ନୂଆଦିଲ୍ଲୀ: ଭାରତର ପୂର୍ବ ଲଦାଖ ସୀମାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଡିପସାଙ୍ଗ ଓ ଡେମଚୋକ ସୀମାରେଖାରୁ ଚୀନ ଓ ଭାରତ ସୈନିକଙ୍କ ପ୍ରତ୍ୟାହାର ଏକପ୍ରକାର ଶେଷ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ସୂଚନା ମିଳିଥିବା ଦାବି କରି ଏହି ପ୍ରକାଶ କରିଛି ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ୱେବ୍ସାଇଟ୍।
ରିପୋର୍ଟ ଅନୁସାରେ, ଉଭୟ ଭାରତୀୟ ସେନା ଏବଂ ଚୀନ୍ ସେନା ଅଧିକାରୀ ବର୍ତ୍ତମାନ ସୈନ୍ୟ ପ୍ରତ୍ୟାହାର ଏବଂ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC)ର ସମ୍ବେଦନଶୀଳ କ୍ଷେତ୍ରଗୁଡିକରେ ହୋଇଥିବା ସାମରିକ ଭିତ୍ତିଭୂମି ନିର୍ମାଣ ଭାଙ୍ଗିବାକୁ ଯାଞ୍ଚ କରୁଛନ୍ତି।
ତେବେ ପ୍ରକୃତରେ ସୀମାରେ ଏସବୁ ହୋଇଛି କି ନାହିଁ ଉଭୟ ସେନା ପକ୍ଷରୁ ଏକ ତଦାରଖ ପ୍ରକ୍ରିୟା ଆରମ୍ଭ ହେବ। ସର୍ତ୍ତ ଅନୁସାରେ ସବୁକିଛି ଠିକ୍ ଠାକ୍ ହୋଇଛି କି ନା ତାର ଯାଞ୍ଚ ହେବ। ତେବେ ବର୍ତ୍ତମାନ ଚୁକ୍ତି ଉପରେ ବିଶ୍ୱାସ ରଖି ଏହି ପ୍ରତ୍ୟାହାର ପ୍ରକ୍ରିୟା ଜାରି ରହିଛି ବୋଲି ପ୍ରତିରକ୍ଷା ସୂତ୍ରରୁ ସୂଚନା ମିଳିଛି।
ସୂଚନା ଥାଉକି ଦୁଇ ଦେଶ ମଧ୍ୟରେ ଗଲୱାନ୍ ଅଞ୍ଚଳ ସମେତ ଚାରୋଟି ବଫର୍ ଜୋନ୍ ବିଷୟରେ କୌଣସି ଆଲୋଚନା ହୋଇନାହିଁ। ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଡେମୋଚୋକ ଏବଂ ଡିପସାଙ୍ଗ ଅଞ୍ଚଳରେ ସଫଳତା ପୂର୍ବକ ପାଟ୍ରୋଲିଂ ଆରମ୍ଭ ହେବା ପରେ, ବଫର ଜୋନରେ ପୂର୍ବପରି ପାଟ୍ରୋଲିଂ ଆରମ୍ଭ ହେବ କି ନା କର୍ପସ କମାଣ୍ଡର ସ୍ତରୀୟ ଆଲୋଚନାରେ ସ୍ଥିର କରାଯିବ।
ଟୁକ୍ତି ଅନୁସାରେ, ସବୁକିଛି ସମାନ ଶାନ୍ତିରେ କରାଇବା ପାଇଁ ଦୁଇ ଦେଶର ମିଲିଟାରୀ କମାଣ୍ଡରଙ୍କ ମଧ୍ୟରେ ଦୈନିକ ଆଲୋଚନା ହେଉଛି। ଦିନରେ କାମ କଣ ହେବ ସେ ନେଇ ପ୍ରତି ସକାଳେ ଦୁଇ ଦେଶ ମଧ୍ୟରେ କୋର୍ଡିନେଟ୍ ପ୍ଲାନ୍ କରାଯାଉଛି। ତା’ ସହିତ ସୀମାରେ ରହିଥିବା ପ୍ରୋଟୋକଲର ସମୀକ୍ଷା ପାଇଁ ଦିନରେ ଥରେ କିମ୍ବା ଦୁଇଥର ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ସେନା ଅଧିକାରୀଙ୍କ ମଧ୍ୟରେ ବୈଠକ ହେଉଛି। ସୂଚନା ଥାଉକି, ଏହା ପୂର୍ବରୁ ଲଦାଖର ଏଲଏସିରେ ୨୦୨୦ର ପୂର୍ବ ସ୍ଥିତି ଭଳି ଭାରତ ଓ ଚୀନ ପାଟ୍ରୋଲିଂ କରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଥିଲେ।
ଗତ ସପ୍ତାହରେ, ଚୀନ୍ ସହିତ ପୂର୍ବ ଲଦାଖରେ ଏଲଏସିରେ ପାଟ୍ରୋଲିଂ ନେଇ ଚୁକ୍ତିନାମା ହୋଇଥିବା ଭାରତ ଘୋଷଣା କରିଥିଲା। ଏହି ଘୋଷଣାରେ ସୀମାରେ ଭାରତ ଓ ଚୀନ ମଧ୍ୟରେ ଦୀର୍ଘ ଚାରି ବର୍ଷ ଧରି ଚାଲିଥିବା ସାମରିକ ବିବାଦକୁ ଶେଷ ହୋଇଥିବା କୁହାଯାଇଥିଲା।