ଚୀନ ଶୀତକାଳୀନ ଅଲିମ୍ପିକ୍ରେ ଭାରତ ନିରାଶ, ଆଲପାଇନ ସ୍କିୟର ପୁରା କରିପାରିଲେନି ସ୍ଲେଲମ ଇଭେଣ୍ଟ
16/02/2022 at 5:29 PM

ବେଜିଂ ୧୬।୨: ଚୀନ୍ ୱିଣ୍ଟର ଅଲିମ୍ପିକରେ ଭାରତର ପ୍ରତିଯୋଗୀତା ସମାପ୍ତ ହୋଇଛି। ଦେଶର ଏକମାତ୍ର ପ୍ରତିଯୋଗୀ ଅଲପାଇନ୍ ସ୍କିଅର ଆରିଫ ଖାନ ବୁଧବାର ଅନୁଷ୍ଠିତ ପୁରୁଷଙ୍କ ସ୍ଲେଲମ ପ୍ରତିଯୋଗୀତାରେ ରେସ୍ ପୁରା କରିବାରେ ବିଫଳ ହୋଇଛନ୍ତି। ଫଳରେ ଅଲିମ୍ପିକରୁ ଭାରତର ନିରାଶଜନକ ପ୍ରତ୍ୟାବର୍ତ୍ତନ ହୋଇଛି। ଜମ୍ମୁ-କାଶ୍ମୀର ବାରାମୂଲା ଜିଲ୍ଲାର ୩୧ ବର୍ଷ ବୟସ୍କ ଆରିଫ ରବିବାର ଅନୁଷ୍ଠିତ ଯୁଗ୍ମ ସ୍ଲେଲମରେ ୪୫ତମ ସ୍ଥାନରେ ଥିଲେ।

ତେବେ ବୁଧବାର ୟାଂକିଙ୍ଗ ନ୍ୟାସନାଲ ଅଲପାଇନ୍ ସ୍କିଂଗ ସେଣ୍ଟରରେ ଅନୁଷ୍ଠିତ ସ୍ଲେଲମ ପ୍ରତିଯୋଗୀତାର ପ୍ରଥମ ରେସ ହିଁ ହାରିଯାଇଛନ୍ତି। ଆରିଫ ଚୀନ୍ ୱିଣ୍ଟର ଅଲିମ୍ପିକ୍ରେ ଡେବ୍ୟୁ କରିଥିଲେ। ତେବେ ପ୍ରଥମ ପ୍ରତିଯୋଗୀତାରେ ହାରିଯିବା ଯୋଗୁ ତାଙ୍କୁ ପରବର୍ତ୍ତି ପ୍ରତିଯୋଗୀତାରୁ ବାହାର କରିଦିଆଯାଇଛି। ଏହି ପ୍ରତିଯୋଗୀତାରେ ମୋଟ ୮୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରୁ ୫୨ ଜଣ ରେସ ପୁରା କରିବାରେ ସଫଳ ହୋଇଛନ୍ତି।

ପ୍ରଥମ ରେସ୍ ଆରିଫ ବେଶ ଉତ୍ସାହଜନକ ଆରମ୍ଭ କରିଥିଲେ। ଫଳରେ ପ୍ରଥମ ପର୍ଯ୍ୟାୟ ରେସକୁ ମାତ୍ର ୧୪.୪୦ ସେକେଣ୍ଡରେ ପୁରା କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ରେସକୁ ସେ ୩୪.୨୪ ସେକେଣ୍ଡରେ ପୂରଣ କରିଥିଲେ। ହେଲେ ଚୂଡ଼ାନ୍ତ ପର୍ଯ୍ୟାୟ ରେସ ସେ ପୂରଣ କରିପାରିନଥିଲେ। ଅଷ୍ଟ୍ରିୟାର ୟୋହାନ୍ସ ଷ୍ଟ୍ରୋଲଜ୍ ୫୩.୯୨ ସେକେଣ୍ଡରେ ପ୍ରଥମ ରେସ୍ ସମାପ୍ତ କରି ସବୁଟୁ ଦ୍ରୁତ ସ୍କିୟର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ନରୱେର ହେନରିକ କ୍ରିଷ୍ଟୋଫର୍ସନ ଓ ତୃତୀୟ ସ୍ଥାନରେ ସେବେଷ୍ଟିୟନ ଫସ୍ ସିଲେୱାଗ୍ ରହିଛନ୍ତି।