୧୪୦ କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗି ବିଶ୍ୱକପ୍ ଜିତିଲା ଅଷ୍ଟ୍ରେଲିଆ, ରୋହିତ କହିଲେ- ବାହାନା କରିବୁନି, ଆମେ ଆଜି ଭଲ ଖେଳି ନାହୁଁ
19/11/2023 at 11:34 PM

ଅହମଦାବାଦ: ୧୪୦ କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗି ବିଶ୍ୱକପ୍ ଜିତିଲା ଅଷ୍ଟ୍ରେଲିଆ। ଆଜିର ମ୍ୟାଚ୍ର ଭାରତ ଉଭୟ ବୋଲିଂ ଓ ବ୍ୟାଟିଂରେ ଫେଲ୍ ମାରିଛି। ତେବେ ଏହି ପରାଜୟ ପାଇଁ ପିଚ୍ର ଦୋଷ ଦେଇ ଖସିବାକୁ ଚେଷ୍ଟା କରି ନାହାନ୍ତି କ୍ୟାପ୍ଟେନ୍ ରୋହିତ ଶର୍ମା। ବରଂ ଆଜିର ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିପାରି ନାହିଁ ବୋଲି ସେ ସ୍ୱୀକାର କରିଛନ୍ତି।
ଅହମଦାବାଦର ପିଚ୍ ଖୁବ୍ ଶୁସ୍କ ଥିବା ବେଳେ ଟସ୍ ଜିତିବା ପରେ ଅଷ୍ଟ୍ରେଲିଆର ଆତ୍ମବିଶ୍ୱାସ ବି ବଢ଼ିଯାଇଥିଲା। ହେଲେ ରୋହିତ କୌଣସି ବାହାନା ନ କରି ଏହି ପରାଜୟ ପାଇଁ ଟିମ୍ର ଦୁର୍ବଳ ବ୍ୟାଟିଂକୁ ଦାୟୀ କରିଛନ୍ତି।
ବିଶ୍ୱକପ୍ରେ ଭାରତ ସମସ୍ତ ୧୦ଟି ଯାକ ମ୍ୟାଚ୍ ଜିତିବା ପରେ ୧୧ତମ ମ୍ୟାଚ୍ରେ ହାରିଯାଇଛି। ରୋହିତ ଶର୍ମା ସୁବଥର ପରି ଏଥର ବି ପ୍ରଥମ ପାୱାର ପ୍ଲେ ବେଳକୁ ଦଳୀୟ ସ୍କୋର ୮୦ ପର୍ଯ୍ୟନ୍ତ ଧୂଆଁଦାର ବ୍ୟାଟିଂ କରିଥିଲା। ମାତ୍ର ୩୧ ବଲ୍ରେ ୪୭ ରନ୍ କରିଥିଲେ ରୋହିତ। ଏହାପରେ ପିଚ୍ ଧିମା ଓ ନରମ ହୋଇଯାଇଥିଲା। ଫଳରେ ଭାରତ ସ୍କୋର କମିବା ସହ ଶୁଭମନ ଗିଲ୍ ଓ ଶ୍ରେୟସ ଆୟରଙ୍କ ୱିକେଟ୍ ଯାଇଥିଲା। ଉଭୟ ବ୍ୟାଟର ମାତ୍ର ୪ ରନ୍ କରି ଆଉଟ ହୋଇଯାଇଥିଲେ। ଏହାପରେ ଦଳ ଉପରେ ସମ୍ପୂର୍ଣ୍ଣ ଚାପ ପଡ଼ିଯାଇଥିଲା।
ପଢ଼ନ୍ତୁ-ଦୁର୍ବଳ ବ୍ୟାଟିଂ ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠାଇଲେ ଗାଭାସ୍କର; କହିଲେ- ରୋହିତଙ୍କୁ ଏମିତି କରିବାର ନଥିଲା
