ଆଜି I.N.D.I.A ବ୍ଲକର ବୈଠକ, ସରକାର ଗଢ଼ିବେ ନା ବିରୋଧୀରେ ବସିବେ ହେବ ଫଇସଲା

Published By : Prameya-News7 Bureau | June 05, 2024 IST

ନୂଆଦିଲ୍ଲୀ ୦୫/୦୬: ଲୋକସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି । ହେଲେ ଏବେ ଆଗକୁ କ'ଣ ହେବ ରଣନୀତି ତାକୁ ନେଇ ବାହାରିପାରେ ନିଷ୍ପତ୍ତି । କାରଣ ଆଜି ବସିବାକୁ ଯାଉଛି ଇଣ୍ଡି ଆଲାଏନ୍ସର ବୈଠକ । ସନ୍ଧ୍ୟାରେ ଏହି ବୈଠକ ବସିବ । ଇଣ୍ଡିଆ ମିଳିତ ମଞ୍ଚ ବିରୋଧୀ ଦଳରେ ବସିବ ନା ସରକାର ଗଠନ କରିବ ତାହା ଆଜି ଏହି ବୈଠକରେ ସ୍ପଷ୍ଟ ହୋଇଯିବ ।

INDIA ବ୍ଲକର୍‌ ଏହି ବୈଠକ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ଅନୁଷ୍ଠିତ ହେବ। ଏହି ବୈଠକ ବ୍ୟତୀତ କଂଗ୍ରେସ ଦଳର ଏକ ଭିନ୍ନ ବୈଠକ ବି ବସିପାରେ । ଏଥିରେ ମିଳିତ ଦଳର ନେତାଙ୍କ ସହ ବୈଠକରେ କେଉଁ ଆଭିମୁଖ୍ୟ ଗ୍ରହଣ କରାଯିବ ତାହା ସ୍ଥିର କରାଯିବ। 

ସେପଟେ  ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଅଭିମୁଖେ ଇଣ୍ଡିଆ ମେଣ୍ଟର ସମସ୍ତ ନେତା । ଏନ୍‌ସିପି(ଏସ୍‌ପି) ପ୍ରମୁଖ ଶରଦ ପାଓ୍ୱାର ନିଜ ଝିଅ ସୁପ୍ରିୟା ସୁଲେଙ୍କ ସହ ଇଣ୍ଡିଆ ମେଣ୍ଟର ବୈଠକରେ ସାମିଲ ହେବା ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି । ସେହିପରି ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ପ୍ରମୁଖ ଏମ୍‌କେ ଷ୍ଟାଲିନ ବି ଇଣ୍ଡିଆ ମେଣ୍ଟ ବୈଠକରେ ଯୋଗ ଦେବା ପାଇଁ ଦିଲ୍ଲୀ ଆସିଛନ୍ତି । 

ଟିଏମ୍‌ସି ତରଫରୁ ଏହି ବୈଠକରେ ଅଭିଷେକ ବାନାର୍ଜୀ ବି ସାମିଲ ହେବେ। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଏହି ବୈଠକରେ ସାମିଲ ହେବା କାର୍ଯ୍ୟକ୍ରମ ରହିଛି। ରେଜଲ୍ଟ ଆସିବା ପରେ କଂଗ୍ରେସ ସଭାପତି ଖଡଗେ କହିଥିଲେ, ବୈଠକ ପରେ ହିଁ ଆମେ ପରବର୍ତ୍ତୀ ରଣନୀତି କ'ଣ କରାଯିବ ତାହା ସ୍ଥିର କରିବୁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.