କରୋନାରେ ଚୀନ୍କୁ ସହାୟତାର ହାତ ବଢ଼ାଇଲା ଭାରତ, କହିଲା ଜ୍ୱର ଔଷଧ ଦେବାକୁ ପ୍ରସ୍ତୁତ
23/12/2022 at 5:58 PM

ନୂଆଦିଲ୍ଲୀ ୨୩।୧୨: ଚୀନ୍ରେ କରୋନାର ପ୍ରକୋପ ଜାରି ରହିଛି। ପରିସ୍ଥିତି ଏପରି ହୋଇଛି ଯେ ଦେଶରେ ଏବେ ଜ୍ୱର ଔଷଧ ମିଳୁନାହିଁ। ଔଷଧ ଲାଗି ଲୋକଙ୍କୁ ଫ୍ୟାକ୍ଟ୍ରି ବାହାରେ ଲମ୍ବା ଧାଡି କରିବାକୁ ପଡୁଛି। ଏପରି ପରିସ୍ଥିତିରେ ଭାରତ ଏବେ ଚୀନ୍ର ସହାୟତା ଲାଗି ହାତ ବଢାଇଛି। ଚୀନ୍କୁ ଜ୍ୱର ଔଷଧ ରପ୍ତାନୀ ଲାଗି ଭାରତ ପ୍ରସ୍ତୁତ ବୋଲି କହିଛି। ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ (ସିଡିଏସସିଓ) ଅଧ୍ୟକ୍ଷ ଭାରତ ବିଶ୍ୱର ସବୁଠୁ ବଡ଼ ଔଷଧ ରପ୍ତାନୀକାରୀଙ୍କ ମଧ୍ୟରେ ଅନ୍ୟତମ ବୋଲି କହିଛନ୍ତି। ଏଥିରେ ଚୀନ ଚାହିଁଲେ ସହାୟତା ଲାଗି ଭାରତ ପ୍ରସ୍ତୁତ ବୋଲି ସେ କହିଛନ୍ତି।
ଚୀନ୍ରେ ଇବୁପ୍ରୋଫେନ ଓ ପାରାସିଟାମଲ ଭଳି ଔଷଧର ଅଭାବ ଦେଖା ଦେଇଛି। ଯଦି ଚୀନ୍ ଚାହିଁବ ଏଠାରୁ ଏହି ଔଷଧ ପଠାଇ ଦିଆଯିବ ବୋଲି କୁହାଯାଇଛି। ଫାର୍ମାସ୍ୟୁଟିକାଲ ଏକ୍ପପୋର୍ଟ ପ୍ରମୋସନ କାଉନସିଲ ଅଫ ଇଣ୍ଡିଆଙ୍କ ଅଧ୍ୟକ୍ଷ ସାହିଲ ମୁଞ୍ଜାଲ ଇବୁପ୍ରୋଫେନ ଓ ପାରାସିଟାମଲ ଔଷଧ ନିର୍ମାତାଙ୍କୁ ଚୀନ୍ରୁ ଔଷଧ ପଠାଇବାକୁ କଲ ଆସୁଥିବା କହିଛନ୍ତି। ସେପଟେ ଭାରତର ବୈଦେଶିକମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି ଯେ ଆମେ ଚୀନ୍ର କୋଭିଡ ପରିସ୍ଥିତି ଉପରେ ନଜର ରଖିଛୁ। ଫର୍ମାସୀ ଉତ୍ପାଦନ ଦେଶ ରୂପେ ଆମେ ବିଶ୍ୱର ଅନ୍ୟ ଦେଶଙ୍କୁ ସର୍ବଦା ସହାୟତା କରି ଆସିଛୁ। ଯଦି ଚୀନ୍ ଚାହିଁବ ଆମେ ସହାୟତା ଲାଗି ପ୍ରସ୍ତୁତ ବୋଲି ବାଗଚୀ କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ ଚୀନ୍ରେ ଔଷଧ ଅଭାବ ଦେଖା ଦେଇଛି। ଉପୁଜିଥିବା ପରିସ୍ଥିତିରେ ସରକାର ଔଷଧ କିଣାରେ କଡା କଟକଣା ଜାରି କରିଛନ୍ତି। ସରକାରୀ କଟକଣା ଅନୁସାରେ ଜଣେ ବ୍ୟକ୍ତିକୁ ଇବୁପ୍ରୋଫେନର ଟାବଲେଟ କିମ୍ବା ସିରପ ଦିଆଯାଇପାରିବ ହେଲେ କାହାରିକୁ ଏକ ସଙ୍ଗରେ ଦୁଇଟି ଔଷଧ ଦିଆଯାଇପାରିବନି। ଜଣେ ବ୍ୟକ୍ତି ଥରକରେ କେତେ ଔଷଧ କିଣିବ ସରକାର ତାର ସୀମା ଧାର୍ଯ୍ୟ କରିଛନ୍ତି। ଜର୍ମାନୀ କୋଭିଡ ଟିକା
ବାୟୋଏନଟେକ୍ ର ପ୍ରଥମ ସିପମେଣ୍ଟ ଚୀନ୍ ପହଞ୍ଚିଛି। ଚୀନ୍କୁ ପଠାଯାଇଥିବା ଏହା ପ୍ରଥମ ବିଦେଶୀ କରୋନା ଟିକା। ଏହାକୁ ପ୍ରଥମେ ଜର୍ମାନୀ ପ୍ରବାସୀଙ୍କୁ ଦିଆଯିବ। ବଳକା ହେଲେ ଚୀନ୍ ନାଗରିକଙ୍କୁ ମଧ୍ୟ ଦିଆଯିବ। ଉଲ୍ଲେଖଯୋଗ୍ୟ ଯେ ଭାରତରୁ ଚୀନ୍ର ଔଷଧ ଆମଦାନୀ ଖୁବ କ୍ୱଚିତ । ୨୦୨୧-୨୨ରେ ସାରା ବିଶ୍ୱକୁ ଭାରତ ଯେତିକି ଔଷଧ ରପ୍ତାନୀ କରିଛି ଏହାର ମାତ୍ର ୧.୪ ପ୍ରତିଶତ ଚୀନ୍କୁ ପଠାଇଥିଲା। ତେବେ ଆମେରିକାକୁ ସବୁଠୁ ଅଧିକ ଔଷଧ ପଠାଉଛି ଭାରତ।