ମ୍ୟାଚ୍କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ରୋହିତ ଶର୍ମା। ସେ କହିଛନ୍ତି “ଫଳାଫଳ ଆମ ଅନୁକୂଳରେ ହେଲାନି। ଆଜି ଆମେ ଭଲ ପ୍ରଦର୍ଶନ କରି ନାହୁଁ। ଆମେ ସବୁକିଛି କରିବାକୁ ଚେଷ୍ଟା କରିଥିଲୁ, ହେଲେ ଏମିତି ହେବାର ନଥିଲା। ଆଉ ୨୦-୩୦ ରନ୍ ହୋଇଥିଲେ ଭଲ ହୋଇଥାନ୍ତା। କେଏଲ୍ ରାହୁଲ ଓ କୋହଲିଙ୍କର ପାର୍ଟନର୍ସିପ ଭଲ ଥିଲା। ଆମେ ୨୭୦-୨୮୦ ଟାର୍ଗେଟ୍ ଆଶା କରୁଥିଲୁ। କିନ୍ତୁ ଆମେ ନିୟମିତ ଭାବେ ୱିକେଟ୍ ହରାଇଲୁ।”
ରୋହିତ ଆହୁରି କହିଛନ୍ତି ଯ ଆମେ ଜାଣିଥିଲୁ ଯେ ଲାଇଟ୍ରେ ବ୍ୟାଟିଂ କରିବା ଟିକେ ଭଲ ହୋଇଥାନ୍ତା। ତେବେ ଏହାକୁ ଆମେ ବାହାନ ବନାଇବାକୁ ଚାହୁଁନୁ। ଆମେ ଯଥେଷ୍ଟ ରନ୍ କରିପାରିଲୁ ନାହିଁ ବୋଲି ରୋହିତ କହିଛନ୍ତି।
ସ୍କୋର୍କୁ ନେଇ ରୋହିତ କହିଛନ୍ତି “ଯେତେବେଳେ ଆପଣ ୨୪୦ ରନ୍ କରୁଛନ୍ତି। ସେତେବେଳେ ଆପଣ ୱିକେଟ୍ ନେବାକୁ ଚାହିଁବେ। କିନ୍ତୁ ହେଡ୍ ଓ ଲାବୁସେନଙ୍କୁ ଶ୍ରେୟ ଦେବାକୁ ଚାହିଁବି। ଯେଉଁମାନେ ବଡ଼ ପାର୍ଟନର୍ସିପ୍ କରି ମ୍ୟାଚ୍କୁ କାଢ଼ି ନେଲେ। ଆମେ ସବୁ ଚେଷ୍ଟା କରିଥିଲୁ।”
ପଢ଼ନ୍ତୁ-ବିଶ୍ୱକପ୍ ଫାଇନାଲ୍କୁ ମିଳିଲାନି ନିମନ୍ତ୍ରଣ; କପିଲ ଦେବ କହିଲେ-ଦୁଃଖ ନାହିଁ, ଭାରତ ଜିତିଲେ ହେଲା
ୱିକେଟ୍କୁ ନେଇ ରୋହିତ କହିଛନ୍ତି ଦ୍ରୁତ ବୋଲରଙ୍କ ସହାୟତାରେ ଆମେ ୩ଟି ୱିକେଟ୍ ନେଇଯାଇଥିଲୁ। ଯଦି ଆଉ ଗୋଟେ ୱିକେଟ୍ ନେଇଯାଇ ଥାନ୍ତୁ ତେବେ ଭଲ ହୋଇଥାନ୍ତା। ହେଲେ ମଝିରେ ଆସି ବଡ଼ ପାର୍ଟନର୍ସିପ୍ କରିଥିବା ଦୁଇ ଖେଳାଳିଙ୍କୁ ଶ୍ରେୟ ଦେବା ଉଚିତ୍ ବୋଲି ରୋହିତ କହିଛନ୍ତି।
ଏହି ପରାଜୟ ସହ ଚଳିତ ବର୍ଷ ଆଇସିସି ଇଭେଣ୍ଟର ଦ୍ୱିତୀୟ ପରାଜୟ ସ୍ୱୀକାର କରିଛି ଭାରତ। ଏହା ପୂର୍ବରୁ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ରେ ମଧ୍ୟ ଭାରତ ଅଷ୍ଟ୍ରେଲିଆ ଠାରୁ ପାରସ୍ତ ହୋଇଥିଲା। ଅନ୍ୟପଟେ ଅଷ୍ଟ୍ରେଲିଆ ଆଜିକୁ ମିଶାଇ ୮ ଥର ବିଶ୍ୱକପ୍ ଫାଇନାଲ୍କୁ ଯାଇଥିବା ବେଳେ ୬ ଥର କପ୍ ଜିତିଛି। ବିଶ୍ୱକପ୍ରେ ସବୁ ଫର୍ମାଟ୍ରେ ଭଲ ସ୍କୋର କରୁଥିବା ଭାରତକୁ ଆଜି ପରାଜିତ କରି ପ୍ରମାଣ କରିଦେଇଛି ଯେ ସେ ପ୍ରକୃତରେ କ୍ରିକେଟ କିଂ।