୨୦୨୨-୨୦୨୫ ମହିଳା କ୍ରିକେଟ୍ ଏଫ୍ଟିପି : ୩ ବର୍ଷରେ ୩୦୦ ଅନ୍ତର୍ଜାତୀୟ ମ୍ୟାଚ୍, ଟିମ୍ ଇଣ୍ଡିଆ ଖେଳିବ ୬୨ ମ୍ୟାଚ୍
17/08/2022 at 10:55 AM

ଦୁବାଇ ୧୭।୦୮: ଆଇସିସି ପକ୍ଷରୁ ଆଗାମୀ ୨୦୨୨ରୁ ୨୦୨୫ ସିଜନ ପାଇଁ ମହିଳା କ୍ରିକେଟ୍ର ଫ୍ୟୁଚର ଟୁର୍ ପ୍ରୋଗ୍ରାମ(ଏଫ୍ଟିପି) ଘୋଷଣା କରାଯାଇଛି । ଆଗାମୀ ୩ ବର୍ଷ ମଧ୍ୟରେ ଭାରତୀୟ ମହିଳା ଦଳ ୨ଟି ଟେଷ୍ଟ, ୨୭ଟି ଦିନିକିଆ ଓ ୩୬ଟି ଟି-ଟ୍ୱେଣ୍ଟି ଖେଳିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଭାରତୀୟ ଦଳକୁ ମାତ୍ର ୨ଟି ଟେଷ୍ଟ ଖେଳିବାକୁ ସୁଯୋଗ ମିଳିବା କ୍ରିକେଟ୍ ପ୍ରେମୀଙ୍କୁ ନିରାଶ କରିଛି । ଏହି ସମୟ ମଧ୍ୟରେ ଇଂଲଣ୍ଡ ମହିଳା ଦଳ ସର୍ବାଧିକ ୫ଟି ଟେଷ୍ଟ, ଅଷ୍ଟ୍ରେଲିଆ ୪ଟି ଟେଷ୍ଟ ଓ ଦକ୍ଷିଣ ଆଫ୍ରିକା ୩ଟି ଟେଷ୍ଟ ଖେଳିବାର କାର୍ଯ୍ୟକ୍ରମ ରହିଛି । ୨୦୨୩/୨୪ ଘରୋଇ ସିଜନ ସମୟରେ ଭାରତୀୟ ମହିଳା ଦଳ ଉଭୟ ଟେଷ୍ଟ ଖେଳିବାର କାର୍ଯ୍ୟକ୍ରମ ରହିଛି ।
ଘରୋଇ ସିଜନରେ ଭାରତ ମୋଟ୍ ୨୩ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବ । ୨୦୨୩ ସେପ୍ଟେମ୍ବରରୁ ଭାରତୀୟ ମହିଳା ଦଳର ଘରୋଇ ସିଜନ ଆରମ୍ଭ ହେବ । ପ୍ରଥମେ ଦକ୍ଷିଣ ଆଫ୍ରିକା ମହିଳା ଦଳ ଭାରତ ଗସ୍ତରେ ଆସି ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ଖେଳିବ । ଏହାପରେ ଆକ୍ଟୋବରରେ ନ୍ୟୁଜିଲାଣ୍ଡ ମହିଳା ଦଳ ଭାରତ ଗସ୍ତରେ ୩ଟି ଦିନିକିଆ ଓ ୩ଟି-ଟ୍ୱେଣ୍ଟି ଖେଳିବ । ଡିସେମ୍ବର ମାସରେ ଇଂଲଣ୍ଡ ଦଳ ଭାରତ ଗସ୍ତରେ ଆସି ଗୋଟିଏ ଟେଷ୍ଟ ଓ ୩ଟି ଟି-ଟ୍ୱେଣ୍ଟି ଖେଳିବ । ଏହାପରେ ଅଷ୍ଟ୍ରେଲିଆ ଦଳ ଏକ ପୂର୍ଣ୍ଣାଙ୍ଗ ସିରିଜ ଖେଳିବା ପାଇଁ ଭାରତ ଗସ୍ତରେ ଆସିବ । ଏହି ସିରିଜରେ ଗୋଟିଏ ଟେଷ୍ଟ, ୩ଦିନିକିଆ ଓ ୩ ଟିଟ୍ୱେଣ୍ଟି ଖେଳିବାର କାର୍ଯ୍ୟକ୍ରମ ରହିଛି । ଇଂଲଣ୍ଡ ଦଳ ଶେଷ ଥର ପାଇଁ ୨୦୦୫ରେ ଭାରତ ଗସ୍ତରେ ଆସି ଟେଷ୍ଟ ଖେଳିଥିଲା ।
