ଟିମ୍ ଇଣ୍ଡିଆର ବଢ଼ିଲା WTC ଫାଇନାଲ ଆଶା, ଗୋଟିଏ ମ୍ୟାଚ୍ ଜିତିଲେ ସିଧା କରିବ ପ୍ରବେଶ
19/02/2023 at 3:18 PM

ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫିରେ ପୁଣି ଆତ୍ମସମର୍ପଣ କଲା ଅଷ୍ଟ୍ରେଲିଆ । ତୃତୀୟ ଦିନରେ କଙ୍ଗାରୁଙ୍କୁ ମାତ୍ ଦେଇ ୬ ଓ୍ବିକେଟରେ ଦ୍ବିତୀୟ ଟେଷ୍ଟ ଜିତି ନେଇଛି ଟିମ୍ ଇଣ୍ଡିଆ । ଫଳରେ ୪ଟି ମ୍ୟାଚ୍ ବିଶିଷ୍ଟ ସିରିଜିକୁ ୨-୦ରେ ଆଗରେ ରହିଛି ରୋହିତ୍-ଆଣ୍ଡ-କୋ। ସେପଟେ ଦିଲ୍ଲୀ ଟେଷ୍ଟ ଜିତିବା ପରେ ଭାରତ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବା ରାସ୍ତା ଧୀରେ ଧୀରେ ଖୋଲିବାରେ ଲାଗିଛି ।
ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିଆନସିପ୍ ଗୋଟିଏ ଅଂଶ ହେଇଛି ବର୍ଡର ଗାଭାସ୍କର ଟ୍ରଫି । ଅଷ୍ଟ୍ରେଲିଆ ବିରୋଧରେ ଚାଲୁଥିବା ଏହି ସିରିଜର ଦୁଇଟି ମ୍ୟାଚ ଜିତି ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ଅନ୍ୟପଟେ ୨ଟି ମ୍ୟାଚ ହାରିଥିଲେ ମଧ୍ୟ ଭ୍ରମଣକାରୀ ଦଳ ଉପରେ କୌଣସି ଖାସ୍ ପ୍ରଭାବ ପଡ଼ିନାହିଁ । ଟେବୁଲରେ ରହିଛି କଙ୍ଗାରୁ ଦଳ । ହେଲେ ପଏଣ୍ଟରେ ଅଳ୍ପ କିଛି ଅନ୍ତର ରହିଛି । ଆଗକୁ ଖେଳାଯିବାକୁ ୨ଟି ଟେଷ୍ଟ ମ୍ୟାଚରୁ ଗୋଟିଏରେ ବିଜୟୀ ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିଆନସିପ୍ ଫାଇନାଲକୁ ଭାରତ ସିଧା ସିଧା କ୍ବାଲିଫାଏ କରିବ । ଅନ୍ୟପେଟ ଅଷ୍ଟ୍ରେଲିଆ ଟିମ୍ ଯଦି ୨ଟି ମ୍ୟାଚରେ ହାରି ଯାଏ ଏବଂ ଶ୍ରୀଲଙ୍କା ୨ଟି ମ୍ୟାଚ ଜିତିଲେ, ଡବ୍ଲୁଟିସି ଫାଇନାଲ ରେସରୁ ଅଷ୍ଟ୍ରେଲିଆ ବାହାରିଯିବ ।
ବର୍ଡର ଗାଭାସ୍କର ଟ୍ରଫିର ଦ୍ବିତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଦଳ ୧୬ଟି ମ୍ୟାଚରୁ ୭୦.୮୩ ପଏଣ୍ଟ ପାଇଥିଲା । ଏଥିରୁ ୧୦ଟି ବିଜୟ ମିଳିଥିଲେ ମଧ୍ୟ ଲଗାତାର ଦୁଇଟି ହାରି ୬୬.୬୭ ପଏଣ୍ଟକୁ ଖସି ଆସିଛି । ସେପଟେ ଭାରତୀୟ ଟିମ୍ ଦ୍ବିତୀୟ ଟେଷ୍ଟ ପୂର୍ବରୁ ୬୧.୬୭ ପଏଣ୍ଟ ଥିଲା । ୨ଟି ଟେଷ୍ଟ ଜିତିବା ପରେ ଏହା ବଢି ୬୪.୦୬ ଅଙ୍କରେ ପହଞ୍ଚିଛି । ମୋଟ୍ ୧୬ଟି ମ୍ୟାଚରୁ ଭାରତକୁ ୧୦ଟି ବିଜୟ ମିଳିଥିବା ବେଳେ ୪ଟି ପରାଜୟ ସାମ୍ନା କରିବାକୁ ପଡ଼ିଛି ।
ସେହିପରି ଅଷ୍ଟ୍ରେଲିଆ ଦଳ ଆଗକୁ ଖେଳାଯିବାକୁ ଥିବା ୨ଟି ଟେଷ୍ଟ ହାରିଲେ ପଏଣ୍ଟ ହ୍ରାସ ପାଇ ୫୯.୬୫ ପ୍ରତିଶତ ଅଙ୍କରେ ପହଞ୍ଚିବ ଏବଂ ୫୩.୩୩ ଅଙ୍କ ପାଇ ତୃତୀୟ ସ୍ଥାନରେ ରହିଥିବା ଶ୍ରୀଲଙ୍କା ପାଇଁ ଡବ୍ଲଟିସି ଫାଇନାଲରେ ପ୍ରବେଶ କରିବାକୁ ସୁଯୋଗ ମିଳିବ । ଶ୍ରୀଲଙ୍କା ସିରିଜର ଅନ୍ତିମ ଟେଷ୍ଟ ଘରୋଇ ମାଟି ନ୍ୟୁଜିଲାଣ୍ଡ ସହିତ ଖେଳିବ । ଦଳ ୨ଟି ମ୍ୟାଚରେ ବିଜୟୀ ହେଲେ ୬୧.୧୧ ପଏଣ୍ଟ ସହିତ ଫାଇନାଲରେ ପ୍ରବେଶ କରିବ ।