ଅର୍ଥନୀତି: ୨୦୩୧ ସୁଦ୍ଧା ୬.୭ ଟ୍ରିଲିୟନ ଡଲାରରେ ପହଞ୍ଚିବ ଭାରତର ଅର୍ଥନୀତି, ଆସନ୍ତା ୭ ବର୍ଷ ଭିତରେ ଦୁଇଗୁଣ ହେବ ମୁଣ୍ଡପିଛା ଆୟ
3/08/2023 at 7:15 PM

ନୂଆଦିଲ୍ଲୀ: ୨୦୩୦-୩୧ ଆର୍ଥିକ ବର୍ଷ ସୁଦ୍ଧା ଭାରତର ଅର୍ଥନୀତି ପ୍ରାୟ ଦ୍ୱିଗୁଣିତ ହୋଇ ୬.୭ ଟ୍ରିଲିୟନ ଡଲାରରେ ପହଞ୍ଚିବ। ବର୍ତ୍ତମାନ ଏହା ୩.୪ ଟ୍ରିଲିୟନ ଡଲାର ରହିଛି। ରେଟିଂ ଏଜେନ୍ସି ‘ଏସ୍ ଆଣ୍ଡ ପି ଗ୍ଲୋବାଲ’ ଭାରତୀୟ ଅର୍ଥନୀତି ଉପରେ ଗବେଷଣା କରି ଏଭଳି ରିପୋର୍ଟ ଦେଇଛି। ରେଟିଂ ଏଜେନ୍ସି କହିଛି ଯେ ଆର୍ଥିକ ବର୍ଷ ୨୦୨୩-୨୪ ରୁ ୨୦୩୦-୩୧ ପର୍ଯ୍ୟନ୍ତ ଭାରତର ଅର୍ଥନୀତି ବାର୍ଷିକ ୬.୭ ପ୍ରତିଶତ ହାରରେ ବୃଦ୍ଧି ପାଇବ।
ଏସ୍ ଆଣ୍ଡ ପି ଗ୍ଲୋବାଲର ରିପୋର୍ଟ ଅନୁସାରେ, ୨୦୩୧-୩୨ ଆର୍ଥିକ ବର୍ଷ ସୁଦ୍ଧା ଭାରତର ମୁଣ୍ଡପିଛା ଆୟ ୪୫୦୦ ଡଲାର ହେବ। ହେଲେ ବର୍ତ୍ତମାନ ଏହା ପ୍ରାୟ ୨୫୦୦ ଡଲାର ରହିଛି। ଭବିଷ୍ୟତରେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ କର୍ମକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରିପୋର୍ଟରେ ଦର୍ଶାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ, ମୋଟ କର୍ମକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ମାତ୍ର ୨୪ ପ୍ରତିଶତ ରହିଛି।
ରିପୋର୍ଟ ଅନୁଯାୟୀ, ଭାରତର ସର୍ଭିସେସ୍ ଏକ୍ସପୋର୍ଟ ଅର୍ଥିକ ବିକାଶର ସବୁଠାରୁ ବଡ଼ କାରଣ ହେବ। ଏସ୍ ଆଣ୍ଡ ପି ଗ୍ଲୋବାଲ ଗବେଷଣା କରି କହିଛି ଯେ ବର୍ତ୍ତମାନ ଭାରତରେ ଆର୍ଥିକ ସେବା(ଫାଇନାନ୍ସିଆଲ୍ ସର୍ଭିସ୍) ପାଇଁ ୨୮୦ ବିଲିୟନ ଡଲାର ଖର୍ଚ୍ଚ ହେଉଛି। ହେଲେ ଏହା ବଢ଼ି ୬୭୦ ବିଲିୟନ ଡଲାର ହେବ ବୋଲି ଗେବଷଣା ସଂସ୍ଥା କହିଛି।
ପଢ଼ନ୍ତୁ-ଋଷିଆରୁ ବିପୁଳ ପରିମାଣରେ ଗହମ କିଣିବାକୁ ବିଚାର କରୁଛି ଭାରତ, ଜାଣନ୍ତୁ ଆମଦାନୀ ହେବ କେତେ ମିଲିୟନ ଟନ?
