ଇରାନ ଉପରେ ଭାରତର ଭରସା, Gulf ଉତ୍ତେଜନା ହ୍ରାସରେ ନୂଆଦିଲ୍ଲୀର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା

Published By : Prameya-News7 Bureau | January 15, 2020 IST

ନୂଆଦିଲ୍ଲୀ ୧୫।୧: ଉପସାଗରୀୟ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଉତ୍ତେଜନା ହ୍ରାସରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରେ। ଦିଲ୍ଲୀ ଗସ୍ତରେ ଆସିଥିବା ଅବସରରେ ଇରାନ ବୈଦେଶିକ ମନ୍ତ୍ରୀ ଜାଭେଦ ଜରିଫ ଏହି ଆଶାପୋଷଣ କରିଛନ୍ତି। ଏଠାରେ ଅନୁଷ୍ଠିତ  ରାୟସୀନା ଡାୟଲଗରେ ଯୋଗଦେବାକୁ ଜରିଫ ଆସିଥିବା ବେଳେ ଏହା କହିଛନ୍ତି। ଆମେରିକୀୟ ଡ୍ରୋନ ଆକ୍ରମଣରେ ଇରାନ ସେନା ମୁଖ୍ୟ କାସୀମ ସୁଲେମାନଙ୍କ ହତ୍ୟାକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ବେଳେ ଜରିଫଙ୍କ ଏହି ବୟାନକୁ ଏବେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

{"id":211730,"sizeSlug":"large"}

ତେବେ ଏଥିଲାଗି ଭାରତ ମଧ୍ୟ ଆଶ୍ୱସ୍ତ କରିଥିବା ଜଣାପଡିଛି। ଏ ନେଇ ଇରାନ, ୟୁଏଇ, ଓମାନ ଏବଂ କତର ଆଦି ରାଷ୍ଟ୍ରମାନଙ୍କ ସହ ଭାରତ ବରାବର ସମ୍ପର୍କରେ ଥିବା ସୂଚିତ କରିଛି। କାରଣ ଏହି କ୍ଷେତ୍ରରେ ଭାରତର ମଧ୍ୟ ହିତ ନିହିତ ଅଛିବୋଲି କୁହାଯାଇଛି।  ତେବେ ଇରାନ ବୈଦେଶିକ ମନ୍ତ୍ରୀ ଜରିଫ ଜେନେରାଲ ସୁଲେମାନୀଙ୍କ ହତ୍ୟା ଯୁକ୍ତରାଷ୍ଟ୍ରର ଅଜ୍ଞାନତାର ସୂଚକ ବୋଲି କହିଛନ୍ତି। ୱାସିଂଟନ ଯେଉଁ ଦୃଷ୍ଟିରେ ବିଶ୍ୱକୁ ଦେଖୁଛି ସେଥିରେ ଆଞ୍ଚଳିକ ସ୍ୱାର୍ଥକୁ ଗୁରୁତ୍ୱ ଦେଉନଥିବା କହିଛନ୍ତି। ସୁଲେମାନୀଙ୍କ ମୃତ୍ୟୁକୁ ଭାରତ ସମେତ ବିଭିନ୍ନ ଦେଶର ୪୩୦ ଟି ସହରରେ ବିରୋଧ କରାଯାଇଛି। ତେବେ ଆମେରିକା କେବଳ ଏକମାତ୍ର ଦେଶ ଯିଏ ଆଇଏସଆଇଏସ୍ ଆତଙ୍କବାଦୀଙ୍କ ସହ ତାଙ୍କ ହତ୍ୟାକୁ ନେଇ ଉତ୍ସବ ପାଳନ କରିଛି ବୋଲି ଜରିଫ କହିଛନ୍ତି ।

{"id":211731,"sizeSlug":"large"}

ତେବେ ୟୁକ୍ରେନ ଏୟାରଲାଇନ୍ସ ବିମାନକୁ ରକେଟ୍ ମାଡ ଘଟଣାକୁ ନେଇ ଦୁଃଖବ୍ୟକ୍ତ କରିଛନ୍ତି ଜରିଫ। ଏହା ଉତ୍ତେଜନା ବସତଃ ଏକ ଭୁଲ ଥିଲା ବୋଲି କହିଛନ୍ତି। ଏଥି ଯୋଗୁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ୧୮୦ଟି ପରିବାର ଏବେ ଶୋକରେ ମ୍ରିୟମାଣ। ସେମାନଙ୍କ ବ୍ୟଥା ଓ ବେଦନା ଆମେ ଅନୁଭବ କରିପାରୁଛୁ । ତେବେ  ଉପୁଜିଥିବା ପରିସ୍ଥିତିରେ ଇରାନ କେବେ ଆମେରିକା ସହ ଆଲୋଚନା କରିବ ନାହିଁ ବୋଲି ଜରିଫ ସଫାସଫା ମନା କରିଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.