ସୂର୍ଯ୍ୟକୁମାର ଏବଂ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ ଆଗରେ ଦ. ଆଫ୍ରିକା ବୋଲର ଧରାଶାୟୀ, ଭାରତର ବିଶାଳ ସ୍କୋର

Published By : Prameya-News7 Bureau | October 02, 2022 IST

ଗୌହ୍ଵାଟୀ: ଭାରତୀୟ ବ୍ୟାଟସମ୍ୟାନଙ୍କ ନିର୍ମମ ପ୍ରହାରରେ ଧରାଶାୟୀ ଦକ୍ଷିଣ ଆଫ୍ରିକା ବୋଲର। ସୂର୍ଯ୍ୟକୁମାର ଯାଦବଙ୍କ ଅବିଶ୍ଵସନୀୟ ବ୍ୟାଟିଂ ଏବଂ  କେଏଲ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ଦ୍ଵିତୀୟ ଟି-୨୦ରେ ବିଶାଳ ସ୍କୋର କରିଛି। ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍‌ ହରାଇ ୨୩୭ ରନ କରିଛି। ସୂର୍ଯ୍ୟକୁମାର ମାତ୍ର ୨୨ ବଲ୍‌ରୁ ୬୧ ରନ କରିଥିବା ବେଳେ କେଏଲ ରାହୁଲ ୨୮ ବଲ୍‌ରୁ ୫୭ ରନର ଧୂଆଁଧାର ଇନିଂସ ଖେଳିଛନ୍ତି। ସୂର୍ଯ୍ୟଙ୍କ ବ୍ୟାଟିଂ ଆଗରେ ବିବଶ ନଜର ଆସିଛନ୍ତି ଦକ୍ଷିଣ ଆଫ୍ରିକା ବୋଲର।ବିରାଟ କୋହଲି ୪୯ ରନର ଅପରାଜିତ ଇନିଂସ ଖେଳିଥିବା ବେଳେ ରୋହିତ ଶର୍ମା ୪୩ ରନ କରିଛନ୍ତି। ଟି-୨୦ ଅନ୍ତର୍ଜାତୀୟରେ ୨୩୭ ରନ ଭାରତର ଚତୁର୍ଥ ସର୍ବୋଚ୍ଚ ସ୍କୋର।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଦୁଇ ଓପନର  ରୋହିତ ଶର୍ମା ଏବଂ କେଏଲ ରାହୁଲ ଦମଦାର ଆରମ୍ଭ ଦେଇଥିଲେ। ବିଶେଷ କରି କେଏଲ ରାହୁଲ ଧୂଆଁଧାର ବ୍ୟାଟିଂ କରିଥିଲେ। ୯.୫ ଓଭରରେ ଦୁଇ ଓପନର ୯୬ ରନ ଯୋଡି ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ରୋହିତ ଶର୍ମା ୩୭ ବଲ୍‌ରୁ ୪୩ ରନର ଉପଯୋଗୀ ଇନିଂସ ଖେଳିଥିଲେ। ପରେ ପରେ କେଏଲ ରାହୁଲ ଆଉଟ୍ ହୋଇଥିଲେ। ସେ ମାତ୍ର ୨୮ ବଲ୍‌ରେ ଧୂଆଁଧାର ବ୍ୟାଟିଂ କରି ୫ ଚୌକା ଏବଂ ୪ ଛକା ସହ ୫୭ ରନ କରିଥିଲେ।

ଏହା ପରେ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ମଙ୍ଗ ସମ୍ଭାଳିଥିଲେ। ସୂର୍ଯ୍ୟ କ୍ରିଜକୁ ଆସିବା ମାତ୍ରେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ  ନିର୍ମମ ପ୍ରହାର କରିଥିଲେ। ସେ ପଡିଆର ଚତୁର୍ଦ୍ଦିଗରେ ଚୌକା ଏବଂ ଛକା  ବର୍ଷା କରି ମାତ୍ର ୧୮ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍‌ରେ ଶତକୀୟ ଭାଗିଦାରୀ ଯୋଡି ଦଳର ସ୍କୋରକୁ ୨୦୦ ପାର କରାଇଥିଲେ। ଦଳୀୟ ସ୍କୋର ୨୦୯ ରନରେ ନିଜ ଭୁଲ୍ ଯୋଗୁଁ ସୂର୍ଯ୍ୟକୁମାର ଯାଦବ ରନ ଆଉଟ୍ ହୋଇଥିଲେ। ସେ ମାତ୍ର ୨୨ ବଲ୍‌ରୁ ୫ ଚୌକା ଏବଂ ୫ ଛକା ବଳରେ ୬୧ ରନ କରି ପାଭିଲିୟନ ଫେରିଥିଲେ। ବିରାଟ କୋହଲି ଦ୍ରୁତ ବ୍ୟାଟିଂ କରି ଅର୍ଦ୍ଧଶତକର ନିକଟତର ହୋଇଥିଲେ। କୋହଲି ୨୮ ବଲ୍‌ରୁ  ୭ ଚୌକା ଏବଂ ୧ ଛକା ସହ ୪୯ ରନରେ ଅପରାଜିତ ଥିଲେ। ଦିନେଶ କାର୍ତ୍ତିକ ୭ ବଲ୍‌ରୁ ୧୭ ରନ କରି ଭଲ ଫିନିସ୍ କରିଥିଲେ। ଭାରତ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୨୩୭ ରନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.