ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ । ଭାରତର ତାରକା ଜାଭଲିନ ଫିଙ୍ଗାଳି ନୀରଜ ଚୋପ୍ରା ଭାରତ ପାଇଁ ଚଳିତ ଅଲିମ୍ପିକ୍ସରେ ପ୍ରଥମ ରୌପ୍ୟ ପଦକ ଜିତିଛନ୍ତି । କ୍ରମାଗତ ଦ୍ୱିତୀୟ ଅଲିମ୍ପିକ୍ସରେ ପଦକ ଜିତି ଭାରତୀୟ ଜାଭେଲିନ ଖେଳାଳି ଭାବେ ଇତିହାସ ରଚିଛନ୍ତି । ତେବେ ସ୍ୱର୍ଣ୍ଣ ପଦକର ପ୍ରବଳ ଦାବିଦାର ଥିବା ନୀରଜଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଥିବା ବେଳେ ପାକିସ୍ତାନର ଅର୍ଶଦ ନଦୀମ ଅଲିମ୍ପିକ୍ସ ଇତିହାସର ରେକର୍ଡ ଭାଙ୍ଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଗ୍ରେନେଡାର ଆଣ୍ଡରସନ ପିଟର୍ସ କାଂସ୍ୟ ପଦକ ଜିତିଛନ୍ତି ।
ଫାଇନାଲ ମୁକାବିଲାରେ ନୀରଜ ଚୋପ୍ରା ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ୮୯.୪୫ ମିଟର ଜାଭିଲନ ଫିଙ୍ଗି ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି । ଏହା ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଥିଲେ । ଆଜିର ମୁକାବିଲାରେ ନୀରଜଙ୍କ ପ୍ରଥମ ପ୍ରୟାସ ଫାଉଲ ରହିଥିଲା । ଦ୍ୱିତୀୟ ପ୍ରୟାସରେ ସେ ୮୯.୪୫ ମିଟର ଫିଙ୍ଗିଥିବା ବେଳେ ତୃତୀୟ ପ୍ରୟାସ ମଧ୍ୟ ଫାଉଲ ହୋଇଥିଲା । ଏହା ଟପ୍ -୮ ମୁକାବିଲାରେ ନୀରଜଙ୍କ ଚତୁର୍ଥ ପ୍ରୟାସ ମଧ୍ୟ ଫାଉଲ ହୋଇଥିଲା । ପଞ୍ଚମ ପ୍ରୟାସ ମଧ୍ୟ ନୀରଜଙ୍କ ଫାଉଲ ହୋଇଥିଲା । ତେବେ ୮୯.୪୫ ମିଟର ନୀରଜଙ୍କ ଚଳିତ ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ ରହିଛି ।
ଅନ୍ୟପଟେ ପାକିସ୍ତାନ ଅର୍ଶଦ ନଦୀମ ନିଜର ଦ୍ୱିତୀୟ ପ୍ରୟାସରେ ୯୨.୯୭ ମିଟର ଜାଭଲିନ ଫିଙ୍ଗି କେବଳ ସ୍ୱର୍ଣ୍ଣ ପଦକ ଜିତି ନାହାନ୍ତି ବରଂ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି । ଏପରିକି ନିଜର ଶେଷ ପ୍ରୟାସରେ ନଦୀମ ୯୦ ମିଟରରୁ ଅଧିକ ଭାଲା ଫିଙ୍ଗିଛନ୍ତି । ଏଥିସହ ସହ ସେ ଅଲିମ୍ପିକ୍ସରେ ଇତିହାସରେ ନୂତନ ରେକର୍ଡ ସ୍ଥାପନ କରିଛନ୍ତି । ଅର୍ଶଦ ନଦୀମ ନରୱେର ଆଣ୍ଡ୍ରିୟାସ ଥୋରକିଲ୍ଡସେନଙ୍କ ରେକର୍ଡ ଭାଙ୍ଗିଛନ୍ତି । ଆଣ୍ଡ୍ରିୟାସ ଏହି ରେକର୍ଡ ୨୦୦୮ ଅଗଷ୍ଟ ୨୩ରେ ବେଜିଂ ଅଲିମ୍ପିକ୍ସରେ ୯୦.୫୭ ମିଟର ଯାଏଁ ଭାଲା ଫିଙ୍ଗିଥିଲେ । ଗ୍ରେନେଡାର ଆଣ୍ଡରସନ ପିଟର୍ସ ୮୮.୫୪ ମିଟର ଫିଙ୍ଗି କାଂସ୍ୟ ପଦକ ଜିତିଛନ୍ତି ।
ଏହି ପଦକ ସହ ୨୬ ବର୍ଷୀୟ ନୀରଜ ଚୋପ୍ରା ଏକ ଐତିହାସିକ ରେକର୍ଡ ନିଜ ନାମରେ କରିଛନ୍ତି । ସେ କ୍ରମାଗତ ଦୁଇ ଅଲିମ୍ପିକ୍ସରେ ବ୍ୟକ୍ତିଗତ ବର୍ଗରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିବାରେ ପ୍ରଥମ ଭାରତୀୟ ଖେଳାଳି ହୋଇଛନ୍ତି । ଏହା ପୂର୍ବରୁ ଭାରତର ବ୍ୟକ୍ତିଗତ ଇଭେଣ୍ଟ ସୁଟିଂରେ ଅଭିନବ ବିନ୍ଦ୍ରା ବେଜିଂ ୨୦୦୮ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିଲେ । ମାତ୍ର ଏହା ପରେ ସେ କୌଣସି ପଦକ ଜିତି ନ ଥିଲେ ।
ସୂଚନାଯୋଗ୍ୟ, ନୀରଜଙ୍କ ରୌପ୍ୟ ପଦକୁ ମିଶାଇ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ଏ ପର୍ଯ୍ୟନ୍ତ ୫ଟି ପଦକ ଜିତିଛି। ଏହି ଚାରି ପଦକ କାଂସ୍ୟ ପଦକ ଭାବେ ମିଳିଛି। ପ୍ରଥମେ ମନୁ ଭାକର ୧୦ ମିଟର ଏୟାର ପିସ୍ତଲରେ କାଂସ୍ୟ ପଦକ ଜିତିଥିଲେ। ପୁଣି ମିଶ୍ରିତ ବର୍ଗରେ ସରବଜୋତ ସିଂଙ୍କ ସହ ମିଶି ମନୁ ଦ୍ଵିତୀୟ କାଂସ୍ୟ ଜିତିଥିଲେ। ସ୍ଵପ୍ନିଲ କୁସାଲେ ସୁଟିଂରେ ଦେଶ ପାଇଁ ତୃତୀୟ ପଦକ ଜିତିଥିଲେ। ଆଜି ଭାରତୀୟ ହକି ଦଳ ୨-୧ ଗୋଲରେ ସ୍ପେନକୁ ହରାଇ କାଂସ୍ୟ ପଦକ ଜିତିଛି ।