ନୂଆଦିଲ୍ଲୀ: ଭାରତ ଏବଂ ଚୀନ ସେନା ଏଲଏସିର ବିବାଦୀୟ ସ୍ଥାନରୁ ପଛକୁ ହଟିସାରିଛନ୍ତି । ଏଣିକି ଦୁଇ ଦେଶର ସେନା ନିଜର ପରମ୍ପାରିକ ଶିବରରେ ମୁତୟନ ରହିବେ । ସେନା ସୂତ୍ର ଅନୁସାରେ ଏବେ ସୀମାରେ ନିୟମିତ ପାଟ୍ରୋଲିଂ ହେବ । ଏହି ପଦକ୍ଷେପ ଦୁଇ ଦେଶ ମଧ୍ୟରେ ବିବାଦର ସମାଧାନ ରୂପେ ଦେଖାଯାଉଛି । ସୂତ୍ର ଅନୁସାରେ ଦୁଇ ଦେଶର ସେନା ଗୁରୁବାର ଦୀପାବଳି ଅବସରରେ ପରସ୍ପରକୁ ମିଠେଇ ଦେବେ । ପୂର୍ବ ଲଦାଖରେ ଡେପସାଙ୍ଗ ଏବଂ ଡୋମଚେକରୁ ଦେଇ ଦେଶର ସେନା ପଛକୁ ହଟିଛନ୍ତି ।
ସେନା ସୂତ୍ର ଅନୁସାରେ ଦୁଇ ଦେଶ ମଧ୍ୟରେ କମାଣ୍ଡର ସ୍ତରୀୟ ଆଲୋଚନା ଆଗକୁ ମଧ୍ୟ ଜାରି ରହିଛି । ବର୍ତ୍ତମାନ ଉତ୍ତେଜନା ଶେଷ ହୋଇଛି ଏବଂ ୨୦୨୦ ପୂର୍ବ ସ୍ଥିତିରେ ଦୁଇ ଦେଶର ଶିବିର ରହିବ । ଏହିପରି ପ୍ରାୟ ୪ ବର୍ଷ ପରେ ଚୀନ ଏବଂ ଭାରତ ସୀମାରେ ସ୍ଥିତି ସ୍ୱାଭାବିକ ରହିଛି । କୁହାଯାଉଛି ଯେ ଭବିଷ୍ୟତରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧୁରିପାରେ । ଭାରତ ୨୦୨୦ ସଂଘର୍ଷ ପରେ କଡ଼ା ଆକ୍ସନ ନେଇ ଚୀନ କମ୍ପାନିଗୁଡ଼ିକ ଉପରେ କଟକଣା ଲଗାଇଥିଲା । ଏହା ବ୍ୟତୀତ ଅନେକ ସେକ୍ଟରରେ ନିବେଶକୁ ମଧ୍ୟ ନିୟନ୍ତ୍ରିତ କରାଯାଇଥିଲା ।
୨୦୨୦ ଏପ୍ରିଲରେ ଚୀନ ସେନା ପୂର୍ବ ଲଦାଖରେ ଅନୁପ୍ରବେଶ ଉଦ୍ୟମ କରିଥିଲା । ଏହା ଉପରେ ଭାରତୀୟ ସେନା କଡ଼ା ବିରୋଧ କରିବା ପରେ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ ଭାରତୀୟ ସେନାର ୨୦ ଯବାନ ସହିଦ ହୋଇଥିଲେ । ଏଥିରେ ବହୁ ଚୀନ ସୈନିକଙ୍କ ମୃତ୍ୟୁ ହୋଇଥିଲା, କିନ୍ତୁ ଏହାର ଡାଟା ସାର୍ବଜନୀନ କରି ନାହିଁ । ଚୀନ ସେନା ଶୁକ୍ରବାର ଏକ ବୟାନରେ କହିଥିଲା ଯେ ଏବେ ଦୁଇ ଦେଶ ସୀମାରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଉପରେ କାମ କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଭାରତ ସରକାର ଅକ୍ଟୋବର ୨୧ରେ ସୈନ୍ୟ ଅପସାରଣ ନେଇ ଘୋଷଣା କରିଥିଲେ ।