ନୂଆଦିଲ୍ଲୀ: ବିଶ୍ୱକପ୍ ୨୦୨୩ର ଫାଇନାଲ୍ ମ୍ୟାଚ୍ରେ ଭାରତ ରବିବାର ସବୁଠାରୁ ଖରାପ ବ୍ୟାଟିଂ ପ୍ରଦର୍ଶନ କରିଛି। ଚଳିତ ବିଶ୍ୱକପ୍ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପରେ ଆଜି ସବୁଠାରୁ କମ୍ ରନ୍ କରିଛି ଭାରତ। ଏଥିସହିତ ବିଶ୍ୱକପ୍ ୨୦୨୩ରେ ପ୍ରଥମ ଥର ପାଇଁ ଅଲ୍ ଆଉଟ୍ ହୋଇଛି ଟିମ୍ ଇଣ୍ଡିଆ।
ଆଜିର ମ୍ୟାଚ୍ରେ ଭାରତ ୨୪୦ ରନ୍ର କରିଥିଲା। ଯାହା ବିଶ୍ୱକପ୍ରେ ଭାରତ ଦ୍ୱିତୀୟ ଲୋକ ସ୍କୋର। ଏହା ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମ୍ରେ ଭାରତ ୨୨୯ ରନ୍ କରିଥିଲା। ହେଲେ କେବେ ବି ଅଲ୍ ଆଉଟ୍ ହୋଇ ନଥିଲା। କିନ୍ତୁ ପ୍ରଥମ ଥର ପାଇଁ ନଭେମ୍ବର ୧୯ରେ ଅହମଦାବାଦରେ ଖେଳାଯାଉଥିବା ଫାଇନାଲ୍ ମ୍ୟାଚ୍ରେ ଭାରତ ଅଲ୍ ଆଉଟ୍ ହୋଇଯାଇଛି। ଚଳିତ ବିଶ୍ୱକପ୍ରେ ଭାରତ ପ୍ରଥମ ଥର ଅଲ୍ ଆଉଟ୍ ହୋଇଛି।
ଭାରତର ବ୍ୟାଟିଂ
ଆଜିର ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍ ୩୦ ରନ ଯୋଡ଼ିଥିଲେ। ହେଲେ ଗିଲ୍ ଫାଇନାଲ୍ ପରି ବଡ଼ ମୁକାବିଲାରେ ୪ ରନ କରି ଆଉଟ୍ ହୋଇଥିଲେ। ସେ ଘରୋଇ ପିଚ୍ର ଫାଇଦା ଉଠାଇ ପାରି ନ ଥିଲେ। ଅନ୍ୟପଟେ ରୋହିତ ନିଜର ଚିରାଚରିତ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ।
ରୋହିତ ଓ ବିରାଟ ଦ୍ଵିତୀୟ ଓ୍ଵିକେଟ୍ ଭାଗିଦାରୀରେ ୪୬ ରନ ଯୋଡ଼ିଥିଲେ। ୭୬ ରନ ସ୍କୋରରେ ଭାରତକୁ ବଡ଼ ଝଟକା ଲାଗିଥିଲା। ରୋହିତ ଶର୍ମା ୩୧ ବଲ୍ରୁ ୪ ଚୌକା ଓ ୩ ଛକା ସହ ୪୭ ରନ କରି ପାଭିଲିୟନ ଫେରିଥିଲେ। ଶ୍ରେୟସ ଆୟର(୪) ମଧ୍ୟ କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ।
ଅଷ୍ଟ୍ରେଲିଆ ବୋଲର ମାପଚୁପ ବୋଲିଂ କରି ଭାରତର ବ୍ୟାଟରଙ୍କୁ ବାନ୍ଧି ରଖିଥିଲେ। କୋହଲି ଓ କେଏଲ ରାହୁଲ ଧୈର୍ଯ୍ୟ ସହ ବ୍ୟାଟିଂ କରି ଏକ ଏକ ରନ ନେଇ ପାଳିକୁ ଆଗକୁ ବଢାଇଥିଲେ। ଦୁଇ ବ୍ୟାଟର ଚତୁର୍ଥ ଓ୍ଵିକେଟ୍ ପାଇଁ ୬୭ ରନ ଯୋଡ଼ିଥିଲେ। ବିରାଟ କୋହଲି ପୁଣି ଆଉ ଏକ ଚମତ୍କାର ଇନିଂସ ଖେଳିଛନ୍ତି। ସେ ୬୩ ବଲ୍ରୁ ୪ ଚୌକା ସହ ୫୪ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ତାଙ୍କ ଆଉଟ୍ ଭାରତକୁ ଶକ୍ତ ଝଟକା ଲାଗିଥିଲା। ରବୀନ୍ଦ୍ର ଜାଡ଼େଜା ୯ ରନ କରି ପାଭିଲିୟନ ଫେରିଥିଲେ।
ଅନ୍ୟପଟେ କେଏଲ ରାହୁଲ ସଂଘର୍ଷପୂର୍ଣ୍ଣ ବ୍ୟାଟିଂ ଜାରି ରଖି ଅର୍ଦ୍ଧଶତକ ହାସଲ କରିଥିଲେ। ଲାଗୁଥିଲା ରାହୁଲ ଶତକ ଆଡ଼କୁ ଅଗ୍ରସର ହେବେ। ହେଲେ ୨୦୩ ରନ ସ୍କୋରରେ ରାହୁଲ ଆଉଟ୍ ହୋଇଥିଲେ। ସେ ୧୦୭ ବଲ୍ରୁ ୧ ଚୌକା ସହ ୬୬ ରନ କରିଥିଲେ। ମହମ୍ମଦ ଶାମି(୬) ଓ ଯଶପ୍ରୀତ ବୁମରା(୧) ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ କ୍ରିଜରେ ଜମି ରହିଥିଲେ ହେଁ ହାତଖୋଲା ସଟ୍ ଖେଳି ପାରି ନଥିଲେ।
ସୂର୍ଯ୍ୟକୁମାର ବହୁ କଷ୍ଟରେ ୧୮ ରନ କରିଥିଲେ। ଶେଷରେ ଭାରତ ୨୪୦ ରନ କରି ପାରିଛି। କୁଲଦୀପ ଯାଦବ ୧୦ ରନ କରି ଶେହ ବ୍ୟାଟର ଭାବେ ଶେଷ ବଲରେ ରନ ଆଉଟ୍ ହୋଇଛନ୍ତି।
ଫାଇନାଲ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବୋଲର ଶାଣିତ ବୋଲିଂ କରି ଭାରତକୁ ଚାପରେ ରଖିବାରେ ସଫଳ ହୋଇଛନ୍ତି। ମିଚେଲ୍ ଷ୍ଟାର୍କ ସର୍ବାଧିକ ୫୫ ରନ ବ୍ୟୟ କରି ୩ଟି ଓ୍ଵିକେଟ୍ ନେଇଛନ୍ତି। ଜୋସ୍ ହେଜେଲଉଡ ୫୯ ରନ ଦେଇ ୨ଟି ଓ ପାଟ୍ କମିନ୍ସ ୧୦ ଓଭରରେ ମାତ୍ର ୩୪ ରନ ଦେଇ ୨ଟି ଓ୍ଵିକେଟ୍ ସଫଳତା ପାଇଛନ୍ତି।