ଲଣ୍ଡନ Fashion weekରେ ଦେଖାଗଲା ଭାରତୀୟତାର ଝଲକ, ଶାଢୀ ପିନ୍ଧି ରାମ୍ପରେ ଚାଲିଲେ ମଡେଲ
16/02/2020 at 7:13 PM

ଲଣ୍ଡନ: ଚଳିତବର୍ଷ ପ୍ରଥମ ଥର ଲଣ୍ଡନ ଫ୍ୟାସନ ୱିକ୍ରେ ‘ଇଣ୍ଡିଆ ଡେ’ ପାଳିତ ହୋଇଛି। ଏଥିରେ ଭାରତର ବିଭିନ୍ନ ପ୍ରଦେଶରେ ପିନ୍ଧା ଯାଉଥିବା ଶାଢୀର ଚମକ୍ ଦେଖାଯାଇଛି। ଲଣ୍ଡନସ୍ଥିତ ଉଚ୍ଚାୟୁକ୍ତଙ୍କ ଦ୍ୱାରା ମନୋନୀତ ବିଭିନ୍ନ ପ୍ରକାରର ୧୭ଟି ଶାଢୀରେ ଲୋକେ ବେଶ ଆକର୍ଶିତ ହୋଇଛନ୍ତି।

ବ୍ରିଟେନରେ ଭାରତୀୟ ଉଚ୍ଚାୟୁକ୍ତ ଋଚି ଘନଶ୍ୟାମ ଦେଶର ଉଚ୍ଚ ସାଂସ୍କୃତିକ ପରମ୍ପରାର ପ୍ରଦର୍ଶନ ନିମନ୍ତେ ସେ ଏହି ସବୁ ଶାଢୀ ଉଧାରରେ ଆଣିଛନ୍ତି। ତେବେ ମଡେଲମାନେ ଶାଢୀ ପିନ୍ଧି କ୍ୟାଟ୍ ୱାକ୍ କରିବାବେଳେ ଦର୍ଶକେ ସେମାନଙ୍କୁ କରତାଳି ଦେଇ ସ୍ୱାଗତ କରିଛନ୍ତି। ଏଥିରେ ମଡେଲ ପିନ୍ଧିଥିବା ଶାଢୀରେ ଗୋଟିଏ ଋଚିଙ୍କର ମଧ୍ୟ ଥିଲା। ସେ ଶାଢୀରେ ଖୁବ୍ ଋଚି ରଖନ୍ତି ଓ ସାର୍ବଜନିକ କାର୍ଯ୍ୟକ୍ରମରେ ସବୁବେଳେ ଶାଢୀ ପିନ୍ଧି ଅଂଶଗ୍ରହଣ କରନ୍ତି ବୋଲି କହିଛନ୍ତି।

ଲଣ୍ଡନ ଫ୍ୟାସନ ୱିକ୍ ଇଣ୍ଡିଆ ଡେ ଲାଗି ଋଚି ସଂଗ୍ରହ କରିଥିବା ଶାଢୀରେ କାଶ୍ମୀରର ଫୁଲକାରୀ, ପଶ୍ଚିମବଙ୍ଗର କାନ୍ଥା ଓ ବାଲଚୁରୀ, ଗୁଜରାଟର ଘରଚୋଲା, ମହାରାଷ୍ଟ୍ରର ପୈଠଣୀ, ତାମିଲନାଡୁର କାଞ୍ଜିବରମ ଓ କେରଳର କଶାବୁ ଶାଢୀ ଥିଲା। ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବା ପରେ କେନ୍ଦ୍ର ବସ୍ତ୍ର ମନ୍ତ୍ରୀ ସ୍ମୃତି ଇରାନୀ ଉଚ୍ଚାୟୁକ୍ତଙ୍କୁ ଏକ ଭିଡିଓ ମ୍ୟାସେଜ୍ ଦେଇ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଯେଉଁଥିରେ ସେ ଭାରତୀୟଙ୍କ ଲାଗି ଏହା ଏକ ଗର୍ବ ଓ ଗୌରବର କ୍ଷଣ ବୋଲି କହିଛନ୍ତି। ଲଣ୍ଡନ ଫ୍ୟାନ ୱିକ୍ରେ ଇଣ୍ଡିଆ ଡେର ଆରମ୍ଭ ଶୁକ୍ରବାର ହୋଇଥିଲା ଏହା ଆସନ୍ତା ମଙ୍ଗଳବାର ଶେଷ ହେବ ।