ନୂଆଦିଲ୍ଲୀ: ୟୁକ୍ରେନ୍ର ଶାନ୍ତି ପ୍ରସ୍ତାବରେ ଦସ୍ତଖତ କଲା ନାହିଁ ଭାରତ। ସ୍ୱିଜରଲାଣ୍ଡ ଦ୍ୱାରା ଆୟୋଜିତ ଏକ ବୈଠକରେ ମିଳିତ ଶାନ୍ତି ବାର୍ତ୍ତା ପ୍ରସ୍ତାବ ଆଗତ ହୋଇଥିଲା। ହେଲେ ଭାରତ ଏହି ପ୍ରସ୍ତାବରେ ଦସ୍ତଖତ କରି ନାହିଁ। ଏହା ପୂର୍ବରୁ ଋଷ ଏହି ବୈଠକରେ ସାମିଲ୍ ହୋଇ ନଥିଲା। ଅଯଥା ସମୟ ନଷ୍ଟ କହି ଋଷ ଏଥିରୁ ଦୂରେଇ ରହିବା ପରେ ଭାରତ ଏଭଳି ଆଭିମୁଖ୍ୟ ଆପଣାଇଛି।
ସ୍ୱିଜରଲାଣ୍ଡର ଷ୍ଟାନଷ୍ଟାଡର ସ୍ୱିସ୍ ଆଲପାଇନ୍ ରିସର୍ଟରେ ହୋଇଥିବା ଦୁଇ ଦିନିଆ ଆଲୋଚନାରେ ଭାରତର ପ୍ରତିନିଧିତ୍ୱ କରିଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ(ପଶ୍ଚିମ ଦେଶ) ପବନ କପୁର। ଦୁଇଦିନ ପାଇଁ ଚାଲିଥିବା ଏହି ବୈଠକ ରବିବାର ଶେଷ ହୋଇଥିଲା। ଶାନ୍ତି ପ୍ରସ୍ତାବରେ ଭାରତ ହସ୍ତାକ୍ଷର ନ କରିବା ନେଇ ଶ୍ରୀ କପୁର କହିଛନ୍ତି ଯେ ୟୁକ୍ରେନର ଜଟିଳ ତଥା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଭାରତ ଚାହୁଁଛି। ଶିଖର ସମ୍ମିଳନୀରୁ ଆଗତ ହୋଇଥିବା କୌଣସି ବୁଝାମଣାପତ୍ର ଓ ତଥ୍ୟ ସହ ଜଡ଼ିତ ହେବା ଅପେକ୍ଷା ବିବାଦର ସମାଧାନ ପାଇଁ ଭାରତ ଉଭୟ ଦେଶକୁ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ଆହ୍ୱାନ ଦେଉଛି ବୋଲି କପୁର କହିଛନ୍ତି।
ଭାରତର ପକ୍ଷ ଦର୍ଶାଇ ଶ୍ରୀ କପରୁ କହିଛନ୍ତି ଯେ ଭାରତର ଆଭିମୁଖ୍ୟ ସବୁବେଳ ସ୍ପଷ୍ଟ ରହିଛି। ଆଲୋଚନା ଓ କୂଟନୀତି ଦ୍ୱାରା ହିଁ ଶାନ୍ତି ସମ୍ଭବ ବୋଲି ଭାରତ ବିଶ୍ୱାସ କରୁଛି। ତେଣୁ କେବଳ ଉଭୟ ପକ୍ଷ ବିକଳ୍ପ ହିଁ ଗ୍ରହଣୀୟ ବୋଲି ଶ୍ରୀ କପୁର କହିଛନ୍ତି।
ସୂଚନା ଥାଉକି ଶାନ୍ତି ସମ୍ମିଳନୀରେ ୧୦୦ ରୁ ଅଧିକ ଦେଶ ତଥା ସଂଗଠନର ପ୍ରତିନିଧୀ ଯୋଗ ଦେଇଥିଲେ। ହେଲେ ଋଷ ଓ ଚୀନ ବୈଠକରୁ ଦୂରେଇ ରହିଥିଲେ। ଏହି ସମ୍ମିଳନୀରେ ଏକ ମିଳିତ ଶାନ୍ତିପ୍ରସ୍ତାବ ଆଗତ ହୋଇଥିଲା। ଏଥିରେ ୮୩ ଦେଶ ଓ ସଂସ୍ଥା ହସ୍ତାକ୍ଷାର କରିଥିଲେ। ତେବେ ଇଣ୍ଡିଆ, ଇଣ୍ଡୋନେସିଆ,ମେକ୍ସିକୋ, ସାଉଦି ଆରବ, ଏବଂ ସାଉଥ ଆଫ୍ରିକା ଦସ୍ତଖତରୁ ଦୂରେଇ ରହିଥିଲେ ବୋଲି ନ୍ୟଜ୍ ଏଜେନ୍ସି ରୟଟର୍ସରେ ଖବର ପ୍ରକାଶ ପାଇଛି।