କୋହଲିଙ୍କ ଅର୍ଦ୍ଧଶତକ, ସୂର୍ଯ୍ୟଙ୍କ ବିସ୍ଫୋରକ ବ୍ୟାଟିଂ, ହଂକଂ ବିରୋଧରେ ଭାରତର ବିଶାଳ ସ୍କୋର

Published By : Prameya-News7 Bureau | August 31, 2022 IST

ଦୁବାଇ: ଫର୍ମକୁ ଫେରିବାର ସଙ୍କେତ ଦେଲେ ବିରାଟ କୋହଲି। ପୂର୍ବତନ ଅଧିନାୟକଙ୍କ ଅର୍ଦ୍ଧଶତକ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ବଡ ସ୍କୋର କରିଛି। ନିର୍ଦ୍ଧାରିତ ଓଭରରେ ୨ ଓ୍ଵିକେଟ୍ ହରାଇ ଭାରତ ୧୯୨ ରନ କରିଛି। ବିରାଟ କୋହଲି ୫୯ ରନର ଅପରାଜିତ ଇନିଂସ ଖେଳିଥିବା  ବେଳେ ସୂର୍ଯ୍ୟକୁମାର ଯାଦବ ୬୮ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ସେ ଶେଷ ଓଭରରେ ୪ ଛକାମାରିବାରୁ ଭାରତ ୧୯୨ ରନରେ ପହଞ୍ଚି ପାରିଛି। ଦୀର୍ଘ ସମୟ ପରେ କୋହଲିଙ୍କ ବ୍ୟାଟରୁ ଅର୍ଦ୍ଧଶତକ ଦେଖିବାକୁ ମିଳିଛି। ହଂକଂକୁ ଜିତିବା ପାଇଁ ୧୯୩ ରନର ବିଜୟ ଲକ୍ଷ୍ୟ ରହିଛି। ଏହା ପୂର୍ବରୁ ଟସ୍ ଜିତି ହଂକଂ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସୂର୍ଯ୍ୟକୁମାର ଏବଂ କୋହଲି ତୃତୀୟ ଓ୍ଵିକେଟରେ ୯୮ ରନ ଯୋଡି ଭାରତକୁ ବିଶାଳ ସ୍କୋରରେ ପହଞ୍ଚାଇଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଓପନିଂ ଯୋଡି ରୋହିତ ଶର୍ମା ଏବଂ କେଏଲ ରାହୁଲ ୩୮ ରନ ଯୋଡିଥିଲେ। ରୋହିତ ୧୩ ବଲରୁ ୨ ଚୌକା ଏବଂ ୧ ଛକା ସହ ୨୧ ରନ କରିଥିଲେ। ଏହା ପରେ ରାହୁଲ ଏବଂ ବିରାଟ ଦ୍ରୁତ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍‌ରେ ୫୬ ରନ ଯୋଡିଥିଲେ। ଦଳୀୟ ସ୍କୋର ୯୪ ରନରେ କେଏଲ ରାହୁଲ ଆଉଟ୍ ହୋଇଥିଲେ। ସେ ୩୯ ବଲ୍‌ରୁ ୩୬ ରନ କରିଥିଲେ।

ଏହା ପରେ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ଇନିଂସକୁ ଆଗକୁ ବଢାଇଥିଲେ। ବିଶେଷ କରି ସୂର୍ଯ୍ୟକୁମାର ଯାଦବ କ୍ରିଜକୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଏହା ମଧ୍ୟରେ ବିରାଟ କୋହଲି ୩୨ତମ ଟି-୨୦ ଅର୍ଦ୍ଧଶତକ ହାସଲ କରିଥିଲେ। ସୂର୍ଯ୍ୟକୁମାର ଯାଦବ ୨୨ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍‌ରେ ୯୮ ରନ ଯୋଡିଥିଲେ। ଭାରତ ନିର୍ଦ୍ଧାରିତ ଓଭରରେ ୨ ଓ୍ଵିକେଟ୍ ହରାଇ ୧୯୨ ରନ କରିଥିଲା। କୋହଲି ୪୪ ବଲ୍‌ରୁ ୧ ଚୌକା ଏବଂ ୩ ଛକା ସହ ୫୯ ରନ ଏବଂ ସୂର୍ଯ୍ୟକୁମାର ଯାଦବ ମାତ୍ର ୨୬ ବଲ୍‌ରୁ ୬ଟି ଲେଖାଏଁ ଚୌକା ଏବଂ ଛକା ସହ ୬୮ ରନର ଧୂଆଁଧାର ଇନିଂସ ଖେଳିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.