ନୂଆଦିଲ୍ଲୀ ୧୮।୦୬: ପାକିସ୍ତାନ ଠାରୁ ପୁଣି ଗୋଟେ ପାଦ ଆଗେଇଲା ଭାରତ । ଆଣବିକ ଅସ୍ତ୍ର ମାମଲାରେ ପାକ୍କୁ ଟପିଲା ଭାରତ । ଏନେଇ ରିପୋର୍ଟ ପ୍ରକାଶ କରିଛି ସ୍ୱିଡିଶ୍ ଥିଙ୍କ-ଟ୍ୟାଙ୍କ ଷ୍ଟକ୍ହୋମ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ (SIPRI) । କେବଳ ଭାରତର ନୁହେଁ ବରଂ ଚୀନ୍ ମଧ୍ୟ ବଢାଇଛି ନିଜର ଆଣବିକ ଅସ୍ତ୍ରଶସ୍ତ୍ର । ଚୀନ ପାଖରହେ ୨୦୨୩ ଜାନୁଆରୀ ସୁଦ୍ଧା ନ୍ୟୁକ୍ଲିୟର ଅସ୍ତ୍ର ୪୧୦ ରହିଥିବା ବେଳେ ୨୦୨୪ ଜାନୁଆରୀ ସୁଦ୍ଧା ଏହା ୫୦୦କୁ ବୃଦ୍ଧି ପାଇଛି ।
ଗତ ଦୁଇ ବର୍ଷ ହେଲା ବିଶ୍ୱ ଦୁଇ ଦୁଇଟି ଯୁଦ୍ଧ ଦେଖୁଥିବା ବେଳେ SIPRI ରିପୋର୍ଟରେ କୁହାଯାଇଛି ଯେ, ଭାରତ, ପାକିସ୍ତାନ, ଚୀନ୍ ସମେତ ନ୍ୟୁକ୍ଲିୟର ଶକ୍ତିର ଦେଶ ଆମେରିକା, ରୁଷ୍, ବ୍ରିଟେନ, ଫ୍ରାନ୍ସ, ଉତ୍ତର କୋରିଆ, ଇସ୍ରାଏଲ ସେମାନଙ୍କ ଆଣବିକ ଅସ୍ତ୍ରର ଆଧୁନିକୀକରଣ କରିବା ଜାରି ରଖିଛନ୍ତି । ରିପୋର୍ଟ ଅନୁସାରେ, ବିଶ୍ୱର ଆଣବିକ ଅସ୍ତ୍ରର ୯୦ ଭାଗ କେବଳ ରୁଷ୍ ଏବଂ ଆମେରିକା ପାଖରେ ରହିଛି । ଏଥିସହ କେତେକ ଦେଶ ୨୦୨୩ରେ ନୂଆ ଆଣବିକ ଅସ୍ତ୍ର ବିକଶିତ କରିଛନ୍ତି । ବିଶ୍ୱରେ ଏବେ ପ୍ରାୟ ୨,୧୦୦ ନ୍ୟୁକ୍ଲିୟର ୱାରହେଡ୍ ଥିବାବେଳେ ସେଥିମଧ୍ୟରୁ ଅଧିକାଂଶ ଆମେରିକା ଏବଂ ରୁଷ୍ର ଓ ସେଗୁଡ଼ିକୁ ବାଲିଷ୍ଟିକ୍ ମିସାଇଲରେ ହାଇ ଅପରେସନାଲ ଆଲର୍ଟରେ ରଖାଯାଇଛି ।
ଚୀନ୍ ମଧ୍ୟ ପ୍ରଥମ ଥର କେତେକ ଆଣବିକ ଅସ୍ତ୍ରକୁ ହାଇ ଅପରେସନାଲ ଆଲର୍ଟରେ ରଖିଛି । ଆମେରିକା ପାଖରେ ୫,୦୪୪ ନ୍ୟୁକ୍ଲିୟର ଅସ୍ତ୍ର ଥିବାବେଳେ ରୁଷ୍ ନିକଟରେ ୫,୫୮୦, ବ୍ରିଟେନର ୨୨୫, ଫ୍ରାନ୍ସର ୨୯୦, ଉତ୍ତର କୋରିଆର ୫୦ ଏବଂ ଇସ୍ରାଏଲ ନିକଟରେ ୯୦ ଅଣୁ ଅସ୍ତ୍ର ରହିଛି । ରିପୋର୍ଟରେ କୁହାଯାଇଛି, ଭାରତ ପାଖରେ ୨୦୨୪ ଜାନୁଆରୀ ସୁଦ୍ଧା ୧୭୨ ଆଣବିକ ଅସ୍ତ୍ର ରହିଛି, ଯାହାକି ପାକିସ୍ତାନଠାରୁ ୨ ଅଧିକ ।
ଉଭୟ ଭାରତ ଏବଂ ପାକିସ୍ତାନ ୨୦୨୩ରେ ନୂଆ ପ୍ରକାରର ଆଣବିକ ଅସ୍ତ୍ର ବିକାଶିତ କରିଛନ୍ତି । ଭାରତର ଆଣବିକ କ୍ଷମତା ବିକାଶର ମୁଖ୍ୟ କେନ୍ଦ୍ରବିନ୍ଦୁ ପାକିସ୍ତାନ ହୋଇଥିଲେ ବି ଭାରତ ଦୀର୍ଘ ରେଞ୍ଜ୍ ବିଶିଷ୍ଟ ଅସ୍ତ୍ର ଉପରେ ଗୁରୁତ୍ୱ ଦେଉଛି । ଚୀନ୍କୁ ଟାର୍ଗେଟ କରି ଭାରତ ଏପରି ଅସ୍ତ୍ରଶସ୍ତ୍ର ବନାଉଛି ବୋଲି ରିପୋର୍ଟରେ କୁହାଯାଇଛି ।
ସେହିପରି ପାକିସ୍ତାନ ଏବଂ ଉତ୍ତର କୋରିଆ ରୁଷ୍ ଏବଂ ଆମେରିକାର ପଦାଙ୍କ ଅନୁସରଣ କରି ବାଲିଷ୍ଟିକ୍ ମିସାଇଲରେ ମଲ୍ଟିପଲ ନ୍ୟୁକ୍ଲିୟର ୱାରହେଡ୍ ଖଞ୍ଜିବା ପାଇଁ ବ୍ୟବସ୍ଥା କରୁଛନ୍ତି । ତେବେ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଚୀନ୍ ଏହାର ଆଣବିକ ଶକ୍ତିକୁ ଅଧିକ ମଜଭୁତ କରୁଛି । ଆଣବିକ ଶକ୍ତି ସମ୍ପନ୍ନ ଦେଶଗୁଡ଼ିକ ସେମାନଙ୍କ ନ୍ୟୁକ୍ଲିୟର ଫୋର୍ସ ବଢ଼ାଇବା ଦିଗରେ ବେଶ୍ ଯୋଜନା ରଖିଥିବା ରିପୋର୍ଟରେ କୁହାଯାଇଛି ।