ସେହିପରି ୧୯୮୪ରେ ଅଷ୍ଟ୍ରେଲିଆ ଦଳ କ୍ରିକେଟ ସିରିଜ ଖେଳିବା ପାଇଁ ଭାରତ ଆସିଥିଲା । ୨୦୨୩ ଫେବ୍ରୁଆରୀରେ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ ରହିଛି । ଏଥର ଦକ୍ଷିଣ ଆଫ୍ରିକାରେ ବିଶ୍ୱକପ୍ ଅନୁଷ୍ଠିତ ହେବ । ମାର୍ଚ୍ଚରୁ ମେ ମାସ ମଧ୍ୟରେ କୌଣସି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ରଖାଯାଇନାହିଁ । ମାର୍ଚ୍ଚରେ ମହିଳା ଆଇପିଏଲ୍ ଆୟୋଜନ ପାଇଁ ବିସିସିଆଇ ଯୋଜନା କରୁଛି । ଏଥିପାଇଁ ମହିଳା କ୍ରିକେଟ୍ ଘରୋଇ ସିଜନକୁ ଆଗୁଆ ଆୟୋଜନ କରାଯାଉଛି ।
ସଦ୍ୟ ଘୋଷିତ ଏଫ୍ଟିପି ଅନୁଯାୟୀ, ଭାରତୀୟ ମହିଳା ଦଳ ଗତ ଜୁନ ଓ ଜୁଲାଇରେ ଶ୍ରୀଲଙ୍କା ଗସ୍ତ କରି ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ଖେଳିଥିଲା । ଆସନ୍ତା ମାସରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରି ୩ ଦିନିକିଆ ଓ ୩ ଟି-ଟ୍ୱେଣ୍ଟି ଖେଳିବ । ବର୍ଷ ଶେଷ ଆଡକୁ ଦଳ ଅଷ୍ଟ୍ରେଲିଆ ଗସ୍ତ କରି ୫ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ଖେଳିବ । ଆସନ୍ତା ବର୍ଷ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପୂର୍ବରୁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରି ସେଠାରେ ଏକ ତ୍ରିକୋଣୀୟ ଟି-ଟ୍ୱେଣ୍ଟି ସିରିଜ ଖେଳିବ । ଅନ୍ୟ ଦୁଇ ଦଳ ଭାବେ ଆୟୋଜକ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟ ଇଣ୍ଡିଜ୍ ଏହି ସିରିଜ ଖେଳିବେ । ଦୀର୍ଘ ଦିନର ପ୍ରତୀକ୍ଷା ପରେ ମହିଳା ଏସିଆ କପ୍ ଆୟୋଜନ ପାଇଁ ସମୟ ମିଳିଛି । ଚଳିତ ବର୍ଷ ଅକ୍ଟୋବରରେ ମହିଳା ଏସିଆ କପ୍ ଅନୁଷ୍ଠିତ ହେବ । ୨୦୨୦ରେ କରୋନା ମହାମାରୀକୁ ନଜରରେ ରଖି ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖାଯାଇଥିଲା । ୨୦୨୪ରେ ଭାରତୀୟ ଦଳର ମ୍ୟାଚ୍ ସଂଖ୍ୟା କମ୍ ରହିଛି । ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରି ୩ଟି ଦିନିକିଆ ଖେଳିବ । ସ୍ୱଦେଶ ଫେରିବା ପରେ ଭାରତ ଘରୋଇ ଗ୍ରାଉଣ୍ଡ୍ରେ ୱେଷ୍ଟ ଇଣ୍ଡିଜ୍ ବିପକ୍ଷରେ ୩ଦିନିକିଆ ଓ ୩ ଟି-ଟ୍ୱେଣ୍ଟି ଖେଳିବ । ୨୦୨୫ରେ ଆୟର୍ଲାଣ୍ଡ କ୍ରିକେଟ୍ ଦଳ ଭାରତ ଗସ୍ତରେ ଆସି ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ଖେଳିବ । ଏପ୍ରିଲ୍ରେ ଦିନିକିଆ ମହିଳା ବିଶ୍ୱକପ୍ ଅନୁଷ୍ଠିତ ହେବ । ଭାରତକୁ ଦିନିକିଆ ବିଶ୍ୱକପ୍ ଆୟୋଜନ ଅଧିକାର ମିଳିଛି ।