ଏସ୍ ଆଣ୍ଡ ଗ୍ଲୋବାଲ୍ ଅନୁଯାୟୀ, ୨୦୩୦ ସୁଦ୍ଧା ଷ୍ଟାର୍ଟଅପ୍ରେରେ ଭେଞ୍ଚର କ୍ୟାପିଟାଲ ଫଣ୍ଡିଂ ଦ୍ୱିଗୁଣିତ ହୋଇଯିବ। ଇଲେକ୍ଟ୍ରିକ୍ ଭେଇକଲ, ସ୍ପେସ୍ ଟେକ୍ନୋଲୋଜି, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଡ୍ରୋନ୍ସ ରୋବୋଟିକ୍ସ ଏବଂ କ୍ଲିନ୍ ଟେକ୍ନୋଲୋଜି ପରି ନୂଆ ଭର୍ଟିକାଲ୍ ଗୁଡିକ ଆଗାମୀ ଦିନରେ ସବୁଠାରୁ ବଡ ଲାଭ ହେବ। ଏହି କ୍ଷେତ୍ରଗୁଡିକରେ ଭାରତକୁ ଆସୁଥିବା ପୁଞ୍ଜି ଚଳିତ ଦଶକର ଶେଷ ପର୍ଯ୍ୟନ୍ତ ଭାରତର ହାରାହାରି ୬.୭ ଜିଡିପି ଅଭିବୃଦ୍ଧିର ୫୩ ପ୍ରତିଶତ ଯୋଗଦାନ ଦେବ।
ରିପୋର୍ଟ ଅନୁଯାୟୀ, ୨୦୩୧ ସୁଦ୍ଧା ଭାରତର ଉପଭୋକ୍ତା ବଜାର(କଞ୍ଜ୍ୟୁମର ମାର୍କେଟ୍ ସାଇଜ୍) ବଢ଼ି ଦ୍ୱିଗୁଣିତ ହେବ। ୨୦୨୨ରେ ଉପଭୋକ୍ତା ବଜାର ୨.୩ ଟ୍ରିଲିୟନ୍ ଡଲାର ଥିଲା। ଯାହା ୨୦୩୧ ସୁଦ୍ଧା ୫.୨ ଟ୍ରିଲିୟନ୍ ଡଲାରକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଖାଦ୍ୟ ସାମଗ୍ରୀ ଉପରେ ଗ୍ରାହକଙ୍କ ଖର୍ଚ୍ଚ ୬୧୫ ବିଲିୟନ ଡଲାରରୁ ୧.୪ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇବ।
ଭାରତୀୟ ଅର୍ଥନୀତି ପାଇଁ ଏହା ଆଉ ଏକ ଖୁସି ଖବର ନିଶ୍ଚୟ। ଏହାପୂର୍ବରୁ ମୋର୍ଗାନ ଷ୍ଟେନଲି ଭାରତକୁ ଏହାର ଉଦୀୟମାନ ବଜାର ତାଲିକାରେ ଭାରତକୁ ଅପ୍ଗ୍ରେଡ୍ କରିଥିଲା। ଚୀନ୍କୁ ଡାଉନଗ୍ରେଡ୍ କରିଥିଲା।
ପଢ଼ନ୍ତୁ-ସରକାରଙ୍କ ବଡ଼ ନିଷ୍ପତ୍ତି, ବିଦେଶରୁ ଲାପଟପ୍, କମ୍ପ୍ୟୁଟର ଓ ଟାବଲେଟ୍ ଆମଦାନୀ ଉପରେ ଲାଗିଲା ରୋକ୍