ନୂଆଦିଲ୍ଲୀ: ଖାଇବା ତେଲର ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଆମଦାନୀ ଶୁଳ୍କ ଆଦାୟ କୋହଳ ନିଷ୍ପତ୍ତିକୁ ଆହୁରି ଗୋଟିଏ ବର୍ଷ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ପୂର୍ବରୁ କେନ୍ଦ୍ର ସରକାର ରିଫାଇନ୍ ସୋୟାବିନ ତେଲ ଓ ରିଫାଇନ୍ ସନଫ୍ଲାୱାର ତେଲ ପାଇଁ ଆମଦାନୀ ଶୁଳ୍କ ୧୭.୫ ପ୍ରତିଶତରୁ ହ୍ରାସ କରି ୧୨.୫ ପ୍ରତିଶତ କରିଥିଲେ।
ଶୁଳ୍କ ହ୍ରାସର ଏହି ନିୟମ ୨୦୨୪ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବୈଧ ଥିଲା। ହେଲେ ଏହି କୋହଳ ନିଷ୍ପତ୍ତିକୁ ଆଉ ଗୋଟିଏ ବର୍ଷ ୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଅର୍ଥାତ୍ ୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଖାଇବା ତେଲରେ ଆମଦାନୀ ଶୁଳ୍କ ୧୭. ୫ ପ୍ରତିଶତ ନ ଦେଇ ୧୨.୫ ପ୍ରତିଶତ ଶୁଳ୍କ ଦେବେ। ଶୁଳ୍କ କମ୍ ହେଲେ ତେଲ ମହଙ୍ଗା ହେବ ନାହିଁ।
ପଢ଼ନ୍ତୁ-ହ୍ରାସ ହୋଇପାରେ ଚାଉଳ ଦର, ହରଡ ଡାଲି ବି ହେବ ଶସ୍ତା, ଖାଦ୍ୟ ଓ ଯୋଗାଣ ବିଭାଗ କରୁଛନ୍ତି ଉପାୟ
ସୂଚନା ଥାଉକି, ଭାରତ ହେଉଛି ଖାଇବା ତେଲର ଦ୍ୱିତୀୟ ବଡ଼ ଉପଭୋକ୍ତା ରାଷ୍ଟ୍ର। ଏହା ବ୍ୟତୀତ ଖାଇବା ତେଲ ଆମଦାନୀରେ ଭାରତ ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛି। ଦେଶର ମୋଟ ଖାଇବା ତେଲର ଆବଶ୍ୟକତାରୁ ୬୦ ପ୍ରତିଶତ ଆମଦାନୀ ମାଧ୍ୟମରେ ପୂରଣ ହୋଇଥାଏ।
ଭାରତ ଇଣ୍ଡୋନେସିଆରୁ ଓ ମାଲେସିଆରୁ ପାମ୍ ତେଲ ଏକ ବଡ଼ ଅଂଶ ଆମଦାନୀ କରିଥାଏ। ସେହିପରି ଭାରତରେ ସୋରିଷ ତେଲ, ସୋୟାବିନ୍ ଏବଂ ସୂର୍ଯ୍ୟମୁଖୀ ତେଲ ଅଧିକ ମାତ୍ରାରେ ବ୍ୟବହାର କରାଯାଇ ଥାଏ।