ନୂତନ ବିଶ୍ଵ ରେକର୍ଡ କଲା ଭାରତ, ଦିନିକିଆ ଇତିହାସରେ ହାସଲ କଲା ସବୁଠୁ ବଡ ବିଜୟ
15/01/2023 at 8:29 PM

ନୂଆଦିଲ୍ଲୀ: ଭାରତୀୟ ଦଳ ଅନ୍ତର୍ଜାତୀୟ ଦିନିକିଆରେ ନୂତନ ବିଶ୍ଵ ରେକର୍ଡ ସ୍ଥାପନ କରିଛି। ଭାରତ ରନ ବ୍ୟବଧାନ ଦୃଷ୍ଟିରୁ ଦିନିକିଆରେ ବିଶାଳ ବିଜୟ ହାସଲ କରିଛି। ଭାରତ ତୃତୀୟ ଦିନିକିଆରେ ଭ୍ରମଣକାରୀ ଶ୍ରୀଲଙ୍କାକୁ ୩୧୭ ରନରେ ହରାଇଛି। ଏହି ଐତିହାସିକ ବିଜୟ ସହ ଭାରତ ଦିନିକିଆ ଶୃଙ୍ଖଳାକୁ ୩-୦ରେ କ୍ଲିନ୍ ସୁଇପ୍ କରି ନେଇଛି।
ଏ ପର୍ଯ୍ୟନ୍ତ ଦିନିକିଆ ଅନ୍ତର୍ଜାତୀୟରେ ରନ ବ୍ୟବଧାନ ଦୃଷ୍ଟିରୁ ସବୁଠୁ ବଡ ବିଜୟର ରେକର୍ଡ ନ୍ୟୁଜିଲାଣ୍ଡ ନାମରେ ଥିଲା। ନ୍ୟୁଜିଲାଣ୍ଡ ଆୟରଲାଣ୍ଡକୁ ୨୯୦ ରନରେ ହରାଇ ବିଶ୍ଵ ରେକର୍ଡ କରିଥିଲା। ଅଷ୍ଟ୍ରେଲିଆ ୨୭୫ ରନର ବିଶାଳ ବ୍ୟବଧାନରେ ଆଫଗାନିସ୍ତାନକୁ ହରାଇଥିଲା। ଏହି ଦୁଇ ଦଳ ବିପକ୍ଷ ଦଳକୁ ୪୦୦ରୁ ଅଧିକ ରନର ବିଜୟ ଲକ୍ଷ୍ୟ ଦେଇଥିଲା। ମାତ୍ର ଭାରତ ଶ୍ରୀଲଙ୍କା ସମ୍ମୁଖରେ ୩୯୧ ରନର ବିଜୟ ଲକ୍ଷ୍ୟ ରଖିଥିଲା। ଆଜି ଶ୍ରୀଲଙ୍କାକୁ ୩୧୭ ରନରେ ହରାଇ ଭାରତ ରନ ବ୍ୟବଧାନ ଦୃଷ୍ଟିରୁ ସବୁଠୁ ବଡ ବିଜୟର ରେକର୍ଡ ନିଜ ନାମରେ କରିଛି।
ଦିନିକିଆ କ୍ରିକେଟ୍ ଇତିହାସରେ ଭାରତ ଏକ ମାତ୍ର ଏମିତି ଦଳ ଯିଏ ୫୦ ଓଭର ଫର୍ମାଟ୍ର ମ୍ୟାଚ୍କୁ ୩୦୦ କିମ୍ବା ସେଥିରୁ ଅଧିକ ରନ ବ୍ୟବଧାନରେ ବିଜୟ ହାସଲ କରିଛି। ଆଗାମୀ ସମୟରେ ବୋଧହୁଏ ଏହି ରେକର୍ଡ କୌଣସି ଟେଷ୍ଟ ମ୍ୟାଚ୍ ଖେଳୁଥିବା ଦଳ ମଧ୍ୟରେ ହୋଇପାରେ କିମ୍ବା ଭାଙ୍ଗିପାରେ। ଏହା ପୂର୍ବରୁ ଭାରତ ୨୦୦୭ ବିଶ୍ଵ କପ୍ରେ ବର୍ମୁଡା ବିପକ୍ଷରେ ୨୫୭ ରନର ବିଶାଳ ବିଜୟ ହାସଲ କରିଥିଲା। ଏହା ବ୍ୟତୀତ ଭାରତ ୨୦୦୮ରେ କରାଚିରେ ହଂକଂ ବିପକ୍ଷରେ ୨୫୬ ରନର ବଡ ବିଜୟ ହାସଲ କରିଥିଲା।
ପ୍ରଥମେ ବିରାଟ କୋହଲିଙ୍କ ପ୍ରହାରରେ ଧରାଶାୟୀ ଶ୍ରୀଲଙ୍କା ଦଳ ପରେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂର ମୁକାବିଲା କରିନପାରି ବ୍ୟାଟିଂ ବିପର୍ଯ୍ୟୟ ଭୋଗିଛି। ତିରୁଅନନ୍ତପୁରମର ଗ୍ରୀନଫିଲଡ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚିତ୍ତାକର୍ଷକ ପ୍ରଦର୍ଶନ କରି ଭାରତ ଶ୍ରୀଲଙ୍କାକୁ ୩୧୭ ରନରେ ହରାଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ବିରାଟ କୋହଲିଙ୍କ ଅପରାଜିତ ୧୬୬ ରନ ଏବଂ ଶୁବମାନ ଗିଲ୍ଙ୍କ ୧୧୬ ରନର ଶତକୀୟ ପାଳି ବଳରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୩୯୦ ରନ କରିଥିଲା। ଜବାବରେ ଶ୍ରୀଲଙ୍କା ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇ ୨୨ ଓଭରରେ ୭୩ ରନ କରି ପାରିଛି। ଭାରତ ପକ୍ଷରୁ ମହମ୍ମଦ ସିରାଜ ଘାତକ ବୋଲିଂ କରି ୪ ଓ୍ଵିକେଟ୍ ନେଇଛନ୍ତି।