ପାକିସ୍ତାନ ପରାଜୟରେ ଭାରତ ଖୁସି, ପ୍ରଥମ ଟେଷ୍ଟ ଇଂଲଣ୍ଡ  ଜିତିବା ପରେ ଫାଇଦାରେ ରୋହିତ ବାହିନୀ

Published By : Prameya-News7 Bureau | December 05, 2022 IST

ନୂଆଦିଲ୍ଲୀ:  ଇଂଲଣ୍ଡ ଦଳ ଦୀର୍ଘ ୧୭ ବର୍ଷ ପରେ ପାକିସ୍ତାନ ମାଟିରେ ଟେଷ୍ଟ କ୍ରିକେଟ୍ ଖେଳିବାକୁ ମଇଦାନ ଓହ୍ଲାଇଥିଲା। ଆଉ ପାକିସ୍ତାନକୁ ତାରି ମାଟିରେ ଦେଖାଇ ଦେଲା ଯେ, ପ୍ରକୃତ ଟେଷ୍ଟ କାହାକୁ କୁହାଯାଏ। ବେନ ଷ୍ଟୋକ୍ସଙ୍କ ନେତୃତ୍ଵାଧୀନ ଇଂଲଣ୍ଡ ଦଳ ରାଓ୍ଵଲପିଣ୍ଡିରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ରୋମାଞ୍ଚକର ବିଜୟ ହାସଲ କରିଛି। ଇଂରେଜ ଦଳ ଘରୋଇ ପାକିସ୍ତାନକୁ ଖେଳର ପଞ୍ଚମ ଦିନର ଶେଷ ସେସନରେ ୭୪ ରନରେ ପରାସ୍ତ କରିଛି। ଆଉ ପାକିସ୍ତାନ ପରଜାୟର ଫାଇଦା ଭାରତକୁ ମିଳିଛି।

ରାଓ୍ଵଲପିଣ୍ଡି ଟେଷ୍ଟରେ ପରାଜୟ ପରେ ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ୨୦୨୧-୨୩ ସିଜିନରେ ପାକିସ୍ତାନର ପଏଣ୍ଟ ୫୧.୮୫ରୁ ହ୍ରାସ ପାଇ ୪୬.୬୭କୁ ଖସି ଆସିଛି। ଭାରତୀୟ ଦଳ ଏବେ ବି ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲରେ ପାକିସ୍ତାନଠୁ ଆଗରେ ରହିଛି। ଏବେ ପାକିସ୍ତାନ ଦଳର ପରାଜୟ ନିଶ୍ଚିତ ରୂପେ ଆଗାମୀ ଦିନରେ ଭାରତୀୟ ଦଳର କାମରେ ଆସିବ। କାରଣ ପାକିସ୍ତାନ କ୍ରିକେଟ୍ ଦଳ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ୨୦୨୩ର ଫାଇନାଲ୍ ଦୌଡରେ ରହିଛି।

ଡବ୍ଲ୍ୟୁଟିସି ୨୩ର ପଏଣ୍ଟ ଟେବୁଲ୍‌ରେ ବର୍ତ୍ତମାନ ଶୀର୍ଷରେ ରହିଛି ଅଷ୍ଟ୍ରେଲିଆ। ଏହାର ବିଜୟ ପ୍ରତିଶତ ୭୨.୭୩ ପ୍ରତିଶତ ରହିଥିବା ବେଳେ ଦ୍ଵିତୀୟରେ ଥିବା ଦକ୍ଷିଣ ଆଫ୍ରିକାର ବିଜୟ ପ୍ରତିଶତ ୬୦ ରହିଛି। ୫୩.୩୩ ପ୍ରତିଶତ ସହ ଶ୍ରୀଲଙ୍କା ତୃତୀୟ ସ୍ଥାନରେ ରହିଛି। ଏହା ପରେ ଚତୁର୍ଥ ଏବଂ ପଞ୍ଚମରେ କ୍ରମଶଃ ଭାରତ ଏବଂ ପାକିସ୍ତାନ ରହିଛନ୍ତି। ସଂପ୍ରତି ଏହି ପାଞ୍ଚଟି ଦଳ ଇଂଲଣ୍ଡରରେ ଆସନ୍ତାବର୍ଷ ହେବାକୁ ଥିବା ଡବ୍ଲ୍ୟୁଟିସି ଫାଇନାଲ୍‌ ଦୌଡରେ ରହିଛନ୍ତି। ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରୁ ଗୋଟିଏ ଦଳ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ପାରନ୍ତି।

ସୂଚନାଯୋଗ୍ୟ, ପ୍ରଥମ ଟେଷ୍ଟରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୬୫୭ ରନର ବିଶାଳ ସ୍କୋର କରିଥିଲା। ଜବାବରେ ପାକିସ୍ତାନ ଦୃଢ ଜବାବ ଦେଇ ୫୭୯ ରନ କରିଥିଲା। ତେବେ ଇଂଲଣ୍ଡ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ୭୮ ରନ ଆଗୁଆ ରହିଥିଲା। ଖେଳର ଶେଷ ଆଡକୁ ବୋଲରଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଥିଲା। ଦ୍ଵିତୀୟ ଇନିଂସରେ ଇଂଲଣ୍ଡ ୭ ଓ୍ଵିକେଟ୍ ହରାଇ ୨୬୪ ରନ ଇନିଂସ ସମାପ୍ତି ଘୋଷଣା କରିଥିଲା ଏବଂ ପାକିସ୍ତାନ ସମ୍ମୁଖରେ ରହିଥିଲା ୩୪୩ ରନର ବିଜୟ ଲକ୍ଷ୍ୟ। ଜବାବରେ ପାକିସ୍ତାନ ୨୬୮ ରନରେ ଅଲଆଉଟ୍ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.