପଟେ ଗିଲ୍ ଏକାକୀ କ୍ରିଜରେ ଜମି ରହି ଭାରତୀୟ ଇନିଂସକୁ ସମ୍ଭାଳିଥିଲେ। ହାର୍ଦ୍ଦିକ ୨୮ ରନ କରି ବିବାଦୀୟ ଆଉଟ୍ ହୋଇଥିଲେ।

ଗିଲ୍ ଦିନିକିଆ କ୍ରିକେଟ୍‌ରେ ତୃତୀୟ ଶତକ ହାସଲ ପରେ ସେ ଦ୍ରୁତ ବ୍ୟାଟିଂ କରିଥିଲେ। ୪୯ତମ ଓଭରରେ ସେ ଲୋକି ଫର୍ଗ୍ୟୁସନଙ୍କୁ ଲଗାତାର ୩ ଛକା ମାରି ପଞ୍ଚମ ଭାରତୀୟ ବ୍ୟାଟର ଭାବେ ଦ୍ଵିଶତକ ହାସଲ କରିଥିଲେ। ଗିଲ୍ ୧୪୫ ବଲ୍‌ରେ ୧୯ ଚୌକା ଏବଂ ୮ ଛକା ବଳରେ ଦ୍ଵିଶତକ ହାସଲ କରିଥିଲେ। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ଵାଗ, ରୋହିତ ଶର୍ମା ଏବଂ  ଇଶାନ କିଷନ ଦିନିକିଆ ଅନ୍ତର୍ଜାତୀୟରେ ଦ୍ଵିଶତକ ହାସଲ କରିଥିଲେ। ତେବେ ୫୦ତମ ଓଭରରେ ଗିଲ୍‌ଙ୍କ ଦର୍ଶନୀୟ ଦ୍ଵିଶତକ ଇନିଂସର ଅନ୍ତ ଘଟିଥିଲା। ଗିଲ୍ ୧୪୯ ବଲ୍‌ରୁ ୧୯ ଚୌକା ଏବଂ ୯ ଛକା ବଳରେ ୨୦୮ ରନ କରି ଆଉଟ୍ ହୋଇଥିଲେ। ଭାରତ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୩୪୯ ରନ କରିଛି। ଏଥିସହ ନ୍ୟୁଜିଲାଣ୍ଡ ବିପକ୍ଷରେ ଗିଲ୍ ସର୍ବାଧିକ ରନ ହାସଲକାରୀ ଭାରତୀୟ ବ୍ୟାଟର ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.