ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍; ମ୍ୟାଚ୍ ହାରିଲେ ଭାରତ ପାଇଁ ବଢ଼ିବ ମୁସ୍କିଲ୍, ଜାଣନ୍ତୁ କ’ଣ ରହିବ ସମୀକରଣ

Published By : Prameya-News7 Bureau | October 20, 2024 IST

ନୂଆଦିଲ୍ଲୀ: ଭାରତ-ନ୍ୟୁଜିଲାଣ୍ଡ ୩ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଜାରି । ବେଙ୍ଗାଲୁରୁରେ ଖେଳାଯାଉଛି ପ୍ରଥମ ମ୍ୟାଚ୍ । ରବିବାର ପଞ୍ଚମ ଦିନରେ ନ୍ୟୁଜିଲାଣ୍ଡ ଟିମ୍ ସାମ୍ନାରେ ୧୦୭ରନ ବିଜୟ ଲକ୍ଷ୍ୟ ରହିଛି । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ମାତ୍ର ୪୬ ରନରେ ଆଲଆଉଟ୍ ହୋଇଯାଇଥିଲା । ଏହାର ଜବାବରେ ଭ୍ରମଣକାରୀ କ୍ବିଓ୍ବି ଦଳ ୪୦୨ରନର ସଂଗ୍ରହ କରିବାରେ ସଫଳ ହୋଇଥିଲା । ସେପଟେ ଦ୍ବିତୀୟ ପାଳିରେ ଭାରତୀୟ ଦଳ ସର୍‌ଫରାଜ୍ ଖାନ ଏବଂ ରିଷଭ୍ ପନ୍ତଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ୪୬୨ ରନ କରିଛି । ଯାହାଫଳରେ ଅନ୍ତିମ ଦିନରେ ନ୍ୟୁଜିଲାଣ୍ଡ ଟିମ୍ ସାମ୍ନାରେ ୧୦୭ରନର ଲକ୍ଷ୍ୟ ରହିଛ । ଏପଟେ ଟିମ୍ ଇଣ୍ଡିଆକୁ କେବଳ ଚମତ୍କାର ବଞ୍ଚାଇ ପାରିବ ବୋଲି କ୍ରିକେଟ୍ ବିଶେଷଜ୍ଞ ମତ ଦେଇଛନ୍ତି । 

ଅନ୍ୟପଟେ ମ୍ୟାଚ୍ ନିର୍ଣ୍ଣାୟକ ମୋଡକୁ ଯିବା ପୂର୍ବରୁ ଚିନସ୍ବାମୀୟରେ ବର୍ଷା ଆଶଙ୍କା ରହିଛି । ଯଦି ମ୍ୟାଚ ବର୍ଷାରେ ଓ୍ବାସ୍ ଆଉଟ୍ ହୋଇଯାଏ, ତେବେ ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପରେ ଏହାର ପ୍ରଭାବ କ’ଣ ରହିବ ? ଟିମ୍ ଇଣ୍ଡିଆ ଡବ୍ଲୁଟିସି ଫାଇନାଲରେ ପ୍ରବେଶ କରିବାରେ ସମସ୍ୟା ହେବ କି ? ଏମିତି କିଛି ପ୍ରଶ୍ନ ଏବେ କ୍ରିକେଟ୍ ପ୍ରେମୀଙ୍କ ମନରେ ଉଙ୍କି ମାରୁଛି । ଏହାର ଉତ୍ତର ଏହି ନ୍ୟୁଜ୍ ରହିଛି । 

