ସିଡନୀ ଦିନିକିଆ ହାରିବା ପରେ ଟିମ୍ ଇଣ୍ଡିଆର କଟିଲା ମ୍ୟାଚ୍ ଫି, ଜାଣନ୍ତୁ କାରଣ
28/11/2020 at 4:48 PM

ସିଡନୀ ୨୮।୧୧: ସିଡନୀ ଦିନିକିଆରେ ୬୬ ରନରେ ପରାଜିତ ହୋଇଥିବା ଭାରତୀୟ ଦଳକୁ ଆଉ ଏକ ଝଟକା ଲାଗିଛି। ଆଇସିସି ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶନିବାର ଭାରତୀୟ କ୍ରିକେଟ୍ ଦଳ ଉପରେ ଜୋରିମାନା ଲଗାଇଛି। ଭାରତୀୟ ଦଳକୁ ସିଡନୀ ଦିନିକିଆରେ ଧିମା ଓଭର ବୋଲିଂ ପାଇଁ ମ୍ୟାଚ୍ ଫିର ୨୦ ପ୍ରତିଶତ ଜୋରିମାନା ଭାବେ କଟା ଯାଇଛି। ଭାରତ ପ୍ରଥମ ଦିନିକିଆରେ ୫୦ ଓଭର ପୂରା କରିବା ଲାଗି ଚାରି ଘଣ୍ଟା ୬ ମିନିଟ୍ ସମୟ ନେଇଥିଲା। ବିରାଟ ବାହିନୀ ନିର୍ଦ୍ଧାରିତ ସମୟଠୁ ଗୋଟିଏ ଓଭର କମ ବୋଲିଂ କରିଥିଲେ। ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦର ମ୍ୟାଚ୍ ରେଫରୀ ଡେଭିଡ୍ ବୁନ ଦଳ ଉପରେ ଏହି ଜୋରିମାନା ଲଗାଇଛନ୍ତି।
ଆଇସିସି ଶନିବାର ଜାରି ବିବୃତ୍ତିରେ କହିଛି, ଆଇସିସିର ଖେଳାଳି ଓ ସହଯୋଗୀ ସଦସ୍ୟଙ୍କ ପାଇଁ ନିର୍ଦ୍ଧାରିତ ସମୟରେ ବୋଲିଂ ନକରି ପାରିବା ସ୍ଥିତିରେ ଓଭର ପିଛା ୨୦ ପ୍ରତିଶତ ଜୋରିମାନା ଲଗାଯାଏ। ଅଧିନାୟକ ବିରାଟ କୋହଲି ଉଲ୍ଲଂଘନ ଓ ପ୍ରସ୍ତାବିତ ଜୋରିମାନା ସ୍ଵୀକାର କରିଛନ୍ତି। ଏଥିପାଇଁ ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକତା ପଡିନାହିଁ। ପଡିଆ ଅମ୍ପାୟର ରଡ୍ ଟକ୍କର ଓ ସାମ ନୋଗାଜସ୍କି, ଟିଭି ଅମ୍ପାୟର ପଲ୍ ରେଫେଲ ଓ ଚତୁର୍ଥ ଅମ୍ପାୟର ଗେରାର୍ଡ ଏବୋଡ ନିୟମ ଉଲ୍ଲଂଘନ ନିର୍ଦ୍ଧାରଣ କରିଛନ୍ତି। ଭାରତ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୦-୧ରେ ପଛୁଆ ରହିଛି। ଦ୍ଵିତୀୟ ମ୍ୟାଚ୍ ଆସନ୍ତାକାଲି ସିଡନୀରେ ଖେଳାଯିବ।
ସୂଚନାଯୋଗ୍ୟ, ସିଡନୀରେ ଭାରତୀୟ ଦଳର ପ୍ରଦର୍ଶନ ନିମ୍ନମାନର ରହିଥିଲା। ଦଳ ପାଞ୍ଚ ଜଣ ବୋଲର ସହିତ ପଡିଆକୁ ଓହ୍ଲାଇଥିଲା। ଏଥିରେ ଦୁଇ ଜଣ ସ୍ପିନର ସାମିଲ ଥିଲେ। ଏହା ପରେ ବି ଦଳ ନିର୍ଦ୍ଧାରିତ ସମୟରେ ଓଭର ସାରି ପାରିନଥିଲା। ଭାରତୀୟ ଦଳ କରୋନା ପରେ ପ୍ରଥମ ଥର ଦିନିକିଆ ମ୍ୟାଚ୍ ଖେଳିଥିଲା। ଯାହାର ପ୍ରଭାବ ପଡିଆରେ ଦେଖିବାକୁ ମିଳିଥିଲା।