ତୱାଙ୍ଗ ସଂଘର୍ଷ ପରେ ଭାରତ-ଚୀନ ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ, ଏହି ଅଞ୍ଚଳରେ ସୁରକ୍ଷା ଏବଂ ସ୍ଥିରତା ଉପରେ ସହମତି
22/12/2022 at 6:02 PM

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଡିସେମ୍ୱର ୯ରେ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଉଭୟ ପକ୍ଷରୁ କିଛି ସୈନିକ ଆହତ ହୋଇଥିଲେ । ସେବେଠାରୁ ଦୁଇ ଦେଶ ମଧ୍ୟରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଅନ୍ୟପଟେ ଲଦ୍ଦାଖରେ ମଧ୍ୟ ଶାନ୍ତି ବଜାୟ ରଖିବା ପାଇଁ ଭାରତ ଏବଂ ଚୀନ ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ ହୋଇଛି । ଏହି ଉଚ୍ଚସ୍ତରୀୟ ବୈଠକରେ ସେନାର ଶୀର୍ଷ ଅଧିକାରୀ ଉପସ୍ଥିତ ରହିଥିଲେ ।
ବିଦେଶ ମନ୍ତ୍ରାଳୟ ଗୁରୁବାର କହିଛି ଯେ ଭାରତ-ଚୀନ କୋର କମାଣ୍ଡର ସ୍ତରରେ ୧୭ ରାଉଣ୍ଡ ବୈଠକ ଡିସେମ୍ୱର ୨୦ରେ ଚୁଶୁଳରେ ଆୟୋଜିତ ହୋଇଯାଇଛି । ଉଭୟ ପକ୍ଷ ପଶ୍ଚିମ କ୍ଷେତ୍ରରେ ଶାନ୍ତି ବଜାୟ ରଖିବା ପାଇଁ ସହମତି ପ୍ରକାଶ କରିଛନ୍ତି । ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ସୂଚନା ଦେଇ କହିଛନ୍ତି ଯେ ବୈଠକରେ ଜୁଲାଇ ୧୭ରେ ହୋଇଥିବା ପୂର୍ବ ବୈଠକର ନିଷ୍ପତ୍ତି ଉପରେ ସମୀକ୍ଷା କରାଯାଇଛି । ବୈଠକରେ ୱେଷ୍ଟର୍ଣ୍ଣ ସେକ୍ଟର ଉପରେ ହୋଇଥିବା ମହମତିକୁ ନେଇ ମଧ୍ୟ ଆଲୋଚନା ହୋଇଛି । ସେ କହିଛନ୍ତି, ‘ଉଭୟ ପକ୍ଷ ପଶ୍ଚିମ ଭାଗରେ ସୁରକ୍ଷା ଏବଂ ସ୍ଥିରତା ବଜାୟ ରଖିବା ଏବଂ ସୈନ୍ୟ ଏବଂ କୂଟନୈତିକ ମାର୍ଗ ମାଧ୍ୟମରେ ଆଲୋଚନା ଜାରି ରଖିବା ଏବଂ ପାରସ୍ପାରିକ ରୂପରେ ସ୍ୱୀକୃତ ସଂକଳ୍ପ ଉପରେ କାମ କରିବାକୁ ଏକମତ ହୋଇଛନ୍ତି’।
ଉଲ୍ଲେଖଯୋଗ୍ୟ ଯେ ଅରୁଣାଚଳ ପ୍ରଦେଶରେ ଏଲଏସି ନିକଟରେ ହୋଇଥିବା ସଂଘର୍ଷ ପରେ ଭାରତ ସରକାର ଆକ୍ସନରେ ଅଛନ୍ତି । ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିବୃତ୍ତି ରଖି ଚୀନ ସୈନିକ ଅନୁପ୍ରବେଶ ଉଦ୍ୟମ କରିଥିବା ବେଳେ ଆମ ସୈନିକ ମୁହଁତୋଡ ଜବାବ ଦେଇଥିଲେ ବୋଲି କହିଥିଲେ। ଅନ୍ୟପଟେ ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ ।