ନୂଆଦିଲ୍ଲୀ ୨୬/ ୧୦: ଶେଷ ହେବ ୪ ବର୍ଷ ଧରି LACରେ ପାଟ୍ରୋଲିଂକୁ ନେଇ ଲାଗିରହିଥିବା ଛକାପଞ୍ଝା। ଧିରେ ଧିରେ ସୁଧୁରୁଛି ଭାରତ ଓ ଚୀନ ସଂପର୍କ । ଉଭୟ ଦେଶର ସେନା ସୀମା ନିକଟରେ ତିଆରି ହୋଇଥିବା ଅସ୍ଥାୟୀ ନିର୍ମାଣ ହଟାଉଛନ୍ତି । ଯାହାର ସାଟେଲାଇଟ ଫଟୋ ସାମ୍ନାକୁ ଆସିଛି । ଉଭୟ ଦେଶ ମଧ୍ୟରେ ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ(LAC)ରେ ପାଟ୍ରୋଲିଂକୁ ନେଇ ସହମତି ପରେ ସୈନ୍ୟ ଫେରାଇ ନେବାକୁ ହୋଇଛି ବଡ ନିଷ୍ପତ୍ତି । ଲଦାଖର ଡେପସାଙ୍ଗ ଓ ଡେମଚୋକରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଉଭୟ ଦେଶ ରାଜି ହୋଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।
ଶୁକ୍ରବାର ଉଠାଯାଇଥିବା ଏହାର ଏକ ସାଟେଲାଇଟ ଚିତ୍ର ମଧ୍ୟ ଆସିସାରିଛି । ଏଥିରେ ଉଭୟ ଦେଶର ସେନା ସୀମା ନିକଟରେ ତିଆରି କରିଥିବା ଅସ୍ଥାୟୀ ନିର୍ମାଣ ହଟାଇଥିବା ଦେଖିବାକୁ ମିଳିଛି। ଉଭୟ ସେନା ପୂର୍ବ ଲଦାଖର ଡେପସାଙ୍ଗ ଓ ଡେମଚୋକ ପଏଣ୍ଟରେ ସେମାନଙ୍କର ଅସ୍ଥାୟୀ ତମ୍ବୁ ଏବଂ ସେଡ୍ ହଟାଇ ଦେଇଛନ୍ତି। ଯାନବାହାନ ଏବଂ ସାମରିକ ଉପକରଣ ମଧ୍ୟ ଫେରାଇ ନିଆଯାଉଛି।
ଅକ୍ଟୋବର ଶେଷ ସୁଦ୍ଧା ଏହି କାମ ସରିବା ନେଇ ଆଶା କରାଯାଉଛି । ତେବେ ନିଷ୍ପତ୍ତି ହୋଇଛି ଉଭୟ ଦେଶ ଏହି ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖିବେ ଏବଂ ପାଟ୍ରୋଲିଂକୁ ବାହାରିବା ପୂର୍ବରୁ ପ୍ରତିପକ୍ଷଙ୍କୁ ଏନେଇ ଅବଗତ କରିବେ ।
୨୦୨୦ରେ ଭାରତ ଓ ଚୀନ୍ ସେନା ମଧ୍ୟରେ ପାଟ୍ରୋଲିଂକୁ ନେଇ ବିବାଦରୁ ଗଲୱାନ୍ ସଂଘର୍ଷ ଭଳି ଭୟଙ୍କର ସ୍ଥିତି ଉପୁଜିଥିଲା। କେଉଁ ଦେଶ LACର କେତେ ଭିତର ଯାଏ ପାଟ୍ରୋଲିଂ କରିପାରିବ ଏହାକୁ ନେଇ ବିବାଦ ବଢିଥିଲା । ଏହା ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢ଼ିଥିଲା । ଉଭୟ ଦେଶ ସୀମା ଉଭୟ ପଟେ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ସଂଖ୍ୟା ବୃଦ୍ଧି କରିଥିଲେ । ଏହାର ସମାଧାନ ପାଇଁ ବହୁ ପର୍ଯ୍ୟାୟରେ କୋର୍ କମାଣ୍ଡର୍ ସ୍ତରୀୟ ବୈଠକ ଏବଂ କୂଟନୈତିକ ଆଲୋଚନା ଅନୁଷ୍ଠିତ ହୋଇଥିଲା
ତେବେ ଦୀର୍ଘ ୪ ବର୍ଷ ଧରି ଚାଲିଥିବା ପୂର୍ବ ଲଦ୍ଦାଖରେ ପାଟ୍ରୋଲିଂକୁ ନେଇ ଭାରତ ଓ ଚୀନ ମଧ୍ୟରେ ଆପୋଷ ବୁଝାମଣା ସଫଳ ହୋଇଛି। ବ୍ରିକ୍ସ ସମ୍ମିଳନୀରେ ରୁଷିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସାକ୍ଷାତ ହେବା ପରଠାରୁ ସୀମାରେ ଚିତ୍ର ବଦଳିଥିବା କୁହାଯାଉଛି ।