କୋଭିଡ୍-୧୯ରେ ସର୍ବାଧିକ ପ୍ରଭାବିତ ଦେଶ ତାଲିକାରେ ନବମରୁ ଅଷ୍ଟମ ସ୍ଥାନକୁ ଉଠିଲା ଭାରତ
31/05/2020 at 9:05 PM

ନୂଆଦିଲ୍ଲୀ ୩୧।୦୫: କରୋନା ସଂକ୍ରମଣ ଆଜି ପୂରା ଦୁନିଆକୁ ପଙ୍ଗୁ କରି ଦେଇଛି। ଚାରି ଆଡେ ହାହାକାର ସ୍ଥିତି ରହିଛି। ଭାରତରେ ମଧ୍ୟ ଦିନକୁ ଦିନ ହୁ ହୁ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଜନ୍ ହପକିନ୍ସ ୟୁନିଭର୍ସିଟିର ସୂଚନା ଅନୁଯାୟୀ, ୧ ଲକ୍ଷ ୮୫ ହଜାର କରୋନା କେସ୍ ପରେ ଭାରତ କରୋନା ସଂକ୍ରମଣରେ ଦୁନିଆରେ ସର୍ବାଧିକ ପ୍ରଭାବିତ ଦେଶ ତାଲିକା ନବମ ସ୍ଥାନରେ ଜର୍ମାନୀକୁ ପଛରେ ପକାଇ ଅଷ୍ଟମ ସ୍ଥାନରେ ପହଞ୍ଚିଛି। ଦେଶରେ ରବିବାର ସନ୍ଧ୍ୟା ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୮୪ ହଜାର ୭୩୫ କେସ୍ ସାମ୍ନାକୁ ଆସିଥିଲା।
ଆମେରିକା ୧୭ ଲକ୍ଷ ୭୧ ହଜାରରୁ ଅଧିକ ସଂକ୍ରମିତ ସହିତ ଦୁନିଆରେ ସବୁଠୁ ଅଧିକ ପ୍ରଭାବିତ ଦେଶଙ୍କ ତାଲିକାରେ ଶୀର୍ଷରେ ରହିଛି। ଏହା ପରେ ବ୍ରାଜିଲ୍ ଦ୍ଵିତୀୟ ସ୍ଥାନରେ ରହିଛି। ବ୍ରାଜିଲରେ କରୋନା ସଂକ୍ରମିତ ସଂଖ୍ୟା ୫ ଲକ୍ଷରୁ ଅଧିକ ରହିଛି। ସେହି ପରି ୪ ଲକ୍ଷରୁ ଅଧିକ ଆକ୍ରାନ୍ତ ସହିତ ରୁଷ ତୃତୀୟ ସ୍ଥାନରେ ରହିଛି।
ଦେଶରେ ରବିବାର ସକାଳେ କରୋନା କେସ୍ ଅହେତୁକ ବୃଦ୍ଧି ଘଟିଥିଲା ଏବଂ ଗୋଟିଏ ଦିନରେ ରେକର୍ଡ ୮,୩୮୦ କେସ୍ ସାମ୍ନାକୁ ଆସିଛି। ଅନ୍ୟପଟେ ଗତ ୨୪ ଘଣ୍ଟାରେ ୧୯୩ ଜଣଙ୍କ ମୃତ୍ୟୁ ଘଟିବା ପରେ ମୃତକଙ୍କ ସଂଖ୍ୟା ୫ ହଜାର ଟପିଛି। ପ୍ରଥମ କରି ଭାରତରେ ଗୋଟିଏ ଦିନରେ ୮ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଗତ ତିନି ଦିନରେ କରୋନା କେସ୍ ରେକର୍ଡ ସଂଖ୍ୟାରେ ବଢୁଥିବାରୁ ଭାରତ ତାଲିକାରେ ଏବେ ନବମରୁ ଅଷ୍ଟମ ସ୍ଥାନକୁ ଚାଲି ଆସିଛି। କରୋନା କେସ୍ ସେହି ସମୟରେ ଅହେତୁକ ବଢିବାରେ ଲାଗିଛି ଯେବେ ଭାରତ ଲକ୍ଡାଉନ୍ ଖୋଲିବାକୁ ପ୍ରସ୍ତୁତି କରୁଛି।