ପ୍ରଥମ ଟିକା ଭାବେ ବୁଷ୍ଟର ଡୋଜ୍ ପାଇଁ କୋର୍ବେଭାକ୍ସକୁ ଅନୁମତି ଦେଲା ଡିଜିସିଏ

Published By : Prameya-News7 Bureau | June 04, 2022 IST

ନୂଆଦିଲ୍ଲୀ: ବାଇଲୋଜିକାଲ ଇ ଲିମିଟେଡ୍ର କୋର୍ବେଭାକ୍ସ ଟିକାକୁ ମିଳିଲା ବୁଷ୍ଟର ଡୋଜର ଅନୁମତି। ଦେଶର ପ୍ରଥମ ଟିକା ଭାବେ କୋର୍ବେଭାକ୍ସକୁ ବୁଷ୍ଟର ଡୋଜ୍ ରୂପେ ବ୍ୟବହାର କରିବାକୁ ଡିସିଜିଆଇ ଅନୁମତି ଦେଇଛି। ଅର୍ଥାତ ଯେଉଁ ପ୍ରାପ୍ତ ବୟସ୍କମାନେ କୋଭିଶିଲ୍ଡ ଓ କୋଭାକ୍ସିନ୍ ଟିକାର ଦୁଇଟିଯାକ ଡୋଜ୍ ନେଇସାରିଥିବେ ସେମାନେ କୋର୍ବେଭାକ୍ସକୁ ବୁଷ୍ଟର ଡୋଜ୍ ଭାବେ ନେଇପାରିବେ।

ତେବେ ଦ୍ୱିତୀୟ ଡୋଜ୍ ନେବାର ୬ ମାସ ପରେ କୋର୍ବେଭାକ୍ସ ବୁଷ୍ଟର ଡୋଜ୍ ନେଇପାରିବେ। ତେବେ ଏପର୍ଯ୍ୟନ୍ତ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ନେଇଥିବା ଭ୍ୟାକ୍ସିନକୁ ହିଁ ବୁଷ୍ଟର ଡୋଜ୍ ଭାବେ ବ୍ୟବହାର କରିବାକୁ ବାଧ୍ୟତାମୁଳକ ଥିଲା। ହେଲେ ଅଲଗା ଟିକା କୋର୍ବେଭାକ୍ସକୁ ପ୍ରଥମ ଥର ପାଇଁ ବୁଷ୍ଟର ଡୋଜ୍‌ ଭାବେ ଅନୁମତି ମିଳିଛି।

ବୁଷ୍ଟର ଡୋଜ୍ ପାଇଁ କୋର୍ବେଭାକ୍ସକୁ ଅନୁମତି ମିଳିବା ପରେ ଏଥିରେ ଖୁସି ବ୍ୟକ୍ତ କରିଛନ୍ତି କମ୍ପାନୀ ମ୍ୟାନେଜିଂ ଡାଇରେକ୍ଟର ମହିମା ଡଟଲା। ଟିକାକରଣ ଯାତ୍ରାରେ ଆମେ ପୁଣି ଏକ ମାଇଲ୍‌ଷ୍ଟୋନ୍‌ ଅତିକ୍ରମ କଲୁ ବୋଲି ସେ କହିଛନ୍ତି। କୋର୍ବେଭାକ୍ସ ବୁଷ୍ଟର ଡୋଜ୍ ନେବାକୁ ହେଲେ ଆପଣଙ୍କୁ CoWIN ପୋର୍ଟାଲ୍‌ରେ ବୁକ୍ କରିବାକୁ ପଡ଼ିବ।

ତେବେ ସୂଚନା ଥାଉକି, ଏପର୍ଯ୍ୟନ୍ତ ଭାରତରେ ପିଲାମାନଙ୍କୁ ୫୧.୭ ମିଲିୟନ କୋର୍ବେଭାକ୍ସ ଡୋଜ୍ ଟିକା ଦିଆ ସରିଲାଣି। ସେଥିମଧ୍ୟରୁ ୧୭.୪ ମିଲିୟନ ଟିକାର ଦୁଇଟିଯାକ ଡୋଜ୍ ନେଇସାରିଛନ୍ତି ବୋଲି କମ୍ପାନୀ କହିଛି।

ଏହା ପୂର୍ବରୁ ଏପ୍ରିଲ ମାସରେ କୋର୍ବେଭାକ୍ସକୁ ଜରୁରୀକାଳିନ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ମିଳିଥିଲା। ୫-୧୨ ବର୍ଷର ପିଲାଙ୍କୁ ଟିକା ଦେବାକୁ ଡିସିଜିଆ ଅନୁମତି ଦିଆଯାଇଥିଲା। କେନ୍ଦ୍ରକୁ ୧୦୦ ମିଲିୟନ ଡୋଜ୍ ସପ୍ଲାଏ କରିଛି ବୋଲି କମ୍ପାନୀ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.