ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଛି କି ଇସ୍‌ଲାମିକ ଦେଶଙ୍କ ସଂଗଠନ ? ବିଚ୍ଛିନ୍ନତାବାଦୀ ନେତାଙ୍କୁ ନିମନ୍ତ୍ରଣ ପରେ ବିଦେଶ ମନ୍ତ୍ରାଳୟର ଚେତାବନୀ

Published By : Prameya-News7 Bureau | March 17, 2022 IST

ନୂଆଦିଲ୍ଲୀ: ଭାରତ ବିରୋଧରେ ମେଳି କରୁଛି ଅର୍ଗାଇନାଜେସନ ଅଫ୍ ଇସ୍‌ଲାମିକ କୋପରେସନ ବା ଓଆଇସି। ଆସନ୍ତା ସପ୍ତାହରେ ଇସଲାମାବାଦରେ ହେବାକୁ ଥିବା ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବାକୁ ଭାରତର ଅଲ୍‌ ପାର୍ଟିସ ହୁରିୟତ କନଫରେନ୍ସକୁ ନିମନ୍ତ୍ରଣ କରିଛି ଓଆଇସି। ଯାହାକୁ ତୀବ୍ର ବିରୋଧ କରିଛି ଭାରତ। ଓଆଇସି ଭାରତୀୟ ନାଗରିକ ଓ ସଂସ୍ଥାମାନଙ୍କୁ ଆତଙ୍କବାଦରେ ଲିପ୍ତ ରହିବାକୁ ଏମିତି ଉତ୍ସାହିତ କରୁ ଭାରତ ତାହା ଓଆଇସି ଠାରୁ ଆଶା କରେ ନାହିଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି।

ମାର୍ଚ୍ଚ ୨୨ ଓ ୨୩ ତାରିଖରେ ଇସ୍‌ଲାମାବାଦରେ ଓଆଇସିର ଏହି ବୈଠକ ହେବ। ଏଥିରେ ଅଲ୍‌ ପାର୍ଟିସ୍ ହୁରିୟତ କନଫରେନ୍ସର ଚେୟାରମ୍ୟାନ୍‌ଙ୍କୁ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଛି। ଗୁରୁବାର ଓଆଇସିର ଏଭଳି ଆଭିମୁଖ୍ୟ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପ୍ରବକ୍ତା ଅରିନ୍ଦମ ବାଗଚୀ। ଓଆଇସିର ଏଭଳି ଆଭିମୁଖ୍ୟ ଗ୍ରହଣୀୟ ନୁହେଁ। ଏଭଳି ପଦକ୍ଷେପ ଉପରେ ଭାରତ ସରକାର ଗୁରୁତ୍ୱପୂର୍ଣ୍ଣ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ କହିଛନ୍ତି।

ଗୁରୁବାର ସାମ୍ବାଦିକ ସମ୍ମିଳନୀରେ କରି ଶ୍ରୀ ବାଗ୍‌ଚୀ କହିଛନ୍ତି ଯେ ଭାରତର ଏକତାକୁ ନଷ୍ଟ କରିବାକୁ ଉଦ୍ୟମ କରାଯାଉଛି ଓ ଦେଶ ସାର୍ବଭୌମତ୍ୱର ଉଲ୍ଲଂଘନ କରିବା ସହିତ ଆଞ୍ଚଳିକ ଅଖଣ୍ଡତା ଉପରେ ବିପଦ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି। ତେଣୁ ଭାରତ ଏହାକୁ ଗୁରୁତର ସହ ନେବ।

ପାକିସ୍ତାନ ନଁ ନନେଇ ଶ୍ରୀ ବାଗ୍‌ଚୀ କହିଛନ୍ତି "ଏହା ସବୁଠାରୁ ଦୁର୍ଭାଗ୍ୟର କଥା ହେଲା ବିକାଶ ଦିଗରେ କାମ କରିବା ବ୍ୟତୀତ ଓଆଇସି କେବଳ ଜଣେ ସଦସ୍ୟର ରାଜନୈତିକ ଏଜେଣ୍ଡା ପୂରଣ କରିବା ଦିଗରେ କାମ କରି ଚାଲିଛି।" ତେବେ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନକରିବାକୁ ଓଆଇସିକୁ ବାରମ୍ବାର କୁହାଯିବା ସତ୍ତ୍ୱେ ବି ସଂଗଠନ ନିୟମିତ ଏଭଳି କାର୍ଯ୍ୟ କରି ଚାଲୁଛି ବୋଲି ଶ୍ରୀ ବାଗ୍‌ଚୀ କହିଛନ୍ତି।

ସୂଚନା ଥାଉକି ୧୯୯୨ ମସିହାରେ ଅଲ୍‌ପାର୍ଟିସ ହୁରିୟତ କନଫରେନ୍ସ(APHC)ର ଗଠନ ହୋଇଥିଲା।  ମୀରୱାଇଡ୍ ଉମର ଫାରୁକ ଏହାର ପ୍ରଥମ ଚେୟାର୍‌ମ୍ୟାନ୍ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.