ନୂଆଦିଲ୍ଲୀ ୦୮/୦୮: ଘରୋଇ ୱେଷ୍ଟଣ୍ଡିଜ୍ ବିପକ୍ଷରେ ଭାରତ ୪-୧ରେ ଟି-ଟ୍ୱେଣ୍ଟି ସିରିଜ ବିଜୟୀ ହୋଇଛି । ରବିବାର ପଞ୍ଚମ ମ୍ୟାଚ୍ରେ ଭାରତ ୮୮ ରନ୍ରେ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରିଥିଲା । ଦଳ ପ୍ରଥମେ ବ୍ୟାଟିଂ କରି ଶ୍ରେୟାସ ଆୟରଙ୍କ ଅର୍ଦ୍ଧଶତକ ବଳରେ ୭ ୱିକେଟ୍ ହରାଇ ୧୮୮ରନ୍ କରିଥିଲା । ଜବାବରେଭାରତୀୟ ସ୍ପିନରଙ୍କୁ ସମ୍ମୁଖୀନ ହୋଇନପାରି ୱେଷ୍ଟଇଣ୍ଡିଜ୍ ଦଳ ୧୦୦ରନ୍ରେ ଅଲଆଉଟ୍ ହୋଇଯାଇଥିଲା ।
ସିରିଜ କବ୍ଜା କରି ସାରିଥିବାରୁ ଆଜି ଅଧିନାୟକ ରୋହିତ ଶର୍ମା, ରିଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ ଓ ଭୁବନେଶ୍ୱର କୁମାର ବିଶ୍ରାମ ନେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେଇଥିଲେ । ଟସ୍ ଜିତି ଭାରତ ବ୍ୟାଟିଂ କରିଥିଲା । ଇନିଂସ୍ ଓପନ କରିଥିଲେ ଇଶାନ କିଷନ ଓ ଶ୍ରେୟାସ ଆୟର । ପ୍ରଥମ ୱିକେଟ୍ରେ ଉଭୟ ୩୮ ରନ୍ ସଂଗ୍ରହ କରିଥିଲେ । କିଷନ ମାତ୍ର ୧୧ ରନ୍ କରି ପ୍ରଥମେ ଆଉଟ୍ ହୋଇଥିଲେ । ୩ନଂ ସ୍ଥାନରେ ଆସିଥିବା ଦୀପକ ହୁଡ଼ା ଅପରାଜିତ ଶ୍ରେୟାସ ସହ ମିଶି ଦୃଢ଼ ବ୍ୟାଟିଂ କରିଥିଲେ । ଶ୍ରେୟାସ ୩୦ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଦ୍ୱିତୀୟ ୱିକେଟରେ ସଂଗୃହୀତ ହୋଇଥିଲା ୭୬ରନ୍ । ଦଳୀୟ ସ୍କୋର ୧୧୪ରେ ହୁଡ଼ାଙ୍କ ୱିକେଟର ପତନ ଘଟିଥିଲା । ସେ ୨୫ ବଲ୍ରୁ ୩ଚୌକା ଓ ୨ଛକା ସହାୟତାରେ ୩୮ ରନ୍ କରିଥିଲେ । ପରେ ପରେ ଶ୍ରେୟାସ ୬୪ (୮ଚୌକା, ୨ଛକା) ରନ୍ କରି ଆଉଟ ହୋଇଯାଇଥିଲା । ଫଳରେ ରନ୍ ଗତି ଧିମେଇ ଯାଇଥିଲା । ଏହାପରେ ଆରମ୍ଭ ହୋଇ ଯାଇଥିଲା ବ୍ୟାଟିଂ ବିପର୍ଯ୍ୟୟ ।
ପରବର୍ତ୍ତୀ ବ୍ୟାଟର ସଞ୍ଜୁ ସାମସନ୍ (୧୫), ଦିନେଶ କାର୍ତ୍ତିକ (୧୨) ଓ ଅକ୍ଷର ପଟେଲ (୯) ବିଫଳ ହୋଇଥିଲେ । ଚତୁର୍ଥ ୱିକେଟର ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ପାଣ୍ଡ୍ୟା ୧୬ ବଲ୍ରୁ ଦ୍ରୁତ ୨୮ (୨ଚୌକା, ୨ଛକା) ଯୋଗ କରିବା ଫଳରେ ଦଳୀୟ ସ୍କୋର ୭/୧୮୮ରେ ପହଞ୍ଚି ଯାଇଥିଲା । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଓଡେନ ସ୍ମିଥ୍ ସର୍ବାଧିକ ୩ଟି ୱିକେଟ୍ ନେଇଥିବାବେଳେ ଜାସନ ହୋଲ୍ଡର, ଡୋମିନିକ୍ ଡ୍ରେକ୍ସ ଓ ହେଡେନ ୱାଲ୍ସ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ୧୮୯ ରନ୍ର ବିଜୟ ଲକ୍ଷ୍ୟ ନେଇ ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ ଆରମ୍ଭ କରିଥିଲା ।
ଭାରତୀୟ ସ୍ପିନର ଅକ୍ଷର ପଟେଲଙ୍କ ଘାତକ ସ୍ପିନର ସମ୍ମୁଖୀନ ହୋଇନପାରି ଘରୋଇ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ୮୮ ରନ୍ ମଧ୍ୟରେ ଦଳ ୬ଟି ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା । ୪ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ସିମରନ୍ ହେତମେୟର ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ଏହା ଦଳ ବିଜୟ ପାଇଁ ଯଥେଷ୍ଟ ନଥିଲା । ସେ ୫୬ (୫ଚୌକା, ୪ଛକା) ରନ୍ କରିଥିଲେ । ଘରୋଇ ଦଳ ୧୦୦ ରନ୍ରେ ଅଟକି ଯାଇଥିଲା । ଭାରତ ପକ୍ଷରୁ ବିଷ୍ଣୋଇ ସର୍ବାଧିକ ୪ଟି ୱିକେଟ୍ ନେଇଥିବାବେଳେ ଅକ୍ଷର ଓ କୁଲଦୀପ ଯାଦବ ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।