ବେଙ୍ଗାଲୁରୁ ଟେଷ୍ଟର ଅନ୍ତିମ ଦିନ ଯଦି ବର୍ଷାରେ ଧୋଇଯାଏ, ତେବେ ପ୍ରଥମ ଟେଷ୍ଟକୁ ଡ୍ର’ ବୋଲି ମାନି ନିଆଯିବ । ଡବ୍ଲୁଟିସି ଫାଇନାଲରେ ପହଞ୍ଚିବାକୁ ଟିମ୍ ଇଣ୍ଡିଆ ପାଇଁ ସାମାନ୍ୟ ଜଟିଳ ହେବ । ଯଦି ଭାରତୀୟ ଏହି ମ୍ୟାଚରେ ପରାସ୍ତ ହୁଏ, ତେବେ ଦ୍ବିତୀୟ ଏବଂ ତୃତୀୟ ଟେଷ୍ଟକୁ ନିହାତି ଜିତିବାକୁ ପଡ଼ିବ । ସିରିଜ୍ ବିଜୟ ସହିତ ରୋହିତ୍ ବାହିନୀ ୭୪.୨୪ ପ୍ରତିଶତ ଅଙ୍କ ସହିତ ଡବ୍ଲୁଟିସି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିବ । ୬୨.୫୦ ପ୍ରତିଶତ ପଏଣ୍ଟ ସହ ଅଷ୍ଟ୍ରେଲିଆ ଦଳ ଦ୍ବିତୀୟ ସ୍ଥାନରେ ରହିବ ।ଭାରତୀୟ ଦଳ ବେଙ୍ଗାଲୁରୁ ଟେଷ୍ଟ ପରେ ଡବ୍ଲୁଟିସି-୨୦୨୩-୨୫ ସିଜିନରେ ଆହୁରି ୭ଟି ମ୍ୟାଚ୍ ଖେଳିବ । ଚିନସ୍ବାମୀ ଟେଷ୍ଟ ଡ୍ର ହେଲେ, ବାକି ଥିବା ୭ଟି ମ୍ୟାଚରୁ ଅତିକମରେ ୩ଟି ମ୍ୟାଚ୍ ଜିତିବାକୁ ପଡ଼ିବ । ୪ଟି ମ୍ୟାଚପେ ବିଜୟ ମିଳିଲେ ଟିମ୍ ଇଣ୍ଡିଆର ଡବ୍ଲୁଟିସି ଫାଇନାଲ୍ ସ୍ଥାନ ପକ୍କା ହୋଇଯିବ । ତିନୋଟି ମ୍ୟାଚ୍ ଜିତିଲେ ଅନ୍ୟ କୌଣସି ଦଳର ବିଜୟ କିମ୍ବ ପରାଜୟ ଉପରେ ନିର୍ଭର କରିବ ଟିମ୍ ଇଣ୍ଡିଆ । 

ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ବିରୋଧରେ ଭାରତୀୟ ଟିମ୍ ମୋଟ୍ ୭ଟି ମ୍ୟାଚ୍ ଖେଳିବ । ପ୍ରଥମ ମ୍ୟାଚକୁ ଛାଡ଼ିଲେ, କ୍ବିଓ୍ବି ଟିମ୍ ବିପକ୍ଷରେ ଦଳ ଆଉ ଦୁଇଟି ମ୍ୟାଚ୍ ଖେଳିବ । ସେହିପରି ଅଷ୍ଟ୍ରେଲିଆ ସହିତ ୫ଟି ମ୍ୟାଚ୍ ବିଶିଷ୍ଟ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ୍ ହେବ । 

ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପର ଏବେ ତୃତୀୟ ରାଉଣ୍ଡ ଚାଲିଛି । ଏହା ୨୦୨୫ ପର୍ଯ୍ୟନ୍ତ ଚାଲିବ । ତୃତୀୟ ଚରଣ ପାଇଁ ଆଇସିସି ପଏଣ୍ଟ ନିୟମ ରିଲିଜ୍ କରିଛି । ଟେଷ୍ଟ ମ୍ୟାଚ୍ ଜିତିଲେ ୧୨ ଅଙ୍କ ଏବଂ ମ୍ୟାଚ୍ ଡ୍ର ହେଲେ ୪ ପଏଣ୍ଟ ଏବଂ ମ୍ୟାଚରେ କୌଣସି ରେଜଲ୍ଟ ନବାହିରିଲେ ଭଉୟ ଦଳକୁ ୬ ପଏଣ୍ଟ ଲେଖାଏଁ ମିଳିବ । ସେହିପରି ମ୍ୟାଚ୍ ଜିତିଲେ ୧୦୦ ପ୍ରତିଶତ, ଟାଇ ହେଲେ ୫୦ ପ୍ରତିଶତ ଏବଂ ଡ୍ର ହେଲେ ୩୩.୩୩ ପ୍ରତିଶତ ଏବଂ ହାରିଲେ ଶୂନ ପ୍ରତିଶତ ଅଙ୍କ ପଏଣ୍ଟ ଟେବୁଲରେ ଯୋଡ଼ି ହେବ । କୌଣସି ଦୁଇଟି ସିରିଜରେ ମୋଟ୍ ୨୪ ଅଙ୍କ ଏବଂ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ ଜିତିଲେ ୬୦ ଅଙ୍କ ମିଳିବ ।    

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.