କାଠମାଣ୍ଡୁ, ୨୮।୯: ୧୯ ବର୍ଷରୁ କମ୍ ବାଳକ ସାଫ୍ ଚାମ୍ପିଅନସିପ୍ ଫାଇନାଲରେ ଭାରତ । ସୁଟ୍ ଆଉଟରେ ଫାଇନାଲକୁ ପ୍ରବେଶ କରିଛି ଟିମ୍ । ସେମି ଫାଇନାଲରେ ଟିମ୍ ଅଣ୍ଡିଆ ୧-୧ (୩-୨)ରେ ନେପାଳକୁ ପରାଜିତ କରିଛି । ଆସନ୍ତା ୩୦ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ । ନେପାଳ ଓ ଭାରତ ସେମି ଫାଇନାଲ ମ୍ୟାଚ୍ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଭାରତ ୨୬ ମିନିଟରେ ପ୍ରଥମେ ଗୋଲ ଖାତା ଖୋଲିଥିଲା । ଏହି ଗୋଲ୍ଟି ସ୍କୋର କରିଥିଲେ ସାହିଲ ଖୁର୍ସିଦ । ଦ୍ୱିତୀୟାର୍ଦ୍ଧରେ ନେପାଳ ଏହି ଗୋଲ ଦେଇ ୧-୧ ବରବାର କରିଥିଲା । ଖେଳର ଶେଷ ପର୍ଯ୍ୟନ୍ତ ଆଉ ଗୋଲ୍ ନହେବାରୁ ମ୍ୟାଚ୍ ଅମୀମାଂସିତ ରହିଥିଲା । ଫଳରେ ସୁଟ୍ ଆଉଟର ସହାୟତା ନିଆଯାଇଥିଲା । ଏଥିରେ ଭାରତ ୩-୨ ଗୋଲରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା ।
ଭାରତୀୟ ଦଳରେ ୨ ଜଣ ଓଡ଼ିଆ ଖେଳାଳି ରହିଛନ୍ତି । ସେମାନେ ହେଲେ ଏ. ଶିବ ପ୍ରସାଦ ଏବଂ ରାଜା ହରିଜନ । ଉଭୟ ଭାରତୀୟ ଏକାଦଶର ପ୍ରମୁଖ ତାରକା । ସବୁଠାର ବଡ଼ କଥା ହେଉଛି ଓଡ଼ିଆ କୋଚ୍ ଶୁଭେନ୍ଦୁ ପଣ୍ଡାଙ୍କ ତତ୍ୱାବଧାନରେ ଭାରତ ସାଫ ଚାମ୍ପିଅନସିପ୍ ଖେଳୁଛି । ପ୍ରଥମ ସେମି ଫାଇନାଲ ପାକିସ୍ତାନ ଓ ଭୂଟାନ ମଧ୍ୟରେ ଖେଳାଯାଇଥିଲା । ନିର୍ଦ୍ଧାରିତ ସମୟ ଗୋଲ୍ଶୂନ୍ୟ ରହିବା ପରେ ପାକିସ୍ତାନ ଶେଷରେ (୬-୫)ସୁଟ୍ ଆଉଟ୍ରେ ବିଜୟୀ ହୋଇଥିଲା ।