ଗାଏକଓ୍ଵାଡ, ସାମସନ ଓ ରିଙ୍କୁ ସିଂଙ୍କ ବିସ୍ଫୋରକ ବ୍ୟାଟିଂ, ଆୟରଲାଣ୍ଡକୁ ବିଶାଳ ଟାର୍ଗେଟ୍ ଦେଲା ଭାରତ
20/08/2023 at 9:16 PM

ଡବଲିନ: ଏଠାରେ ଖେଳା ଯାଉଥିବା ଦ୍ଵିତୀୟ ଟି-୨୦ ମ୍ୟାଚ୍ରେ ଯୁବ ଭାରତୀୟ ବ୍ୟାଟର ଦମଦାର ପ୍ରଦର୍ଶନ କରିଛନ୍ତି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୫ ରନ କରିଛି। ଋତୁରାଜ ଗାଏକଓ୍ଵାଡ ସର୍ବାଧିକ ୫୮ ରନ କରିଥିବା ବେଳେ ସଞ୍ଜୁ ସାମସନ ୪୦ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ରିଙ୍କୁ ସିଂଙ୍କ ୩୮ ରନର ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଭାରତ ଏହି ବିଶାଳ ସ୍କୋର କରି ପାରିଛି। ମ୍ୟାଚ୍ ଜିତି ସିରିଜ୍ ଜିତି ବରାବର କରିବା ପାଇଁ ଆୟରଲାଣ୍ଡ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରହିଛି। । ଏହା ପୂର୍ବରୁ ଟସ୍ ଜିତି ଆୟରଲାଣ୍ଡ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଦୁଇ ଓପନର ଯଶସ୍ଵୀ ଜୟସଓ୍ଵାଲ ଓ ଋତୁରାଜ ଗାଏକଓ୍ଵାଡ ୨୯ ରନ ଯୋଡ଼ିଥିଲେ। ଜୟସଓ୍ଵାଲ(୧୮) ଆଉଟ୍ ହୋଇଥିଲେ। ତିଳକ ବର୍ମା(୧) ନିରାଶ କରିଥିଲେ। ଏହା ପରେ ଗାଏକଓ୍ଵାଡ଼ ଓ ସଞ୍ଜୁ ସାମସନ ବିସ୍ପୋରକ ବ୍ୟାଟିଂ କରି ଦଳର ସ୍ଥିତି ମଜବୁତ କରିଥିଲେ। ସଞ୍ଜୁ ସାମସନ ୨୬ ବଲ୍ରୁ ୫ ଚୌକା ଓ ୧ ଛକା ସହ ୪୦ ରନର ଦ୍ରୁତ ବ୍ୟାଟିଂ କରି ପାଭିଲିୟନ ଫେରିଥିଲେ। ଦୁଇ ବ୍ୟାଟର ତୃତୀୟ ଓ୍ଵିକେଟ୍ ପାଇଁ ୭୧ ରନ ଯୋଡ଼ି ଦଳର ସ୍କୋରକୁ ୧୦୫ ରନରେ ପହଞ୍ଚାଇଥିଲେ। ଗାଏକଓ୍ଵାଡ଼ ୪୩ ବଲ୍ରୁ ୬ ଚୌକା ଓ ୧ ଛକା ସହ ୫୮ ରନର ଇନିଂସ ଖେଳିଥିଲେ।
ଏହା ପରେ ରିଙ୍କୁ ସିଂ ଓ ଶିବମ ଦୁବେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ରିଙ୍କୁ ସିଂ ମାତ୍ର ୨୧ ବଲ୍ରୁ ୨ ଚୌକା ଓ ୩ ଛକା ସହ ୩୮ ରନ କରିଥିବା ବେଳେ ଶିବମ ଦୁବେ ୨୨ ରନରେ ଅପରାଜିତ ଥିଲେ। ଦୁଇ ବ୍ୟାଟର ପଞ୍ଚମ ଓ୍ଵିକେଟ୍ ପାଇଁ ୫୫ ରନ ଯୋଡ଼ିବାରୁ ଭାରତ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୫ ରନରେ ପହଞ୍ଚିପାରିଛି।