ନୂଆଦିଲ୍ଲୀ: ଭାରତ ବନାମ ବାଂଲାଦେଶ ଟେଷ୍ଟର ଚତୁର୍ଥ ଦିନରେ ଅନେକ ରେକର୍ଡ ଧରାଶାୟୀ କରିଛି । କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି । ମ୍ୟାଚ୍ର ପ୍ରଥମ ତିନି ଦିନରେ ଦର୍ଶକ ଯେତିକି ନିରାଶ ହୋଇଥିଲେ, ଚତୁର୍ଥ ଦିନରେ ଟିମ୍ ଇଣ୍ଡିଆ ସେଥିରୁ ଅଧିକାଂଶ ଭରଣା କରିଦେଇଛି । ବାଂଲାଦେଶକୁ ପ୍ରଥମ ଇନିଂସରେ ୨୩୩ ରନ୍ରେ ଭାରତ ଅଲଆଉଟ୍ କରିଥିଲା ଏବଂ ପରେ ଚତୁର୍ଥ ଦିନ ଚା' ବିରତି ସୁଦ୍ଧା ୧୬ ଓଭରରେ ଦୁଇ ୱିକେଟ୍ ହରାଇ ୧୩୮ ରନ୍ କରିଥିଲା । ଗୋଟିଏ ଇନିଂସରେ ଭାରତ ଟେଷ୍ଟ କ୍ରିକେଟ୍ ଇତିହାସରେ ସବୁଠୁ ଦ୍ରୁତ ୫୦ ଏବଂ ସବୁଠୁ ଦ୍ରୁତ ୧୦୦ ରନ୍ର ରେକର୍ଡ ନିଜ ନାଁରେ କରିଛି । ଭାରତ ବାଂଲାଦେଶ ବିପକ୍ଷ ପ୍ରଥମ ଇନିଂସରେ ତିନି ଓଭରରେ ବିନା କୌଣସି ୱିକେଟ୍ ହରାଇ ୫୧ ରନ୍ କରିଥିଲା, ଯାହା ଟେଷ୍ଟ କ୍ରିକେଟ୍ ଇତିହାସରରେ କୌଣସି ଟିମ୍ ଦ୍ୱାରା କରାଯାଇଥିବା ସବୁଠୁ ଦ୍ରୁତ ୫୦ ରନ୍ ଅଟେ । ସେହିପରି ୧୦.୧ ଓଭରରେ ୧୦୦ ରନ୍ ପାର କରିଥିଲା । ଏହିପରି ଭାରତ ନିଜର ହିଁ ପୁରୁଣା ରେକର୍ଡ ଭାଙ୍ଗିଛି ।
ଭାରତ ୨୦୨୩ରେ ପୋର୍ଟ ଅଫ୍ ସ୍ପେନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ମ୍ୟାଚ୍ରେ ୧୨.୨ ଓଭରରେ ୧୦୦ ରନ୍ ହାସଲ କରିଥିଲା, ଯାହା ଟେଷ୍ଟ କ୍ରିକେଟ୍ ଇତିହାସରେ ସବୁଠୁ ଦ୍ରୁତ ୧୦୦ ରନ୍ ଥିଲା । ଏବେ ଭାରତ ନିଜର ହିଁ ପୁରୁଣା ରେକର୍ଡ ଭାଙ୍ଗିଛି । ପୂର୍ବରୁ ରୋହିତ୍ ଶର୍ମା, ଯଶସ୍ୱୀ ଜୈସ୍ୱାଲ ଏବଂ ଶୁଭମନ ଗିଲ୍ ମିଳିତ ଭାବେ ଏହି ରେକର୍ଡ କରିଥିଲେ । ଏବେ ବି ଏହି ତିନି ଜଣ ମିଶି ନୂଆ ରେକର୍ଡ କରିଛନ୍ତି ।
ରୋହିତ୍ ଶର୍ମା ୧୧ ବଲରେ ୨୩ ରନ୍ କରି ଆଉଟ୍ ହୋଇଥିଲେ । ଯଶସ୍ୱୀ ଜୈସ୍ୱାଲ ୫୧ ବଲରେ ୭୨ ରନ୍ କରିଥିବା ଆଉଟ୍ ହୋଇଥିବା ବେଳେ ଶୁଭମନ ଗିଲ୍ ୩୦ ବଲରେ ୩୭ ରନ୍ କରିଥିଲେ । ଭାରତ ଚତୁର୍ଥ ଦିନରେ ୯ ୱିକେଟ୍ ହରାଇ ୨୮୫ ରନ୍ କରି ଇନିଂସ ଶେଷ ଘୋଷଣା କରିଥିଲା । ଏହାସହ ଟିମ୍ ଇଣ୍ଡିଆ ବାଂଲାଦେଶଠାରୁ ୫୨ ରନ୍ ଲିଡ୍ରେ ରହିଛି ।